ଏତିକି କୋଟି ସମ୍ପତ୍ତିର ମାଲିକାଣୀ ନେହା କକ୍କର : ଜାଣନ୍ତୁ ତାଙ୍କର ପୂରା କାହାଣୀ
ବଲିଉଡର ଲୋକପ୍ରିୟ ଗାୟିକା ନେହା କକ୍କର ତାଙ୍କ ଅନନ୍ୟ କଣ୍ଠସ୍ବର ପାଇଁ ବେଶ ପ୍ରଶଂସା ସାଉଁଟିଛନ୍ତି। ମାତ୍ର ଚାରି ବର୍ଷ ବୟସରେ ଅନେକ ଭକ୍ତି ସମାବେଶରେ ଭଜନ ଗାଇବା ଆରମ୍ଭ କରିଥିବା ନେହା ‘ଇଣ୍ଡିଆନ୍ ଆଇଡଲ୍ ୨’ରେ କ୍ୟାରିଅର୍ ଆରମ୍ଭ କରିଥିଲେ। ନେହା କକ୍କର ଜୁନ୍ ୬ ତାରିଖରେ ତାଙ୍କର ୩୮ତମ ଜନ୍ମଦିନ ପାଳନ କରିଛନ୍ତି। ଆସନ୍ତୁ ଗାୟିକା କେତେ ସମ୍ପତ୍ତିର ମାଲିକାଣୀ ତାହା ଜାଣିବା।
ନେହା କକ୍କରଙ୍କ ଜନ୍ମ ୧୯୮୮ ମସିହା ଜୁନ୍ ୬ତାରିଖରେ ଉତ୍ତରାଖଣ୍ଡର ଋଷିକେଶରେ ହୋଇଥିଲା । ସେ ତାଙ୍କ ପିଲାଦିନ ଦାରିଦ୍ର୍ୟରେ ବିତାଇଥିଲେ, କିନ୍ତୁ ଆଜି ସେ ଯେଉଁ ପଦବି ହାସଲ କରିଛନ୍ତି ତାହା ଅନେକଙ୍କ ପାଇଁ ଏକ ସ୍ୱପ୍ନ । ନେହା ଏକାଦଶ ଶ୍ରେଣୀରେ ପଢ଼ୁଥିବା ସମୟରେ ରିଆଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍’ର ଦ୍ୱିତୀୟ ସିଜିନରେ ପ୍ରତିଯୋଗୀ ଭାବରେ ଅଂଶଗ୍ରହଣ କରିଥିଲେ । ଏହି ସିଜନରେ ତାଙ୍କ କଣ୍ଠସ୍ବର ବିଚାରକଙ୍କୁ ଏତେଟାକ ପସନ୍ଦ ଆସି ନଥିବାରୁ ସେ ସୋ’ରୁ ବାହାରି ଯାଇଥିଲେ । ବର୍ତ୍ତମାନ ସେ ଊକ୍ତ ସୋ’ରେ ବିଚାରକ ଭାବରେ କାମ କରୁଛନ୍ତି । କଠିନ ପରିଶ୍ରମ ସହିତ ନେହା ତାଙ୍କ ଅନନ୍ୟ କଣ୍ଠସ୍ବର ପାଇଁ ସଙ୍ଗୀତ ଜଗତରେ ନିଜର ଏକ ସ୍ବତନ୍ତ୍ରସ୍ଥାନ ତିଆରି କରି ପାରିଛନ୍ତି । ନେହା କକ୍କର ଇତିମଧ୍ୟରେ ଯଥେଷ୍ଟ ସମ୍ପତ୍ତି ନିଜ ନାମରେ କରି ସାରିଛନ୍ତି।
ନେହା ବର୍ତ୍ତମାନ କୋଟି କୋଟି ଟଙ୍କାର ମାଲିକ ହେବା ସହିତ ଏକ ବିଳାସପୂର୍ଣ୍ଣ ଜୀବନଶୈଳୀ ବିତାଉଛନ୍ତି । ରିପୋର୍ଟ ଅନୁଯାୟୀ, ନେହାଙ୍କ ମୋଟ ସମ୍ପତ୍ତି ପ୍ରାୟ ୧୧୨ କୋଟି ଟଙ୍କାର ରହିଛି । ସେ ପ୍ରତି ମାସରେ ୫୦ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରନ୍ତି । ଫିଲ୍ମରେ ଗୋଟିଏ ଗୀତ ଗାଇବା ପାଇଁ ପ୍ରାୟ ସେ ୧୫ଲକ୍ଷ ଟଙ୍କାର ପାରିଶ୍ରମିକ ନିଅନ୍ତି । ଏଥିସହିତ ସେ ପ୍ରତି ଲାଇଭ୍ କନସର୍ଟ ପାଇଁ ୮୦ ଲକ୍ଷରୁ ୧ କୋଟି ପର୍ଯ୍ୟନ୍ତ ଚାର୍ଜ କରି ଥାଆନ୍ତି । କେବଳ ଏତିକି ନୁହେଁ ନେହା ବିଭିନ୍ନ କମ୍ପାନିର ବିଜ୍ଞାପନ କରି ଭଲ ରୋଜଗାର କରନ୍ତି ।
ନେହା କକ୍କରଙ୍କ ମୁମ୍ବାଇରେ ଏକ ବିଳାସପୂର୍ଣ୍ଣ ଘର ଅଛି, ଯାହାର ମୂଲ୍ୟ ୧.୫ କୋଟି ଟଙ୍କାକ ଥିବା ଜଣାଯାଇଛି । ତାଙ୍କ କାର ସଂଗ୍ରହ ବିଷୟରେ କହିବାକୁ ଗଲେ, ତାଙ୍କ ପାଖରେ ଅଡି, ମର୍ସିଡିଜ୍ ଏବଂ ବିଏମଡବ୍ଲୁ ଭଳି କମ୍ପାନିର ବିଳାସପୂର୍ଣ୍ଣ କାର ଅଛି ।
