କର୍ଫ୍ୟୁ ହଟିବା ପରେ କଟକକୁ ଫେରୁଛି ସ୍ବାଭାବିକ ଜୀବନଯାତ୍ରା
କଟକ : କର୍ଫ୍ୟୁ ହଟିବା ପରେ କଟକକୁ ଫେରୁଛି ସ୍ବାଭାବିକ ଜୀବନଯାତ୍ରା । ୩୬ ଘଣ୍ଟାର କର୍ଫ୍ୟୁ ଅବଧି ମଧ୍ୟରେ କୌଣସି ଅପ୍ରିତିକର ପରସ୍ଥିତି ସୃଷ୍ଟି ହୋଇ ନଥିବାରୁ କର୍ଫ୍ୟୁ ହଟାଇ ଦିଆଯାଇଛି। ଆଜି ସକାଳ ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ଥିଲା। ତେବେ କର୍ଫ୍ୟୁ ହଟିଲେ ମଧ୍ୟ ସହର ଉପରେ ପୋଲିସ କଡ଼ା ନଜର ରଖିଥିବା କହିଛନ୍ତି ଟ୍ବିନ ସିଟି ପୋଲିସ କମିଶନର ଏସ ଦେବଦତ୍ତ ସିଂ। ଫୋର୍ସ ପ୍ରତ୍ୟାହାର କରାଯାଇନି। ଦରଘାବଜାର ଏବଂ ସମ୍ବେଦନଶୀଳ ଅଞ୍ଚଳରେ ପାଟ୍ରୋଲିଂ ଓ ଫ୍ଲାଗମାର୍ଚ୍ଚ ଜାରି ରହିବ।
ଯେଉଁଠି ଗୁଜବ ହେବା ଆଶଂକା ରହିଛି, ସେଠାରେ ସାଦା ପୋଷାକରେ ପୋଲିସ ମୁତୟନ ହେବେ। ପରସ୍ଥିତି ନିୟନ୍ତ୍ରଣରେ ଅଛି । କାହା ଉପରେ କୌଣସି ବିପଦ ନାହିଁ । ଗୁଜବ ଉପରେ ବିଶ୍ବାସ ନକରିବାକୁ ନିବେଦନ କରିଛନ୍ତି ପୋଲିସ କମିଶନର । ଦରଘାବଜାର ସମେତ କଟକର ୧୩ଟି ଥାନା ଅଞ୍ଚଳରେ ଲାଗିଥିଲା କର୍ଫ୍ୟୁ ।
କର୍ଫ୍ୟୁ ହଟିବା ପରେ ସ୍ବାଭାବିକ ଜୀବନଯାତ୍ରାକୁ ଫେରୁଛି କଟକ । ଲୋକେ ଘରୁ ବାହାରୁଛନ୍ତି। ସହରର କିଛି ସ୍ଥାନରେ ଦୋକାନ ବଜାର ଖୋଲିଲାଣି । ଦୈନନ୍ଦିନ କାର୍ଯ୍ୟକଳାପ ପୁଣି ଥରେ ଆରମ୍ଭ ହେଉଛି । ଆଜି ସଂଧ୍ୟା ୭ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି ।
