କାହିଁକି ରଥରେ ବସି ବଡ଼ଦାଣ୍ଡକୁ ଓହ୍ଲାଇ ଆସନ୍ତି ଶ୍ରୀଜଗନ୍ନାଥ? ଜାଣନ୍ତୁ ଅଜଣା ରହସ୍ୟ
ହିନ୍ଦୁ ଧର୍ମର ସବୁଠାରୁ ବଡ଼ ପର୍ବ ହେଉଛି ରଥଯାତ୍ରା । ପ୍ରତି ଓଡ଼ିଆଙ୍କ ପାଇଁ ଗର୍ବର ଦିନ ହୋଇଥାଏ ଏହି ପର୍ବ । କେଉଁ ଯୁଗରୁ ଏହି ପର୍ବ ପାଳିତ ହୋଇ ଆସୁଛି । ଏହା ପଛରେ ଲୋକପ୍ରିୟ ଧାର୍ମିକ ଘଟଣା ଲୁଚି ରହିଛି । ଏହି ଦିନରେ କାଳିଆ ପ୍ରେମୀମାନଙ୍କ ସମାଗମରେ ବଡ଼ଦାଣ୍ଡ ଦୁଲୁକି ଉଠେ । ଏହି ଦିନକୁ ଲକ୍ଷ ଲକ୍ଷ ଭକ୍ତ ଅପେକ୍ଷା କରି ରହିଥାଆନ୍ତି । ଯାହାର ସାନିଧ୍ୟ ଲାଭ କରିଥାଆନ୍ତି ଭକ୍ତ । କେବଳ ଭକ୍ତ ନୁହେଁ ବଡ଼ଦାଣ୍ଡର ଏହି ବଡ଼ ପର୍ବରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଅପୂର୍ବ ଦର୍ଶନ ପାଇଁ ଭଗବାନଙ୍କ ଠାରୁ ଆରମ୍ଭ କରି ଅତୃପ୍ତ ଆତ୍ମାମାନେ ମଧ୍ୟ ଧରାପୃଷ୍ଠକୁ ଓହ୍ଲାଇ ଆସନ୍ତି ।
କାଳିଆ କାହା ପାଇଁ ଜଗତର ନାଥ ଜଗନ୍ନାଥ ତ ଆଉ କାହା ପାଇଁ ମଉଡ଼ମଣି ତ ପୁଣଇ କାଳିଆ ସାଆନ୍ତ । ଭକ୍ତମାନେ କାଳିଆର ବିଭିନ୍ନ ରୂପରେ ଲୀନ ହୋଇଯାଆନ୍ତି । ବର୍ଷରେ ମାତ୍ର ଥରେ ସେ ନିଜ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ଶ୍ରୀମନ୍ଦିରରୁ ବାହାରି ରଥରେ ବିରାଜମାନ ହୋଇ ଭକ୍ତମାନଙ୍କ ଗହଣକୁ ଆସିଥାଆନ୍ତି । ଏହି ପବିତ୍ର ଯାତ୍ରା କେବଳ ଏକ ପରମ୍ପରା ନୁହେଁ, ବରଂ ସମସ୍ତଙ୍କ ପ୍ରତି ଭଗବାନଙ୍କ ସମାନ ସ୍ନେହ, କରୁଣା ଓ ଆଶୀର୍ବାଦର ବାର୍ତ୍ତା । ଏହି ଠାକୁର ହିଁ କେବଳ ଭକ୍ତଙ୍କୁ ଦେଖା କରିବାକୁ ଗର୍ଭଗୃହର ରତ୍ନ ସିଂହାସନରୁ ଉଠିଆସନ୍ତି । ତାର ଲୀଳା ଅପୂର୍ବ । ଭକ୍ତଙ୍କୁ ସବୁବେଳେ ଦେଖିବାକୁ ତାର ଚକା ଆଖିରେ ଜଳ ଜଳ କରି ଅନେଇ ରହିଥାଏ । କୌଣସି ଭକ୍ତକୁ ଆଶୀର୍ବାଦ ଦେବାକୁ ହାତ ଉଠାଇ ରଖିନାହିଁ ବରଂ କୋଳେଇ ନେବାକୁ ସବୁବେଳେ ଚଉବାହାକୁ ମେଲାଇ ରଖିଥାଏ । ତାକୁ କିଏ ପୁଅ କରି କୁଣ୍ଢାଇ ପକାଏ ତ ଆଉ ପୁଣି ଭାଇ, ବନ୍ଧୁ, ସ୍ବାମୀ କହି ଆପଣାଇ ନିଏ । ତେଣୁ ସେ ତାର ଆପଣାର ଲୋକଙ୍କୁ ଆପାଣାଇବାକୁ ବର୍ଷକୁ ଥରେ ଭାଇ,ଭଉଣୀଙ୍କୁ ସାଙ୍ଗରେ ଧରି ରଥରେ ବସି ବଡ଼ଦାଣ୍ଡକୁ ଓହ୍ଲାଇ ଆସେ ।
ଧାର୍ମିକ ବିଶ୍ୱାସ ଅନୁସାରେ ଜଗତ କଲ୍ୟାଣକାରୀ ବଡ଼ ଠାକୁର ପ୍ରଭୁ ଶ୍ରୀଜଗନ୍ନାଥ ରଥଯାତ୍ରା ସମୟରେ କୌଣସି ବିନା ଭେଦଭାବରେ ଗର୍ଭଗୃହରୁ ବାହାରି ଆସି ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି । ଏହି କାରଣରୁ ଏହି ପର୍ବକୁ ସାମାଜିକ ସମାନତାର ପ୍ରତୀକ ମଧ୍ୟ ଭାବରେ ବିବେଚନା କରାଯାଏ। ଏହି ଦିନ, ଜାତି, ଧର୍ମ କିମ୍ବା ସାମାଜିକ ସ୍ଥିତି ନିର୍ବିଶେଷରେ, ଯେକୌଣସି ବ୍ୟକ୍ତି ପ୍ରଭୁଙ୍କୁ ଦର୍ଶନ କରିପାରିବେ ଏବଂ ତାଙ୍କର ଆଶୀର୍ବାଦ ପାଇପାରିବେ। କାଳିଆ ଆଖିରେ ସମସ୍ତେ ସମାନ । ହେଲେ ଏହି ବଡ଼ ପର୍ବ ରଥଯାତ୍ରା ପଛରେ ଗୋଟିଏ ଲୋକପ୍ରିୟ କିମ୍ବଦନ୍ତୀ ରହିଛି । ଯାହା ଆଜି ଆମେ ଆପଣଙ୍କୁ ଜଣାଇବୁ ।
ଭଗବାନ ଶ୍ରୀକୃଷ୍ଣଙ୍କ ସାନ ଭଉଣୀ ସୁଭଦ୍ରା ଥରେ ପୁରୀ ସହର ଦେଖିବା ଏବଂ ପରିଭ୍ରମଣ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ସେମାନଙ୍କ ପ୍ରିୟ ଭଉଣୀଙ୍କ ଇଚ୍ଛା ପୂରଣ କରିବା ପାଇଁ, ପ୍ରଭୁ ଜଗନ୍ନାଥ ଏବଂ ତାଙ୍କ ବଡ଼ ଭାଇ ବଳଭଦ୍ର ଏକ ରଥ ପ୍ରସ୍ତୁତ କରିଥିଲେ । ଏହା ପରେ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ନଗର ପରିଭ୍ରମଣ କରିଥିଲେ । ଏହି ଘଟଣା ଭାଇ ଭଉଣୀଙ୍କ ସ୍ମୃତିକୁ ଜୀବନ୍ତ କରି ରଖିବାକୁ ପ୍ରତିବର୍ଷ ରଥଯାତ୍ରା ଅନୁଷ୍ଠିତ ହୋଇ ଆସୁଛି । ଯାହା ଭାଇ ଭଉଣୀଙ୍କର ସ୍ନେହର ପ୍ରତୀକ ଭାବେ ବିବେଚନା କରାଯାଏ ।
ରଥଯାତ୍ରା ସମୟରେ, ପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରା ଶ୍ରୀମନ୍ଦିର ଛାଡି ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥାନ୍ତି। ଧାର୍ମିକ ବିଶ୍ୱାସ ଅନୁସାରେ, ଏହି ସ୍ଥାନକୁ ପ୍ରଭୁଙ୍କ ମାଉସୀଙ୍କ ବାସସ୍ଥାନ ବୋଲି ବିବେଚନା କରାଯାଏ। ଏଠାରେ ସେମାନେ କିଛି ଦିନ ବିଶ୍ରାମ ନିଅନ୍ତି ଏବଂ ତା ପରେ ବାହୁଡା ଯାତ୍ରା ଦେଇ ଶ୍ରୀମନ୍ଦିରକୁ ଫେରିଯାଆନ୍ତି । ଭକ୍ତମାନେ ବିଶ୍ୱାସ କରନ୍ତି ଯେ ରଥଯାତ୍ରା ସମୟରେ ପ୍ରଭୁଙ୍କ ଦର୍ଶନ ବିଶେଷ ଆଶୀର୍ବାଦ ପ୍ରଦାନ କରେ ଏବଂ ଜୀବନର ଦୁଃଖ ଦୂର କରେ। ଏହି କାରଣରୁ ଭାରତ ଏବଂ ବିଦେଶରୁ ଲକ୍ଷ ଲକ୍ଷ ଭକ୍ତ ଏହି ଦିବ୍ୟ ଉତ୍ସବରେ ଅଂଶଗ୍ରହଣ କରିବା ପାଇଁ ପୁରୀ ଯାତ୍ରା କରନ୍ତି।
