କୂଳ ଲଙ୍ଘିଲା ସମୁଦ୍ର : ଭୟଭୀତ ଅବସ୍ଥାରେ ଆର୍ଯ୍ୟପଲ୍ଲୀ ଗ୍ରାମବାସୀ
ଛତ୍ରପୁର : ଜଳବାୟୁ ପରିବର୍ତ୍ତନ ଯୋଗୁଁ ଦିନକୁ ଦିନ ସମୁଦ୍ର କୂଳ ଲଙ୍ଘିବାରେ ଲାଗିଛି । ଦୈନିକ ଜଳପତନ ବୃଦ୍ଧି ହେବା ସହ ସମୁଦ୍ରର ଉଚ୍ଚ ଜୁଆର ସ୍ଥଳଭାଗକୁ ମାଡିଆସୁଥିବାରୁ ଗଞ୍ଜାମ ଜିଲାର ଅନେକ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳବାସୀ ତଥା ସମୁଦ୍ରକୂଳିଆ ପରିବାର ଭୟଭୀତ ହୋଇପଡିବା ସହ ନାନା ଆଶଙ୍କାରେ ରହିଛନ୍ତି । ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ବ୍ଲକ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଗ୍ରାମରେ ସମୁଦ୍ର ଧୀରେ ଧୀରେ ସ୍ଥଳଭାଗ ଆଡ଼କୁ ମାଡ଼ିଆସୁଥିବା ଲକ୍ଷ୍ୟ କରାଯାଉଛି । ଆର୍ଯ୍ୟପଲ୍ଲୀ ଗାଁ ନିକଟରେ ସମୁଦ୍ର କୂଳ ଲଙ୍ଘୁଥିବାରୁ ପଞ୍ଚାୟତବାସୀ ଭୟଭୀତ ହୋଇପଡିଛନ୍ତି ।
ସମୁଦ୍ର ଅଶାନ୍ତ ରହିବା ସହ ଉଚ୍ଚ ଜୁଆର ମାଡ଼ି ଆସିବାରୁ ସାନ ଆର୍ଯ୍ୟପଲ୍ଲୀ ସମୁଦ୍ର ନିକଟରେ ଥିବା ୨ ଟି ମନ୍ଦିର ଭାଙ୍ଗି ସମୁଦ୍ରରେ ଲୀନ ହୋଇଯାଇଛି । ଏପରିକି ଗତ ୩ ବର୍ଷ ମଧ୍ୟରେ ସମୁଦ୍ର ୩ କିଲୋମିଟର ଦୂରତା କୂଳ ଲଂଘୁ ଥିବା ବେଳେ ଆଗାମୀ ଦିନରେ ସମୁଦ୍ର କୂଳରେ ସମ୍ପୂର୍ଣ୍ଣ ଗ୍ରାମଟି ଲୀନ ହୋଇଯିବ ବୋଲି କହିଛନ୍ତି ମତ୍ସ୍ୟଯିବିମାନେ । ଏହି ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି । ଜୁଆର ମାଡ଼ରେ କ୍ଷତିଗସ୍ତ ହୋଇଥିବା ଆଶ୍ରୟସ୍ଥଳୀ ନିକଟରେ କିଛି ଘର ଥିବାରୁ ସଂପୃକ୍ତ ପରିବାର ଏବେ ଭୟଭୀତ ଅବସ୍ଥାରେ ରହିଛନ୍ତି ।
ପଚାଂୟତବାସୀ କହିବା ମୁତାବକ ପୂର୍ବରୁ ସମୁଦ୍ର ଗ୍ରାମ ଠାରୁ ୨ କି.ମି ଦୂରରେ ଥିବା ବେଳେ ଏବେ ସମୁଦ୍ର କ୍ରମେ ଗ୍ରାମର ନିକଟବର୍ତ୍ତୀ ହେବାରେ ଲାଗିଛି। ଗ୍ରାମ ଠାରୁ ଏବେ ସମୁଦ୍ର ଆଉ ମାତ୍ର ୫୦ ମିଟର ଦୂରରେ ରହିଛି । ଏଣୁ ଗ୍ରାମକୁ ସୁରକ୍ଷା ପ୍ରଦାନ କରିବା ଲାଗି ଗାର୍ଡ ୱେଲ ନିର୍ମାଣ କରିବାକୁ ଦାବି ହୋଇଛି l ଯଦି ଆଗାମୀ ଦିନରେ ସେମାନଙ୍କ ଦାବି ପୂରଣ ନ ହେଲେ ଗୋପାଳପୁର ପୋର୍ଟ ସମ୍ମୁଖରେ ଧାରଣା ଦେବେ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦାମାନେ ।