କୋଳି ଚାଷ କରି ଲକ୍ଷପତି ହେଲେ ଦେବାଶିଷ, ଯୁବପିଢ଼ିଙ୍କ ପାଇଁ ପାଲଟିଛନ୍ତି ଆଦର୍ଶ

ପଟାମୁଣ୍ଡାଇ: ଚାଷ ପ୍ରେମରେ ଯୁବ ଚାଷୀ ଦେବାଶିଷ । ନିଜ ସଉକ ପାଇଁ ଆରମ୍ଭ କରିଥିବା କୋଳି ଚାଷ ରାତାରାତି ତାଙ୍କୁ କରିଦେଲା ଲକ୍ଷପତି । ଆଉ ଏବେ ଏହି ସଉକ ଆଣି ଦେଇଛି ତାଙ୍କୁ ସଫଳ ଚାଷୀର ମର୍ଯ୍ୟାଦା । ପଟ୍ଟାମୁଣ୍ଡାଇ ପୌର ପରିଷଦ ଅନ୍ତର୍ଗତ ଦକ୍ଷିଣଦିଆ ଗାଁର ଯୁବ ଚାଷୀ ଦେବାଶିଷ । ନିଜ ଇଛା ଶକ୍ତି ବଳରେ ଫଳାଇଛନ୍ତି ସୁନାର ଫସଲ । ୩ ଏକର ଜମିରେ ବିରଳ ପ୍ରଜାତିର କୋଳି ଚାଷ କରି ପାଇଛନ୍ତି ସଫଳତା । ନିଜ ସଉକ ପାଇଁ ଲଗାଇଥିବା ଆପେଲ ବେରି ଓ ମିସ ଇଣ୍ଡିଆ ଜାତିର କୋଳି ଚାଷ କରି ଏବେ ହୋଇଯାଇଛନ୍ତି ଲକ୍ଷପତି । ଏପରିକି ଅନ୍ୟ ଯୁବପିଢ଼ିଙ୍କ ପାଇଁ ପାଲଟିଛନ୍ତି ଆଦର୍ଶ ।

ଦୈନିକ ୫୦ କେଜିରୁ ଅଧିକ କୋଳି ତୋଳିବା ସହିତ ବର୍ତ୍ତମାନ ସୁଦ୍ଧା ୧୦ କୁଇଣ୍ଟାଲ କୋଳି ବିକ୍ରି କରି ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା । ନିଜ ବାଡ଼ିରେ ବିଭିନ୍ନ ଚାଷ ଯଥା ଆମ୍ବ, ଗୁଆ, ଲେମ୍ବୁ, ପିଜୁଳି, କୋଳି, ଫୁଲ, ପରିବା ଓ ମହୁ ଚାଷ ଆରମ୍ଭ କରିଥିଲେ । ହେଲେ ସବୁ ଭିତରେ କୋଳି ତାଙ୍କୁ ଦେଇଥିଲା ଏକ ସ୍ୱତନ୍ତ୍ର ପରିଚୟ । ବଜାରରେ ତାଙ୍କ କୋଳିର ରହିଛି ବେଶ ଚାହିଦା । କିଲୋ ପ୍ରତି ଶହେ ଟଙ୍କା ବିକ୍ରି ହେଉଥିବା ବେଳେ ପଟ୍ଟାମୁଣ୍ଡାଇ ବଜାରରେ ବହୁଳ ମାତ୍ରାରେ କୋଳିର ଆବଶ୍ୟକତା ରହୁଥିବା ଯୋଗୁ ଭବିଷ୍ୟତରେ ସେ ଏହି କୋଳି ଚାଷକୁ ଆହୁରି ବଢାଇବା ପାଇଁ ଲକ୍ଷ ରଖିଛନ୍ତି । ଏଭଳି ମାଟିରେ ଏ ବିରଳ ପ୍ରଜାତିର କୋଳି ଚାଷ କରି ସଫଳତା ପାଇଥିବା ଯୁବ ଚାଷୀଙ୍କୁ ସାଧୁବାଦ ଜଣାଇଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ ।

  1. ନିଜ ପୁଅର ସଫଳତା ଦେଖି ବେଶ ଖୁସି ଅଛନ୍ତି ଦେବାଶିଷଙ୍କ ବାପା ବିବେକାନନ୍ଦ ସାମଲ । ପୁଅକୁ ସଫଳ ଚାଷୀ ଭାବେ ଦେଖି ଖୁବ ଗର୍ବ କରନ୍ତି ବିବେକାନନ୍ଦ । ବିନା ସରକାରୀ ସହାୟତା ଓ ବିନା ସବସିଡିରେ ତାଙ୍କ ପୁଅର ସଫଳତାରେ ସେ ବେଶ ଖୁସି । କହିଛନ୍ତି ତାଙ୍କ ଚାରି ପୁଅ ଚାଷ କ୍ଷେତ୍ରରେ ଆହୁରି ଅଧିକ ସଫଳତା ପାଇବା ସହିତ ଅନ୍ୟ ଯୁବ ଚାଷୀଙ୍କ ପାଇଁ ଉଦାହରଣ ପାଲଟନ୍ତୁ । ଅନ୍ୟପଟେ ବଗିଚାରେ କାମ କରୁଥିବା କର୍ମଚାରୀ ମାନେ ନିଜ ହାତରେ ଲଗାଇଥିବା ଗଛ ଆଉ ଫଳିଥିବା ଫଳକୁ ଦେଖି ବେଶ ଖୁସି ଥିବା କହିଛନ୍ତି ।
Spread the love