ଗନ ପଏଣ୍ଟରେ ବ୍ୟବସାୟୀଙ୍କ ଠାରୁ ଲୁଟ
ଉଦଳା : ଟାର୍ଗେଟ କରି ଆସିଲେ, ଗାଁ ରାସ୍ତାରେ ଅଟକାଇଲେ ଆଉ ଗନ ପଏଣ୍ଟରେ ଲୁଟିନେଲେ ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କାର ରୂପା ଅଳଙ୍କାର । ଏଭଳି ଘଟଣା ଘଟିଛି ଖୁଣ୍ଟା ଥାନା ଧନାପନା ଗ୍ରାମରେ । ଗ୍ରାମର କମଳ ଲୋଚନ ରଣା ଆଜି କହ୍ନେଇବନ୍ଧ ସାପ୍ତାହିକ ହାଟକୁ ରୂପା ଦୋକାନ ନେଇ ଯାଇଥିଲେ । ହାଟରେ ସେ ରୂପା ଦୋକାନ କରି ବେପାର ସାରି ଘରକୁ ଫେରୁଥିଲେ ।
ସନ୍ଧ୍ୟା ସମୟରେ ହାଟରୁ ଫେରି ଧନାପନା ଗ୍ରାମ ରାସ୍ତାରେ ଯାଉଥିବା ବେଳେ ଅଚାନକ ଦୁଇ ଗୋଟି ବାଇକରେ ଚାରି ଜଣ ମୁଖା ପିନ୍ଧା ଲୁଟେରା ଆସି ତାଙ୍କୁ ରାସ୍ତାରେ ଅଟକାଇଥିଲେ । ଏବଂ କମଳ ଲୋଚନଙ୍କ ବେକକୁ ଗାଡି ଉପରେ ଜାବୁଡି ଧରିବା ସହିତ ବେକରେ ବନ୍ଧୁକ ଲଗାଇ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ।
ଗାଡି ଡ଼ିକି ଖୋଲି ସେଥିରେ ଥିବା ଲକ୍ଷାଧିକ ଟଙ୍କାର ରୂପା ଏବଂ ଗାଡ଼ିରେ ଟଙ୍ଗା ଯାଇଥିବା ଏକ ବ୍ୟାଗକୁ ମଧ୍ୟ ଦୁର୍ବୃତ୍ତମାନେ ଲୁଟିନେଇଥିଲେ । କାଣ୍ଡ ଭିଆଇବା ପରେ ଲୁଟେରାମାନେ ଆଖି ପିଛୁଳାକେ ଖସି ଯାଇଥିଲେ । ବ୍ୟବସାୟୀ କମଳ ଲୋଚନ ଏ ନେଇ ପୋଲିସକୁ ଜଣାଇବା ପରେ ଖୁଣ୍ଟା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଲୁଟେରାମାନେ ହିନ୍ଦୀ ଭାଷାରେ କଥା ହେଉଥିବା ବେଳେ ମୁହଁରେ ମୁଖା ପିନ୍ଧିଥିଲେ ।
