ଘୋଷଯାତ୍ରାରେ ମହାପ୍ରଭୁଙ୍କୁ ଲାଗିହୁଏ ଗୀତଗୋବିନ୍ଦ ଖଣ୍ଡୁଆପାଟ ବସ୍ତ୍ର, ଚଳଚଞ୍ଚଳ ବୁଣାକାର ପରିବାର

ଆଠଗଡ: ତନ୍ତ ବୁଣିବାରେ ଲାଗିଛନ୍ତି ସମସ୍ତ ପରିବାର ସଦସ୍ୟ । କିଏ ସୂତା ଯୋଖିବାରେ ବ୍ୟସ୍ତ ତ କିଏ ତନ୍ତରେ ବସି ଗୀତଗୋବିନ୍ଦ ଲେଖିବାରେ ବ୍ୟସ୍ତ । ଏ ଦୃଶ୍ୟ କଟକ ଜିଲ୍ଲା ଆଠଗଡ ନୂଆପାଟଣା ଗାଁର । ଦିନ କେଇଟା ପରେ ପାଳନ ହେବ ମହାପ୍ରଭୁଙ୍କର ଘୋଷ ଯାତ୍ରା । ଶ୍ରୀ ଜୀୟୁଙ୍କ ସ୍ନାନଯାତ୍ରା ହେଉ ଅବା ଘୋଷଯାତ୍ରା । ନିଳାଦ୍ରୀ ବିଜେ ହେଉ ଅବା ଅନବସର । ଏ ସବୁ ନୀତିକାନ୍ତି ଲାଗି ଦରକାର ପଡେ ଗୀତଗୋବିନ୍ଦ ଖଣ୍ଡୁଆପାଟ ବସ୍ତ୍ର ।

ଆଉ ଏ ସବୁ ବସ୍ତ୍ର ଲାଗିହୁଏ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ । ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିହେବ ଏସବୁ ବସ୍ତ୍ର । ଏହା ପୂର୍ବରୁ ଏସବୁ ବସ୍ତ୍ର ଶ୍ରୀମନ୍ଦିର ପ୍ରଶାସକ ପାଖରେ ପଇଠ କରାଯିବ ସେଥିପାଇଁ ଚଳଚଞ୍ଚଳ ବୁଣାକାର ପରିବାର । ଅନବସର ନିତୀଠାରୁ ଆରମ୍ଭ କରି ଘୋଷଯାତ୍ରା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଠାରେ ଲାଗିହୁଏ ଅନେକ ପ୍ରକାର ବସ୍ତ୍ର । ଏହି ବସ୍ତ୍ର ସବୁ ଅନେକ ପ୍ରକାର ଡିଜାଇନରେ ତିଆରି କରାଯାଉଥିବା ବେଳେ ଏଥିରେ ଲୁଚିରହିଥାଏ ଅନେକ ସ୍ବତନ୍ତ୍ରତା ।

କେଉଁ ବସ୍ତ୍ରରେ ଗିତ ଗୋବିନ୍ଦ ଲେଖାଯାଇଥାଏ ତ ଅନ୍ୟ କେଉଁ ବସ୍ତ୍ରରେ ଲେଖାଯାଇଥାଏ ଅନେକ ପ୍ରକାର ଶ୍ଳୋକ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସେବା ଆଗରେ ହାର ମାନିଛି ବାର୍ଦ୍ଧକ୍ୟ । ଘରର ପିଲା ଠାରୁ ବୃଦ୍ଧା ଯାଏଁ ସମସ୍ତେ ଏହି ବସ୍ତ୍ରକୁ ତିଆରି କରିଥାନ୍ତି । ଯାହାକୁ ପିନ୍ଧି ପ୍ରଭୁ ଘୋଷଯାତ୍ରାରେ ଯାଇଥାନ୍ତି । ରଥଯାତ୍ରା ଦିନ ପ୍ରଭୁଙ୍କୁ ନିଜ ହାତ ତିଆରି ପୋଷାକରେ ଦେଖି ବେଶ ଆନନ୍ଦ ଲାଗିଥାଏ ବୋଲି କହିଛନ୍ତି ବୁଣାକାରମାନେ ।

ଜଗତର ନାଥ ଜଗନ୍ନାଥଙ୍କ ପାଇଁ ଅନେକ ପ୍ରକାର ସେବାରେ ଲାଗିଥାନ୍ତି ଭିନ୍ନ ଭିନ୍ନ ପ୍ରଜାତିର ସେବକ ପରିବାର । ପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେଉଥିବା ବସ୍ତ୍ର ବୁଣିବାର ସୌଭାଗ୍ୟ ମୃତ୍ୟୁ ପର୍ଯ୍ୟନ୍ତ ଏମିତି ମିଳୁଥାଉ ବୋଲି ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହ ଭଗବାନଙ୍କ କାର୍ଯ୍ୟ କରି କରି ଏ ଜୀବ ଯାଉ ବୋଲି କାମନା କରୁଛନ୍ତି ବୁଣାକାର ପରିବାର ।

Spread the love