ଜରାଜୀର୍ଣ୍ଣ ଅବସ୍ଥାରେ ଅଟ୍ରି, ଉନ୍ନତି ପରିବର୍ତ୍ତେ ଅବନତିକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପର୍ଯ୍ୟଟକ
ବେଗୁନିଆ: ପୁଣି ଆସିଛି ପର୍ଯ୍ୟଟନର ଋତୁ । ଆଉ ଚଳ ଚଞ୍ଚଳ ହେଲାଣି ଓଡିଶାର ଅନେକ ପର୍ଯ୍ୟଟନକ୍ଷେତ୍ର । ହେଲେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ପ୍ରମୁଖ ପର୍ଯ୍ୟଟନକ୍ଷେତ୍ର ଅଟ୍ରିରୁ ମୁହଁ ଫେରାଉଛନ୍ତି ପର୍ଯ୍ୟଟକ । ଏଠାରେ ବିକାଶ ବର୍ଷକୁ ବର୍ଷ ବିନାଶ ଆଡକୁ ମୁହାଁଉଥିବା ବେଳେ ଡାକିଲାଣି ବିପଦ । ଉନ୍ନତି ପରିବର୍ତ୍ତେ ଅବନତିକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପର୍ଯ୍ୟଟକ ।
ଉଈ ହୁଙ୍କାମୟ ହୋଇପଡିଲାଣି ବେଗୁନିଆ ବ୍ଲକ ଅଟ୍ରିର ଉଷ୍ମପ୍ରସ୍ରବଣ କ୍ଷେତ୍ର । ଜରାଜୀର୍ଣ୍ଣ ଅବସ୍ଥାରେ ଅଟ୍ରି । କେଉଁଠି କାନ୍ଥରେ ଗଛ ଉଠିଲାଣି ତ ଆଉ କେଉଁଠି ଅଳିଆ ଆବର୍ଜନା ଭର୍ତ୍ତି । ପଚାସଢା ଗନ୍ଧରେ ଫାଟି ପଡୁଛି ନାକ । ପିଇବା ପାଇଁ ପାଣି ଟୋପେ ବି ମିଳୁନି ଏଠାରେ । ଦୁଇ ଦୁଇଟି ବଙ୍ଗଳା ପାଲଟିଛି ଭୂତକୋଠି । ଶୌଚାଳୟ କଥା ନ କହିବା ଭଲ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏଠାକାର ମୁଖ୍ୟ ଆକର୍ଷଣ ଭାବେ ଥିବା କୁଆକୁଣ୍ଡ ଏବେ ବିପଦରେ । ଏହି ମୁଖ୍ୟକୁଣ୍ଡ ଭିତରୁ ପଥର ଖସି ଏବେ ପର୍ଯ୍ୟଟକମାନଙ୍କ ପାଇଁ ବିପଦ ସୃଷ୍ଟି ଆଶଙ୍କା ପ୍ରକାଶ ପାଇଥିବା ବେଳେ ଏହା ଉପରେ ଲୁହା ବାଡ ଅବସ୍ଥା ବି ଶୋଚନୀୟ ।
ବେଗୁନିଆ ବ୍ଲକ ଅଟ୍ରିର ଏହି ପ୍ରସିଦ୍ଧ ଉଷ୍ମପ୍ରସ୍ରବଣ କ୍ଷେତ୍ର ଖୋର୍ଦ୍ଧାର ଏକ ପ୍ରମୂଖ ପର୍ଯ୍ୟଟନକ୍ଷେତ୍ର ହୋଇଥିବା ବେଳେ ଶୀତୁଆ ପରିବେଶରେ ପର୍ଯ୍ୟଟକଙ୍କୁ ବେଶ ଆକର୍ଷଣ କରେ ଏହାର ଉଷୁମ ପାଣି । ତେବେ ଦୀର୍ଘ ପନ୍ଦର ବର୍ଷ ହେବ ଏହା କ୍ରମଶଃ ଅବନତି ଆଡକୁ ଗତିକରି ଏବେ ମାଟିରେ ମିଶିଯିବାକୁ ବସିଲାଣି । ବିଭିନ୍ନ ଗଣମାଧ୍ୟମ ସହିତ ଅନେକ ପର୍ଯ୍ୟଟକଙ୍କ ସ୍ବର ସରକାରଙ୍କ ପାଖରେ ପହଞ୍ଚୁଛି ସତ ହେଲେ ଫଳ ଶୂନ ।
ଏ ସୁନ୍ଦର ସ୍ଥାନଟିର ଯଦି ସୁରକ୍ଷା କରାଯାଇ ପାରନ୍ତା ତେବେ ଅନେକ ପର୍ଯ୍ୟଟକ ଏଠାକୁ ଆସନ୍ତେ । ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଲେ ନିଶ୍ଚିତ ଭାବେ ଏ ସ୍ଥାନକୁ ହଜାର ହଜାର ପର୍ଯ୍ୟଟକ ଆସିବେ ।
