ଡାକ୍ତରଖାନା ପାଇଁ ନାହିଁ ଆବଶ୍ୟକୀୟ କୋଠା, ହନ୍ତସନ୍ତ ହେଉଛନ୍ତି ରୋଗୀ
ହରଭଙ୍ଗା: ଉପରେ ଚକାଚକ୍ । କୋଠାର ହେଉଛି କେବଳ ରଙ୍ଗ ପରିବର୍ତ୍ତନ । ହେଲେ ଭିତରେ ବର୍ଷ ବର୍ଷ ଧରି କାମ ଚାଲିଛି ଯେ ସରିବାର ନାଁ ନେଉନି । ଡାକ୍ତରଖାନାରେ ନାହିଁ ଆବଶ୍ୟକୀୟ କୋଠା । ନାହିଁ ରୋଗୀଙ୍କ ପାଇଁ ବେଡ କି ମିଳୁନି ଉନ୍ନତମାନର ଚିକିତ୍ସା ସେବା । ଭିତ୍ତିଭୂମି ନଥିବାରୁ ରୋଗୀଙ୍କୁ ନାକେଦମ ହେବାକୁ ପଡୁଥିବାବେଳେ ସାମାନ୍ୟ ଜ୍ବର କାଶ ଟିକିଏ ହେଲେ ଯିବାକୁ ପଡୁଛି ବୌଦ୍ଧ କି ଫୁଲବାଣୀ । ନୂତନ ଡାକ୍ତରଖାନା କୋଠା ଉପରେ ଚାଲିଛି କେବଳ ରଙ୍ଗ ପରିବର୍ତ୍ତନ । ଭିତରେ ସରିନି କାମ । ବର୍ଷ ବର୍ଷ ଧରି କାମ ଚାଲୁଥିବାବେଳେ କେବେ ହେବ ନୂତନ ଡାକ୍ତରଖାନା କୋଠାର ଉଦଘାଟନ ? ତାକୁ ନେଇ ଉଠିଛି ପ୍ରଶ୍ନ ।
ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ପରିସ୍ଥିତି । ଏ ଦୃଶ୍ୟ ହେଉଛି ପୁରୁଣା କୋଠାରେ ଚାଲିଥିବା ଡାକ୍ତରଖାନାର ଦୃଶ୍ୟ । ନାହିଁ ଆବଶ୍ୟକୀୟ ବେଡ୍ କି ଆନୁଷଙ୍ଗିକ ଭିତ୍ତିଭୂମି । ଫଳରେ ରୋଗୀଙ୍କୁ ବହୁ ସମୟରେ ତଳେ ଶୋଇବାକୁ ପଡୁଛି । ଉନ୍ନତମାନର ଚିକିତ୍ସା ସେବା ତେଣେ ଥାଉ ମିଳୁନି ପ୍ରାଥମିକ ଚିକିତ୍ସା ସେବା । ସାମାନ୍ୟ ଜ୍ୱର କି ଥଣ୍ଡା ହେଲେ ରୋଗୀଙ୍କୁ ଯିବାକୁ ପଡୁଛି ବୌଦ୍ଧ ହେଉ କି ଫୁଲବାଣୀ । ଡାକ୍ତରଖାନାରେ ନାହାନ୍ତି ଆବଶ୍ୟକୀୟ ଡାକ୍ତର କି ଅନ୍ୟାନ୍ୟ କର୍ମଚାରୀ । ଖାଲି ପଡିଛି ବହୁ ବିଭାଗର ବିଶେଷଜ୍ଞ ପଦବୀ ।
ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏଭଳି ଦୂରାବସ୍ଥା ଦେଖି ତତକାଳୀନ ସରକାର ୯ କୋଟି ଟଙ୍କା ବ୍ୟୟବରାଦରେ ନୂତନ ମେଡିକାଲ କୋଠାର ନିର୍ମାଣ କାମ ଆରମ୍ଭ କରିଥିଲେ । ଏହା ଦ୍ୱାରା ଅଞ୍ଚଳବାସୀଙ୍କୁ ମିଳିଥାନ୍ତା ଉନ୍ନତ ମାନର ଚିକିତ୍ସାସେବା । ହେଲେ ଇତି ମଧ୍ୟରେ ୩ ବର୍ଷ ବିତିଗଲାଣି । ହେଲେ ନୂତନ ମେଡିକାଲ କୋଠାର କାମ ସରିବାର ନାଁ ଧରୁ ନାହିଁ । ନୂତନ ମେଡିକାଲ କୋଠାର ଖୁବଶୀଘ୍ର ଉଦଘାଟନ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟାକୁ ବର୍ଷେ ବିତିଥିଲେ ବି ଏଯାଏଁ ସମ୍ପୂର୍ଣ୍ଣ ହୋଇ ପାରିନି ନୂତନ ମେଡିକାଲ କୋଠା କାମ । ଅନ୍ୟପଟେ ଖୁବ ଶୀଘ୍ର ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଉଦଘାଟନ କରାଯିବ ବୋଲି କହିଛନ୍ତି ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ । ଠିକାଦାରଙ୍କ ମନମାନି କାମ ପାଇଁ ଏବେ ଲୋକେ ଉନ୍ନତ ମାନର ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ଖୁବଶୀଘ୍ର କାମ ସାରି ନୂତନ ମେଡିକାଲ କୋଠାରେ ସ୍ୱାସ୍ଥ୍ୟ ସେବା ତ୍ୱରିତ କରାନଗଲେ ଆନ୍ଦୋଳନ କରାଯିବ ବୋଲି କଡା ଚେତାବନି ଦେଇଛନ୍ତି ଅଞ୍ଚଳବାସୀ ।
