ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ୧୪ ସହର
ଭୁବନେଶ୍ବର: ଅସହ୍ୟ ଶୀତରେ ଥରୁଛି ଓଡ଼ିଶା । ପ୍ରବଳ ଜାଡ଼ ସାଙ୍ଗକୁ ଘନକୁହୁଡ଼ି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ । ଉପକୂଳରୁ ଉପାନ୍ତ, ଉତ୍ତରରୁ ଦକ୍ଷିଣ ସବୁଠି ତଳମୁହାଁ ପାରଦ । ସମତଳ ଅଞ୍ଚଳରେ ୬.୨ ଡିଗ୍ରୀ ସହ ଫୁଲବାଣୀ ସବୁଠାରୁ ଥଣ୍ଡା ସ୍ଥାନ ପାଲଟିଛି । ସେହିପରି ପାର୍ବତ୍ୟାଞ୍ଚଳ ଜି. ଉଦୟଗିରିର ତାପମାତ୍ରା ୫.୨ ଡିଗ୍ରୀ ରେକର୍ଡ ହୋଇଛି ।
୧୦ ଡିଗ୍ରି ତଳେ ରହିଛି ୧୪ ସହରର ତାପମାତ୍ରା । ଆଗାମୀ ୪ଦିନରେ ଦିନର ସର୍ବୋଚ୍ଚ ତାପମାତ୍ରା ୨ରୁ ୩ଡିଗ୍ରୀ ବୃଦ୍ଧି ପାଇବ । ତେବେ ରାତିର ତାପମାତ୍ରା ଅପରିବର୍ତ୍ତିତ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିର ଠାରୁ ୩ରୁ ୫ ଡିଗ୍ରି ତଳେ ରହିଛି ।
ଆସନ୍ତାକାଲି ଅତି ଘନକୁହୁଡ଼ି ପାଇଁ ଦୁଇ ଜିଲ୍ଲା ଜଗତସିଂହପୁର ଓ କେନ୍ଦ୍ରାପଡ଼ାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିପରି ଘନ କୁହୁଡ଼ି ପାଇଁ ୧୭ ଜିଲ୍ଲାକୁ ୟେଲେ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ଶୀତ ଓ ଘନ କୁହୁଡ଼ି ପାଇଁ ସକାଳ ୧୦ଟା ପର୍ଯ୍ୟନ୍ତ ରାସ୍ତାଘାଟ ଖାଁ ଖାଁ ହୋଇଯାଉଛି ।
