ନୂଆପଡ଼ା ଉପନିର୍ବାଚନ ପାଇଁ ଚାଲିଛି ମତଦାନ, ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ପ୍ରାୟ ଅଢେଇ ଲକ୍ଷ ଭୋଟର
ନୂଆପଡ଼ା: ଭୋଟ ଦେଉଛି ନୂଆପଡ଼ା । ନୂଆପଡ଼ା ଉପନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ । ନେତା ବାଛୁନ୍ତି ଜନତା । ମୋଟ ୩୫୮ ବୁଥରେ ଚାଲିଛି ଭୋଟ ଗ୍ରହଣ । ୩୧୧ଟି ବୁଥରେ ସକାଳ ୭ରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ ମତଦାନ ହେଉଛି । ଅବଶିଷ୍ଟ ୪୭ ବୁଥରେ ସକାଳ ୭ରୁ ଅପରାହ୍ଣ ୪ଟା ଯାଏ ଚାଲିବ ଭୋଟିଂ । ୧୪ ପ୍ରାର୍ଥୀଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ । ୩୫୮ ବୁଥରେ ମତଦାନ ସାବ୍ୟସ୍ତ କରିବେ ୨ଲକ୍ଷ ୫୩ ହଜାର ୬୨୪ ଭୋଟର । ସେ ମଧ୍ୟରୁ ପୁରୁଷ ଭୋଟର ସଂଖ୍ୟା ୧ ଲକ୍ଷ ୨୪ ହଜାର ୧୦୮ ଥିବା ବେଳେ ମହିଳା ଭୋଟର ୧ ଲକ୍ଷ ୨୯ ହଜାର ୪୯୫ ।
ନୂଆପଡ଼ା ଏନଏସିରେ ୧୭ଟି, ଖରିଆର ରୋଡ଼ ଏନଏସିରେ ୧୯ଟି, ନୂଆପଡ଼ା ବ୍ଲକରେ ୧୫୭ ଓ କୋମନା ବ୍ଲକରେ ୧୬୫ଟି ବୁଥ୍ କରାଯାଇଛି । ୬ଟି ପିଙ୍କ ବୁଥ୍ କରାଯାଇଛି । ସମସ୍ତ ବୁଥରେ ୱେବ କାଷ୍ଟିଂ ବ୍ୟବସ୍ଥା ହୋଇଥିବା ବେଳେ, ପାନୀୟ ଜଳ ଓ ଅନ୍ୟାନ ସୁବିଧାସୁଯୋଗର ବ୍ୟବସ୍ଥା ବି ହୋଇଛି । ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ ସମାପନ କରିବାକୁ ଜଣେ ଏସପି ଓ ଅତିରିକ୍ତ ଏସପି, ୬ଜଣ ଡିଏସପି, ୯ଇନ୍ସପେକ୍ଟର, ୧୫୧ ଏସଆଇ ଓ ଏଏସଆଇ, ୧୦୩ ହାବିଲଦାର, ୪୭୭ଜଣ କନେଷ୍ଟବଲ, ୧୫୯ ଏପିଆର କନେଷ୍ଟବଲ, ୩୭ ଓଏପିଏଫ, ୨୮୭ଜଣ ଗୃହରକ୍ଷୀ ସମେତ ସିଏପିଏଫ ୧୪ କମ୍ପାନି, ଏସଏପି ୬ପ୍ଲାଟୁନ ୨ସେକ୍ସନ ଯବାନ ନିୟୋଜିତ ହୋଇଛନ୍ତି ।
