ପବିତ୍ର ମାଘ ମାସରେ ପଞ୍ଚରାତ୍ର ବିଶ୍ବ କଲ୍ୟାଣ ମହାଯଜ୍ଞ ଅନୁଷ୍ଠିତ, ଠାକୁରଙ୍କ ୨୪ ବେଶ ଦର୍ଶନ କରୁଛନ୍ତି ଭକ୍ତ
ଗଜପତି: ଦ୍ବିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ପାରଳାଖେମୁଣ୍ଡିରେ ନୂତନ ମନ୍ଦିର ନିର୍ମାଣ କାମ ଜାରି ରହିଥିବା ବେଳେ ଏହି ଅବସସରେ ପବିତ୍ର ମାଘ ମାସରେ ପଞ୍ଚରାତ୍ର ବିଶ୍ବ କଲ୍ୟାଣ ମହାଯଜ୍ଞ ଅନୁଷ୍ଠିତ ହେଉଛି । ଏହା ସହ ଠାକୁରଙ୍କ ୨୪ ପ୍ରକାର ବେଶ ପ୍ରଦର୍ଶନୀ ମଧ୍ୟ କରାଯାଉଛି । ପୁରୀ ଯାଇ ଠାକୁରଙ୍କ ବେଶ ଦର୍ଶନ କରିପାରୁନଥିବା ଶ୍ରଦ୍ଧାଳୁମାନେ ଏଥିରେ ସାମିଲ ହୋଇ ଦର୍ଶନ କରୁଛନ୍ତି । ଏଥିପାଇଁ ପାରଳାଖେମୁଣ୍ଡି ସମେତ ଏହାର ଆଖପାଖ ଅଞ୍ଚଳ ବିଶେଷ କରି ପଡୋଶୀ ଆନ୍ଧ୍ର ପ୍ରଦେଶର ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି । ଫଳରେ ପାଳାଖେମୁଣ୍ଡି ସହରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।
ହିନ୍ଦୁ ଶାସ୍ତ୍ର ଅନୁସାରେ ମାଘ ହେଉଛି ପୂଣ୍ୟମାସ । ଏହାର ସ୍ବତନ୍ତ୍ର ମାହାତ୍ମ୍ୟ ରହିଛି । ଏହି ମାସରେ ପଞ୍ଚରାତ୍ର ବିଶ୍ବକଲ୍ୟାଣ ମହାଯଜ୍ଞ ଅନୁଷ୍ଠିତ ହେବା ନିଶ୍ଚିତ ଭାବେ ପାରଳାଖେମୁଣ୍ଡିର ପରିବେଶକୁ ଆହୁରି ଆଧ୍ୟାତ୍ମିକତାରେ ଭରି ଦେଇଛି । ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର ନିର୍ମାଣ କାମ ଜାରି ରହିଥିବା ବେଳେ ଏଭଳି ଯଜ୍ଞ ଆୟୋଜନ କରାଯାଇଛି । କେବଳ ସେତିକି ନୁହେଁ, ଏହି ଅବସରରେ ଠାକୁରଙ୍କ ୨୪ ବେଶ ପ୍ରଦର୍ଶନୀ ମଧ୍ୟ ଅନୁଷ୍ଠିତ ହୋଇଛି । କେବଳ ସେତିକି ନୁହେଁ, ପ୍ରତିଦିନ ସନ୍ଧ୍ୟାରେ ପ୍ରବଚନ ଓ ଭଜନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେଉଥିବାରୁ ଲୋକେ ତାର ମଧ୍ୟ ଆନନ୍ଦ ନେଉଛନ୍ତି ।
ଜଗନ୍ନାଥ ପଞ୍ଚରାତ୍ର ବିଧାନ ଅନୁସାରେ ଏହି ଯଜ୍ଞ ଚାଲିଛି । ସ୍କନ୍ଧ ପୁରାଣ ଅନୁସାରେ ଜଗନ୍ନାଥଙ୍କ ଆବିର୍ଭାବ ସଂପର୍କରେ ପ୍ରବଚନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେଉଛି ବୋଲି କହିଛନ୍ତି ଏହାର ମୁଖ୍ୟ ପୂଜକ ସୁଦର୍ଶନ ତ୍ରିପାଠୀ । ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏହି ଅବସରରେ ବିଶ୍ବ କଲ୍ୟାଣ ପଞ୍ଚରାତ୍ର ଯଜ୍ଞ କରାଯାଇଛି । ଏହା ଦ୍ବାରା ନିଶ୍ଚିତ ଭାବେ ଜଗତ କଲ୍ୟାଣ ହେବା ସହ ମନ୍ଦିର ନିର୍ମାଣ କାର୍ଯ୍ୟ ମଧ୍ୟ ସୁରୁଖୁରରେ ଚାଲିବ ବୋଲି ଆଶା ପ୍ରକାଶ କରିଛନ୍ତି ଏହାର ଆୟୋଜକ । ମାଘ ଭଳି ପବିତ୍ର ମାସରେ ବିଶ୍ବ ଶାନ୍ତି ମହାଯଜ୍ଞ ଏବଂ ଠାକୁରଙ୍କ ବେଶ ଦର୍ଶନ ସହ ପ୍ରବଚନ ଓ ପାରାୟଣ ଶ୍ରବଣ କରି ଲୋକେ ବେଶ ଆନନ୍ଦ ଅନୁଭବ କରୁଛନ୍ତି ।
