ପରୀକ୍ଷା ଚାଲିଥିବା ବେଳେ ମୋବାଇଲ୍ ଓ ସ୍କୁଟର ଚୋରି, ୩ ଗିରଫ
ଭୁବନେଶ୍ବର: ପରୀକ୍ଷା ସେଣ୍ଟର ଥିଲା ମୋବାଇଲ୍ ଚୋରଙ୍କ ଟାର୍ଗେଟ୍ । ପରୀକ୍ଷା ଦେଉଥିବା ବେଳେ ପରୀକ୍ଷାର୍ଥୀଙ୍କ ମୋବାଇଲ୍ ଓ ବାଇକ୍ ଚୋରି । ଏଭଳି ଏକ ମୋବାଇଲ୍ ଚୋର ଗ୍ୟାଙ୍ଗକୁ ମାଡ଼ି ବସିଛି ଭୁବନେଶ୍ବର ଇନଫୋସିଟି ଥାନା ପୋଲିସ । ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଜବତ ହୋଇଛି ଚୋରି ସ୍କୁଟର ସହ ୨୬ଟି ମୋବାଇଲ୍ । ଖାଲି ମୋବାଇଲ୍ ନୁହେଁ, ୪୩ଟି ମୋବାଇଲ୍ ଡିସପ୍ଲେ ଓ ୪୮ଟି ମଦରବୋର୍ଡ ମଧ୍ୟ ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଦୁଷ୍ମନ୍ତ ସୁବୁଦ୍ଧି, ରାକେଶ କୁମାର ସାହୁ ଓ ମାନସ ବେହେରା । ନିଟ୍ PG ପରୀକ୍ଷା ଦେବାକୁ ପଟିଆସ୍ଥିତ ଆନ୍ଥେମ୍ ଗ୍ଲୋବାଲ, IDZIକୁ ଆସିଥିଲେ ଡାକ୍ତର ଶୁଭମୟ ବେରା ।
ପରୀକ୍ଷା ସମୟରେ ତାଙ୍କ ହୋଣ୍ଡା ଆକ୍ଟିଭା ସ୍କୁଟର ଓ ମୋବାଇଲ୍ ଚୋରି ହୋଇଥିଲା । ଏନେଇ ଇନ୍ ଫୋସିଟି ଥାନାରେ ମାମଲା ପରେ ଆରମ୍ଭ ହୋଇଥିଲା ତଦନ୍ତ । ତଦନ୍ତରେ ୩ ଅଭିଯୁକ୍ତଙ୍କୁ ଧରିବା ସହ ଚୋରି ସ୍କୁଟର ଓ ମୋବାଇଲ୍ ଜବତ କରିଛି ପୋଲିସ । ଦୁଷ୍ମନ୍ତଙ୍କଠାରୁ ୨ଟି ମୋବାଇଲ୍, ରାକେଶଙ୍କଠାରୁ ୧୮ଟି ମୋବାଇଲ୍, ୪୩ଟି ଡିସପ୍ଲେ ଓ ୪୮ଟି ମଦରବୋର୍ଡ ଏବଂ ମାନସଠାରୁ ୬ଟି ମୋବାଇଲ୍ ଜବତ ହୋଇଛି । ଅନଲାଇନ ପରୀକ୍ଷା କେନ୍ଦ୍ରକୁ ଟାର୍ଗେଟ୍ କରି ଏମାନେ ଏଭଳି ଚୋରି କରୁଥିଲେ କି ନାହିଁ, ଏହା ପଛରେ ଆଉ କୌଣସି ଗ୍ୟାଙ୍ଗର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ଖୋଳତାଡ଼ ଜାରି ରଖିଛି ଇନଫୋସିଟି ପୋଲିସ୍ ।
