ପାଖେଇ ଆସିଲାଣି ପାର୍ବଣ ଋତୁ, କାରିଗରରେ ହାତ ସ୍ପର୍ଶରେ ଜୀବନ୍ତ ହେଉଛିି ମୂର୍ତ୍ତି
ପାଖେଇ ଆସିଲାଣି ପାର୍ବଣ ଋତୁ । ପାର୍ବଣ ଋତୁ ପାଇଁ ଚଳଚଞ୍ଚଳ ସାରା ରାଜ୍ୟ । ଗାଁରୁ ସହର ହୋଇ ଉଠିଛି ଉତ୍ସବ ମୁଖର । ଚଳଚଞ୍ଚଳ ହୋଇଉଠିଛନ୍ତି ମୂର୍ତ୍ତି କାରିଗର । କାରିଗରର ହାତ ସ୍ପର୍ଶରେ ଜୀବନ୍ତ ହେଉଛିି ମୂର୍ତ୍ତି । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଭାଲୁଖାଇ ଗାଁରେ ମୂର୍ତ୍ତି ଗଢିବାରେ ବ୍ୟସ୍ତ କାରିଗର । ଅଗ୍ରପୂଜ୍ୟ ଶ୍ରୀଗଣେଷଙ୍କ ମୂର୍ତ୍ତି ତିଆରିରେ ନିମଗ୍ନ କାରିଗର । ମୂର୍ତ୍ତି କାରିଗରଙ୍କ ହାତକୁ ଜମାରୁ ଫୁରସତ ନାହିଁ । ସବୁଠି ଚାଲିଛି ବିଘ୍ନନାଶକଙ୍କ ମୂର୍ତ୍ତି ଗଢା । କିଏ ମାଟି ଚକଟି ଛଣ ବାନ୍ଧୁଛି ତ କିଏ ତୁଳୀରେ ରଙ୍ଗ କରିବାରେ ବ୍ୟସ୍ତ ।
ଗତ ୪ମାସ ଅର୍ଥାତ ମେ ମାସରୁ ଆରମ୍ଭ ହୋଇଥିବା ଏହି ମୂର୍ତ୍ତି ତିଆରି କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଥମେ ମୂର୍ତ୍ତିଗୁଡିକର ଚାଞ୍ଚ ବନ୍ଧାଯାଇ ଏକମାଟିଆ କରାଯାଇ ପରେ ଦୋ ମାଟିଆ କରାଯିବା ପରେ ମୂର୍ତ୍ତି ଗୁଡିକରେ ରଙ୍ଗ ଦେବା ଆରମ୍ଭ ହୋଇଯାଇଛି । ପୂଜାକୁ ଆଉ ମାତ୍ର ଅଳ୍ପ ଦିନ ରହିଥିବା ବେଳେ ମୂର୍ତ୍ତି ତିଆରି କାର୍ଯ୍ୟ ସାରିବା ପାଇଁ କାରିଗର ମାନେ ଦିନରାତି ଏକ କରିଦେଇଛନ୍ତି । ଏପଟେ ଚଳିତ ବର୍ଷ କାରିଗରଙ୍କ ଦ୍ୱାରା ନୂଆ ନୂଆ ଡିଜାଇନର ମୂର୍ତ୍ତି ତିଆରି ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି ।
ଏଠାରେ ବିଭିନ୍ନ ସ୍ଥାନରୁ ଅର୍ଡର ରଖାଯାଇ ମୂର୍ତ୍ତି ତିଆରି କରାଯାଉଥିବା ବେଳେ ଜିଲ୍ଲା ତଥା ଜିଲ୍ଲା ବାହାରର ବିଭିନ୍ନ ସ୍ଥାନକୁ ମୂର୍ତି ବିକ୍ରି କରାଯାଉଛି । ଛୋଟ ମୂର୍ତି ଅର୍ଥାତ ଏକ ଫୁଟ ମୂର୍ତ୍ତି ଠାରୁ ଆରମ୍ଭ କରି ଚଳିତ ବର୍ଷ ୧୨/୧୪ଫୁଟ ଉଚ୍ଚତା ପର୍ଯ୍ୟନ୍ତ ମୂର୍ତ୍ତି ତିଆରି କରାଯାଉଛି । ଛୋଟରୁ ବଡ ମୂର୍ତ୍ତି ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ଦର ମଧ୍ୟ ରହିଛି । ଆଗକୁ ଗଣେଷ ପୂଜା, ବିଶ୍ୱକର୍ମା ପୂଜା ସହ ଖୁଦୁରୁକୁଣୀ ଓଷା ରହୁଥିବାରୁ ମୂର୍ତ୍ତି କାର୍ଯ୍ୟ ଶେଷ କରିବାକୁ କାରିଗରମାନେ ଲାଗିପଡିଛନ୍ତି ।
ବିଶେଷ କରି ଭାଲୁଖାଇ ଗାଁ କାରିଗରମାନଙ୍କ ନିଖୁଣ କାରିଗରି ଯୋଗୁ ଏଠାକାର ମୂର୍ତ୍ତିର ସ୍ୱତନ୍ତ୍ର ଚାହିଦା ରହିଛି । ଯେଉଁଥିପାଇଁ ବିଭିନ୍ନ ସ୍କୁଲ, କଲେଜ, କ୍ଳବ, ସ୍ବେଛାସେବୀ ସଂଗଠନ ସହ ପୂଜା କମିଟିର କର୍ମକର୍ତ୍ତାମାନେ ଏଠାରୁ ମୂର୍ତ୍ତି ନେବାକୁ ପସନ୍ଦ କରିଥାନ୍ତି । ଏପଟେ ନିଜର କୌଳିକ ବୃତ୍ତିକୁ ବଞ୍ଚାଇ ରଖିବାକୁ ଯାଇ ପିଢ଼ି ପରେ ପିଢ଼ି ଅନୁଯାୟୀ କାରିଗରମାନେ ଏହି ବ୍ୟବସାୟ କରି ନିଜର ପରିବାର ପ୍ରତିପୋଷଣ କରିଆସୁଛନ୍ତି । ଏ କାରିଗରଙ୍କ ତୁଳୀର ସ୍ପର୍ଶରେ ଜୀବନ୍ତ ଲାଗୁଛି ପ୍ରଭୁ ଗଣେଷଙ୍କ ମୂର୍ତ୍ତି ।
