ପାଙ୍ଗୋଙ୍ଗ ହ୍ରଦ ନିକଟରେ ଚୀନ୍ର ଷଡ଼ଯନ୍ତ୍ର!: ସାଟେଲାଇଟ୍ ଚିତ୍ରରୁ ସତ୍ୟ ପ୍ରକାଶ
ବେଜିଂ: ନୂତନ ସାଟେଲାଇଟ୍ ଚିତ୍ରରୁ ଜଣାପଡ଼ିଛି ଯେ, ଚୀନ୍ ପୂର୍ବ ଲଦାଖର ପାଙ୍ଗୋଙ୍ଗ ହ୍ରଦ ନିକଟରେ ଏଚକ୍ୟୁ-୧୬ ବାୟୁ ପ୍ରତିରକ୍ଷା ପ୍ରଣାଳୀ ମୁତୟନ କରିଛି। ଏହି ପ୍ରଣାଳୀ ଏହାର ମଡେଲ ଉପରେ ନିର୍ଭର କରି ୪୦ ରୁ ୭୦ କିଲୋମିଟର ଦୂରତାରେ ଶତ୍ରୁ ପକ୍ଷର ଆକାଶ ମାର୍ଗକୁ ଟାର୍ଗେଟ କରିବାର କ୍ଷମତା ରଖିଛି।ଚିତ୍ରରେ ଏଚକ୍ୟୁ-୧୬ ମୋବାଇଲ୍ ଲଞ୍ଚ ପ୍ଲାଟଫର୍ମରେ ରଖାଯାଇଥିବା ମଧ୍ୟ ସ୍ପଷ୍ଟ ଭାବରେ ଦେଖାଯାଉଛି। ଏହି ପଦକ୍ଷେପ ଅଞ୍ଚଳର ରଣନୈତିକ ସନ୍ତୁଳନକୁ ପ୍ରଭାବିତ କରିପାରେ ଏବଂ ଭାରତୀୟ ସୁରକ୍ଷା ଏଜେନ୍ସିଗୁଡ଼ିକ ଏହା ଉପରେ କଡ଼ା ନଜର ରଖିଛନ୍ତି।ଏଚକ୍ୟୁ-୧୬ହେଉଛି ରୁଷିଆର ବିୟୁକେ ସିଷ୍ଟମର ପ୍ରଯୁକ୍ତିବିଦ୍ୟା ଉପରେ ଆଧାରିତ ଚୀନ୍ ଦ୍ୱାରା ବିକଶିତ ଏକ ମଧ୍ୟମ ଦୂରଗାମୀ ଭୂପୃଷ୍ଠରୁ ଆକାଶ ମାର୍ଗକୁ ଲକ୍ଷ୍ୟଭେଦ କରାଯାଉଥିବା କ୍ଷେପଣାସ୍ତ୍ର ପ୍ରଣାଳୀ।
ଏହି ସିଷ୍ଟମଟି ଭିନ୍ନ ଭିନ୍ନ ସ୍ଥାନରେ ୪୦ ରୁ ୭୦କିଲୋମିଟର ଦୂରତାରେ ଆକାଶ ମାର୍ଗରେ ଲକ୍ଷ୍ୟଭେଦ କରିପାରିବ। ଏହା ଉଚ୍ଚ ଉଚ୍ଚତାରେ ଉଡୁଥିବା ଲକ୍ଷ୍ୟଭେଦକୁ ଟ୍ରାକିଂ ଏବଂ ଧ୍ୱଂସ କରିବାରେ ମଧ୍ୟ ସକ୍ଷମ। ଏହି ସିଷ୍ଟମ ଏକକାଳୀନ ଲଢୁଆ ବିମାନ, ହେଲିକପ୍ଟର, କ୍ରୁଜ୍ ମିସାଇଲ୍, ଡ୍ରୋନ୍ ଏବଂ କିଛି ପ୍ରକାରର ସଠିକ୍ ନିର୍ଦ୍ଦେଶିତ ଯୁଦ୍ଧାସ୍ତ୍ର ଭଳି ଅନେକ ଲକ୍ଷ୍ୟଭେଦ ଏବଂ ଟ୍ରାକିଂ କରିପାରିବ ବୋଲି କୁହାଯାଉଛି।
ଏହି କ୍ଷେପଣାସ୍ତ୍ରର ପ୍ରକ୍ଷେପଣ ପ୍ରକ୍ରିୟା ଦ୍ରୁତ, ଯାହା ଏହାକୁ ହଠାତ୍ ବାୟୁ ଆକ୍ରମଣ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାର କ୍ଷମତା ପ୍ରଦାନ କରେ। ଏଚକ୍ୟୁ-୧୬କୁ ଅନ୍ୟ ରାଡାର, କମାଣ୍ଡ ସେଣ୍ଟର ଏବଂ ପ୍ରତିରକ୍ଷା ନେଟୱାର୍କ ସହିତ ସଂଯୋଗ କରାଯାଇପାରିବ, ଯାହା ଏକ ବୃହତ ବାୟୁ ପ୍ରତିରକ୍ଷା ପ୍ରଣାଳୀ ପ୍ରଦାନ କରିବାକୁ ସକ୍ଷମ ହେବ। ଚୀନ୍ର ପାଙ୍ଗୋଙ୍ଗ ହ୍ରଦ ନିକଟରେ ଏହି ନିୟୋଜନକୁ ଭାରତ ଉପରେ ରଣନୈତିକ ଚାପ ପକାଇବାର ଏକ ପ୍ରୟାସ ବୋଲି ବିବେଚନା କରାଯାଉଛି।
