ପ୍ରଥମ ଥର ୨୨ ଫୁଟର ଗଣେଶ ମୂର୍ତ୍ତି, ଦେଖିବାକୁ ଜମୁଛି ଭକ୍ତଙ୍କ ଭିଡ଼

ବାରଙ୍ଗ: ୨୨ ଫୁଟ୍ ଉଚ୍ଚର ଗଣେଶ ମୂର୍ତ୍ତି । ପ୍ରଥମ ଥର ବାରଙ୍ଗର ସାଇନ୍ ହାର୍ଟ କ୍ଲବ ନିର୍ମାଣ ହୋଇଛି ଏତେ ବଡ଼ ଗଣେଶ ମୂର୍ତ୍ତି । ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି । ବାରଙ୍ଗ ଅଞ୍ଚଳର ଦାଢ଼ା ଗାଁ ସ୍ଥିତ ସାଇନ୍ ହାର୍ଟ କ୍ଲବ୍ ପକ୍ଷରୁ ନିଆରା ଢଙ୍ଗରେ ବିଘ୍ନ ବିନାଶକଙ୍କ ପୂଜା ଆୟୋଜନ କରାଯାଉଛି । ଦୀର୍ଘ ୧୬ ବର୍ଷ ଧରି ଅନୁଷ୍ଠାନ ପକ୍ଷରୁ ଗଣେଶ ପୂଜା ଆୟୋଜନ କରାଯାଉଥିବା ବେଳେ ଚଳିତ ବର୍ଷ ୨୨ ଫୁଟର ଗଣେଶ ମୂର୍ତ୍ତି ନିର୍ମାଣ କରିଛି କ୍ଲବ୍ । ଯାହା ବାରଙ୍ଗ ଅଞ୍ଚଳରେ ବେଶ୍ ଚର୍ଚ୍ଚାରେ ରହିଛି । ବାଲିପାଟଣାରୁ ମୂର୍ତ୍ତି କାରିଗର ଡକାଇ ଏଭଳି ନିଆରା ଢଙ୍ଗରେ ଇକୋ ଫ୍ରେଣ୍ଡଲି ମୂର୍ତ୍ତି ନିର୍ମାଣ କରିଛନ୍ତି ।

ଚତୁର୍ଭୁଜ ଗଣେଶଙ୍କ ଭବ୍ୟ ମୂର୍ତ୍ତି ଦେଖିବାକୁ ବେଶ୍ ମନୋଲୋଭା ହୋଇଛି । ଗୋଟିଏ ହାତରେ ଗଦା ଅନ୍ଯ ହାତରେ ପଦ୍ମ ଆଉ ଗୋଟିଏ ହାତରେ ଅସ୍ତ୍ର ଧରିଥିବା ବେଳେ ଡାହାଣ ମୁଖ୍ୟ ହାତରେ ଆଶୀର୍ବାଦ ପ୍ରଦାନ କରୁଛନ୍ତି । ଆଧୁନିକ ଯୁଗରେ ପରମ୍ପରା, ସଂସ୍କୃତି ଓ ସରକାରୀ କଟକଣାକୁ ମାନି ସାଇନ୍ ହାର୍ଟ କ୍ଲବ୍ ଏହି ନିଆରା ଗଣେଶ ମୂର୍ତ୍ତି ନିର୍ମାଣ କରି ପୂଜା କରିବାକୁ ଯାଉଛନ୍ତି । ଆସନ୍ତା ୨୦ ତାରିଖରେ ଗଣେଶଙ୍କୁ ବିସର୍ଜନ କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି । ଭସାଣ ଶୋଭାଯାତ୍ରାରେ ସାମିଲ ନ ହୋଇ ସେହି ଅର୍ଥରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି ।

Spread the love