ବନ୍ୟା ପାଣି ଅଟକାଇ ପାରିଲାନି ବାହାଘର, ଡଙ୍ଗାରେ ବସି ବାହା ହେବାକୁ ଗଲେ ବର
ମୟୁରଭଞ୍ଜ: ବନ୍ୟା ପାଣି ଅଟକାଇ ପାରିଲାନି ବାହାଘର । ଡଙ୍ଗାରେ ବସି ବାହା ହେବାକୁ ଗଲେ ବର । ଗୋଟିଏ ପଟେ ଅଦିନିଆ ବର୍ଷା ଲାଗି ରହିଥିବା ବେଳେ ଅନ୍ୟପଟେ ଦାଉ ସାଧୁଛି ବନ୍ୟା । ଏହି ସମୟରେ ବନ୍ୟା ଘେରରେ ରହିଛନ୍ତି ଅନେକ ଲୋକ । ତେବେ ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଶୀର୍ଷା ଗ୍ରାମ ପଞ୍ଚାୟତ ଅଧିନ ନେଦା ଗ୍ରାମ ପାଣି ଘେରରେ ଥିବା ବେଳେ ଅନେକ ଲୋକଙ୍କ ଘରେ ପାଣି ପଶିଯାଇଛି । ଫଳରେ ଲୋକଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ।
ଏଭଳି ସ୍ଥିତିରେ ବି ଲୋକମାନେ ନିଜ ଖୁସିକୁ କମ୍ କରିବାକୁ ଚାହୁଁନାହାନ୍ତି । ବନ୍ୟା ବିଭିଷୀକାରେ ବି ଲୋକମାନେ ବିବାହ କରୁଥିବା ଦେଖିବାକୁ ମିଳିଛି । ଜଣେ ବର ବନ୍ୟା ପାଣିରେ ଡଙ୍ଗାରେ ବସି କନିଆଁ ଘରକୁ ବର ବେଶ ସାଜି ବିବାହ କରିବାକୁ ଯାଉଥିବା ଦେଖିବାକୁ ମିଳିଛି । କିନ୍ତୁ ବରଯାତ୍ରୀ କୂଳରେ ଛିଡା ହୋଇ ବାରକୁ ଅପେକ୍ଷା କରିଛନ୍ତି ବରଯାତ୍ରୀ ଯିବା ପାଇଁ । ଏହି ବର ଓ ବରଯାତ୍ରୀ ନେଦା ଗାଁରୁ ବାହାରିଛନ୍ତି ଝାରଖଣ୍ଡ ଟାଟା ନଗର ଯିବାପାଇଁ । ଯାହାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି ।
ବନ୍ୟା ଯୋଗୁ କେତେକ ସ୍ଥାନରେ ଅଣ୍ଟା ଲେଖାଏଁ ପାଣି ଥିବା ବେଳେ ତ ଆଉ କେତେକ ସ୍ଥାନରେ ଆଣ୍ଠୁ ଲେଖାଏଁ ପାଣି ଜମି ରହିଥିଲା । ଏଭଳି ପରିସ୍ଥିତିରେ ବରଯାତ୍ରୀ କେତେବେଳେ ଚାଲି ଚାଲି ତ ଆଉ କେତେବେଳେ ଡଙ୍ଗା ସାହାଯ୍ୟରେ ବରଙ୍କୁ କନ୍ୟା ଘରକୁ ନେବା ପାଇଁ ବ୍ୟସ୍ତ । ଅନ୍ୟପଟେ ଟାଟାରେ ବର ଯାତ୍ରୀ ପହଞ୍ଚି ଥିବା ବେଳେ ସେଠାରେ ମଧ୍ୟ ବନ୍ୟା ପରିସ୍ଥିତି ଥିବାରୁ ଏକ ମନ୍ଦିରରେ ବିବାହ କରି କରି ଘରକୁ ଫେରିଛନ୍ତି ନବ ବିବାହିତ ଦମ୍ପତି ।
