ବାୟୁ ପ୍ରଦୂଷଣ ପ୍ରସଙ୍ଗ ବିରୋଧୀ ଦଳଙ୍କ ଜୋର୍ଦାର ପ୍ରତିବାଦ
ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନର ଆଜି ଚତୁର୍ଥ ଦିନରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ଉତ୍ତର ଭାରତରେ ଭୟଙ୍କର ବାୟୁ ପ୍ରଦୂଷଣକୁ ନେଇ ବିରୋଧୀ ଦଳମାନେ ତୀବ୍ର ପ୍ରତିବାଦ କରିଛନ୍ତି। ଦିଲ୍ଲୀ-ଏନ୍ସିଆର ଓ ଉତ୍ତର ଭାରତର ଅନେକ ସହରରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୦୦ ଅତିକ୍ରମ କରି ‘ଗମ୍ଭୀର’ ସ୍ତରରେ ରହିଥିବା ବେଳେ କଂଗ୍ରେସ ଏହାକୁ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଜରୁରୀ ସ୍ଥିତି ଘୋଷଣା କରିବାକୁ ଦାବି କରିଛି। ଆଜି ବିରୋଧୀ ଦଳ ସାଂସଦମାନେ ଗ୍ୟାସ୍ ମାସ୍କ ପିନ୍ଧି ସଂସଦ ପରିସରରେ ପ୍ରତିବାଦ କରିଛନ୍ତି । ଉଭୟ ଗୃହରେ ପ୍ରଦ୍ଵଷଣକୁ ନେଇ ପ୍ରତିବାଦ ଯୋଗୁଁ ସ୍ବାଭାବିକ କାର୍ଯ୍ୟ ସଂଚାଳନରେ ମଧ୍ୟ ବାଧା ଉପୁଜିଥିଲା। ଲୋକସଭାରେ କଂଗ୍ରେସ ପ୍ରଦୂଷଣ ପ୍ରସଙ୍ଗ ଉଠାଇ ମୁଲତବି ପ୍ରସ୍ତାବ ଦେଇଥିବା ବେଳେ ବରିଷ୍ଠ ସାଂସଦମାନେ ସରକାରଙ୍କ ନିଷ୍କ୍ରିୟତାକୁ କଡ଼ା ସମାଲୋଚନା କରିଥିଲେ। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗ୍ୟାସ୍ ମାସ୍କ ପିନ୍ଧି ସଂସଦରେ ପହଞ୍ଚି କହିଥିଲେ ଯେ ‘ଏହା ରାଜନୀତିକ ପ୍ରଶ୍ନ ନୁହେଁ, ଏହା ଉତ୍ତର ଭାରତର ଲୋକଙ୍କ ଜୀବନ-ମରଣର ବିଷୟ। ଦିଲ୍ଲୀରେ ଲୋକେ ଶ୍ୱାସ ନେବାରେ ଅସୁବିଧା ହେଉଛି, ସ୍କୁଲ ବନ୍ଦ ହେଉଛି ଏବଂ ହସ୍ପିଟାଲରେ ଶ୍ୱାସକ୍ରିୟା ସମ୍ବନ୍ଧୀୟ ରୋଗୀଙ୍କ ସଂଖ୍ୟା ବଢ଼ିଚାଲିଛି। ସରକାର ଗମ୍ଭୀର ହେଉନାହାନ୍ତି।’ କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ସଂସଦ ପରିସରରେ ଅନୁଷ୍ଠିତ ପ୍ରତିବାଦ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି, ‘ଏହା ସରକାରଙ୍କ ଦାୟିତ୍ୱ। ଶିଶୁମାନଙ୍କ ଜୀବନ ଯାଉଛି ଏବଂ ବୟସ୍କ ଲୋକମାନେ ଗମ୍ଭୀର ଭାବେ ପ୍ରଭାବିତ ହେଉଛନ୍ତି। ସେମାନେ ଶ୍ୱାସ ନେଇ ପାରୁନାହାନ୍ତି।
କଂଗ୍ରେସ ସଭାପତି ତଥା ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ସରକାରଙ୍କ ଅର୍ଥନୀତି ପରିଚାଳନାକୁ ସମାଲୋଚନା କରିଛନ୍ତି ଏବଂ ଟଙ୍କାର ମୂଲ୍ୟ ହ୍ରାସକୁ ରାଷ୍ଟ୍ରୀୟ ଅବସ୍ଥାର ପ୍ରତିଫଳନ ବୋଲି କହିଛନ୍ତି। ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ସୁଲତା ଦେଓ ବିଜେପିକୁ କଟାକ୍ଷ କରି କହିଛନ୍ତି, ‘ବିଜେପିର ‘୪୦୦ ପାର୍’ ସ୍ଲୋଗାନ ପୂରଣ ହୋଇଛି କାରଣ ଦିଲ୍ଲୀର ଏକ୍ୟୁଆଇ ୪୦୦ ଅତିକ୍ରମ କରିଛି। ଏହା ଶିଶୁ ଓ ବୟସ୍କଙ୍କୁ ପ୍ରଭାବିତ କରୁଛି ଏବଂ ଦେଶବ୍ୟାପୀ ଶ୍ବାସଜନିତ ରୋଗ ବଢ଼ାଉଛି।’ ଆଜି ପ୍ରଦୂଷଣ ପ୍ରସଙ୍ଗରେ ବିରୋଧୀ ଦଳ ସାଂସଦଙ୍କ ତୀବ୍ର ପ୍ରତିବାଦ ଯୋଗୁଁ ରାଜ୍ୟସଭା ୨ଟା ପର୍ଯ୍ୟନ୍ତ ମୁଲତବି ରହିଥିଲା।
ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ‘ସ୍ବାସ୍ଥ୍ୟ ନିରାପତ୍ତା ଓ ଜାତୀୟ ନିରାପତ୍ତା ସେସ୍ ବିଲ୍, ୨୦୨୫’ ଉପସ୍ଥାପନ କରିଛନ୍ତି। ଏହି ବିଲ୍ରେ ପାନ ମସଲା, ଗୁଟଖା ଓ ଅନ୍ୟ ନିକୋଟିନ୍-ଯୁକ୍ତ ଉତ୍ପାଦନରେ ବ୍ୟବହୃତ ଯନ୍ତ୍ରପାତି ଉପରେ ସେସ୍ ଲଗାଇ ରାଷ୍ଟ୍ରୀୟ ସୁରକ୍ଷା ଓ ସାର୍ବଜନିକ ସ୍ୱାସ୍ଥ୍ୟ ଖର୍ଚ୍ଚ ପାଇଁ ଅର୍ଥ ସଂଗ୍ରହ କରିବା ପ୍ରାବାଧାନ ରହିଛି। ତେବେ କଂଗ୍ରେସ ସାଂସଦମାନେ ଏହି ବିଲ୍କୁ ସମାଲୋଚନା କରି ଏହା ଦେଶପାଇଁ ବିଶେଷ ଫାଇଦା ଆଣିବ ନାହିଁ ବୋଲି କହିଛନ୍ତି। ରାଜ୍ୟସଭାରେ ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚଢ଼ା ବୀମା କମ୍ପାନୀ ଓ ଘରୋଇ ହସ୍ପିଟାଲର ଶୋଷଣ ପ୍ରସଙ୍ଗ ଉଠାଇ ସରକାରକୁ ସମାଲୋଚନା କରିଛନ୍ତି।
