ବୃଦ୍ଧ ବାପାଙ୍କ ଦୀର୍ଘାୟୁ କାମନା କରି ଚାଲିଛି ହୋମଯଜ୍ଞ
ପଟ୍ଟାମୁଣ୍ଡାଇ : ବୃଦ୍ଧ ବୟସରେ ସାହାରା ପାଲଟେ ପୁଅ,ଝିଅ । ସବୁ ବାପା ମାଆ ପୁଅଟେ ଜନ୍ମ କରି ଆଶା ରଖିଥାନ୍ତି ଯେ ବୟସର ଅପରାହ୍ନରେ ସାହା ହେବ ସେଥିରେ ତାଙ୍କ ବାକି ଜୀବନ କଟିଯିବ । ନାତି ନାତୁଣୀଙ୍କ ମୁହଁ ଦେଖି ଜୀବନଟା ପାର ହେଇଯିବ । ନାତି, ନାତୁଣୀଙ୍କ ସହ ଖେଳକୁଦରେ ସମୟ ବିତିଯିବ ।
କିନ୍ତୁ ଆଜିର ସଭ୍ୟ ସମାଜର କିଛି ପିଲାମାନେ ପଥଭ୍ରଷ୍ଟ, ନିଜର ଜନ୍ମକଲା ବାପା ମାଆଙ୍କୁ ବୃଦ୍ଧ ବୟସରେ ତାଙ୍କ ପ୍ରତି ଅତ୍ୟାଚାର କରିବା ନଜିର ରହିଛି । ସେହି ବୃଦ୍ଧ ମାଆ ବାପାଙ୍କ ସାହାରା ହୋଇଥାଏ ବୃଦ୍ଧାଶ୍ରମ ବା ଜରାନିବାସ । ଯେଉଁ ବାପା ମାଆ ପୁଅକୁ ଛୋଟରୁ ବଡ଼ କରି ନିଜେ ନଖାଇ ନପିଇ, ଦୁଃଖ ଯନ୍ତ୍ରଣାରେ ରହି ପିଲାମାନଙ୍କ ଅଳି ଅର୍ଦ୍ଦଳି ପୁରଣ କରିଥାଏ ସେହି ପୁଅ ବଡ ହୋଇ ପାଠପଢି ଚାକିରି କରିବା ପରେ ବୃଦ୍ଧ ମାଆ ବାପାଙ୍କୁ ଘରୁ ବାହାର କରି ଦେଇଥାଏ ।
ଏହାରି ଭିତରେ ଏମିତି ଏକ ଚିତ୍ର ଦେଖିବାକୁ ମିଳିଛି ଯାହା ସମସ୍ତଙ୍କ ହୃଦୟକୁ ଛୁଇଁଯାଇଛି । ୯୩ ବର୍ଷର ବାପାଙ୍କ ଜନ୍ମଦିନ ଅବସରରେ ପୁଅ ଝିଅ ମାନେ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି । ଏମିତି ଏକ ନିଆରା ଜନ୍ମଦିନ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ । ବାପାଙ୍କ ଦୀର୍ଘାୟୁ କାମନା ପାଇଁ କରାଯାଇଛି ହୋମ ଯଜ୍ଞ ।
ପଟ୍ଟାମୁଣ୍ଡାଇ ବ୍ଲକ୍ ସାନମୂଳୁବସନ୍ତ ଗାଁର ୯୩ ବର୍ଷୀୟ ବୃଦ୍ଧ ମଧୁସୂଦନ ପାତ୍ରଙ୍କର ଜନ୍ମଦିନକୁ ଖୁବ ଧୂମଧାମରେ ପାଳନ କରୁଛନ୍ତି ତାଙ୍କ ପୁଅ ଝିଅ,ନାତି ନାତୁଣୀ ଓ ଜ୍ୱାଇଁ ମାନେ । ସମସ୍ତେ ଏକାଠି ହୋଇ ପରିବାରର ଏକ ପ୍ରମୁଖ ପର୍ବ ଭାବେ ପାଳନ କରିଆସୁଛନ୍ତି ତାଙ୍କ ବାପାଙ୍କ ଜନ୍ମଦିନକୁ ।
