ମୋବାଇଲରୁ ଦିନ ଆରମ୍ଭ କରିବା ହୋଇପାରେ କ୍ଷତିକାରକ, ଜାଣନ୍ତୁ କାହିଁକି

ସକାଳୁ ଉଠିବା ମାତ୍ରେ ଅନେକ ଲୋକଙ୍କର ଗରମ ପାଣି ପିଇବା କିମ୍ବା ବ୍ୟାୟାମ କରିବା ଭଳି ଭଲ ଅଭ୍ୟାସ ଥାଏ । ମାତ୍ର ଏହା ସହିତ ଆଜିକାଲି ପ୍ରାୟ ପ୍ରତ୍ୟେକ ବ୍ୟକ୍ତିଙ୍କଠାରେ ଆଉ ଏକ ଅଭ୍ୟାସ ଦେଖିବାକୁ ମିଳୁଛି, ଯାହାକୁ ସମସ୍ତେ ସାଧାରଣ ଭାବି ଅଣଦେଖା କରିଦିଅନ୍ତି । ତାହା ହେଉଛି ସକାଳର ଆରମ୍ଭ ମୋବାଇଲ୍ ଫୋନ୍ ଦେଖି କରିବା । ଆଜିର ସମୟରେ ନିଦ ଭାଙ୍ଗିବା ମାତ୍ରେ ସବୁଠାରୁ ପ୍ରଥମେ ମେସେଜ୍, ସୋସିଆଲ ମିଡିଆ ଏବଂ ଖବର ଚେକ୍ କରିବା ଏକ ନିତିଦିନିଆ ଅଭ୍ୟାସ ପାଲଟିଗଲାଣି ।

ଆଖି ଖୋଲୁ ଖୋଲୁ ମେସେଜ୍, ନୋଟିଫିକେସନ୍, ସୋସିଆଲ୍ ମିଡିଆ କିମ୍ବା ଭିଡିଓ ଦେଖିବାରେ ଲାଗିଯାଆନ୍ତି । କିନ୍ତୁ ଏହି ଅଭ୍ୟାସ ଆମ ସ୍ୱାସ୍ଥ୍ୟ ଓ ମନସିକ ଶାନ୍ତି ପାଇଁ ଭଲ ନୁହେଁ । ରାତିରେ ଆମ ମସ୍ତିଷ୍କକୁ ଆରାମ ଦରକାର ଥାଏ । ସକାଳୁ ଉଠିବା ସମୟରେ ଯଦି ଆମେ ତୁରନ୍ତ ଫୋନ୍ ଦେଖିବା ଆରମ୍ଭ କରିଦେଉ, ତେବେ ମନ ଶାନ୍ତ ରହେ ନାହିଁ। ଅନେକ ନେଗେଟିଭ୍ ଖବର, ଚିନ୍ତା ବଢ଼ାଇଦେବା ମେସେଜ୍ ଦେଖି ଦିନଟି ଖରାପ ମନୋଭାବରେ ଆରମ୍ଭ ହୋଇଯାଏ । ଡାକ୍ତରମାନେ ମଧ୍ୟ କହନ୍ତି ଯେ ସକାଳୁ ଫୋନ୍ ଦେଖିବା ଆଖି ପାଇଁ ଖରାପ । ଦୀର୍ଘ ସମୟ ସ୍କ୍ରିନ୍ ଦେଖିଲେ ଆଖି ଖରାପ ହୋଇଥାଏ, ମୁଣ୍ଡ ବ୍ୟଥା ହୋଇପାରେ। ଏହାସହିତ ମନସିକ ଚାପ ମଧ୍ୟ ବଢ଼ିଯାଏ ।

ସକାଳୁ ଉଠିବା ପରେ ପ୍ରଥମେ କିଛି ଭଲ ଅଭ୍ୟାସ କରିବା ଉଚିତ । ଯେପରିକି ହାଲୁକା ବ୍ୟାୟାମ, ଯୋଗ, ଗଭୀର ନିଶ୍ୱାସ ନେବା, ପାଣି ପିଇବା କିମ୍ବା ଭଗବାନଙ୍କୁ ସ୍ମରଣ କରିବା । ଏହା ଦିନଟିକୁ ସକାରାତ୍ମକ ଭାବରେ ଆରମ୍ଭ କରାଏ । ଯଦି ଆପଣ ଫୋନ୍ ବ୍ୟବହାର କରିବାକୁ ଅଭ୍ୟସ୍ତ, ତେବେ ସକାଳୁ ଉଠିବା ପରେ କମ୍ ସେ କମ୍ ୩୦ ମିନିଟ୍ ଫୋନଠୁ ଦୂରେଇ ରହିବା ଭଲ । ଏହା ଆପଣଙ୍କ ମନକୁ ଶାନ୍ତ ରଖିବ ଏବଂ ଦିନଟିକୁ ଭଲ ଭାବରେ ଆରମ୍ଭ କରିବାରେ ସାହାଯ୍ୟ କରିବ। ସୋସିଆଲ୍ ମିଡିଆ ଓ ମେସେଜ୍ ପରେ ମଧ୍ୟ ଦେଖିହେବ, କିନ୍ତୁ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରଥମେ ଗୁରୁତ୍ୱପୂର୍ଣ୍ଣ । ସକାଳୁ ଶାନ୍ତ ମନ, ଭଲ ଚିନ୍ତା ଏବଂ ସକାରାତ୍ମକ ଆରମ୍ଭ ହେଲେ ସମଗ୍ର ଦିନଟି ଭଲରେ କଟିବ ।

ବିଶେଷଜ୍ଞମାନେ ଏହି ସମସ୍ୟାରୁ ବଞ୍ଚିବା ପାଇଁ କିଛି ସହଜ ଉପାୟ ମଧ୍ୟ ବତାଇଛନ୍ତି, ଯାହା ଆପଣଙ୍କ ଆମେ ଜଣାଇବୁ । ଫୋନକୁ ଶେଯଠାରୁ ଦୂରେଇ ରଖନ୍ତୁ, ଯେଉଁମାନଙ୍କର ସକାଳୁ ଉଠି ଫୋନ୍ ଚଲାଇବା ଅଭ୍ୟାସ ଅଛି, ସେମାନେ ନିଜ ମୋବାଇଲକୁ ବେଡ୍‌ରୁମ୍ ବାହାରେ କିମ୍ବା ବିଛଣାଠାରୁ ଦୂରରେ ଚାର୍ଜିଂରେ ବସାନ୍ତୁ ।  ଯାହା ଦ୍ବାରା ଉଠିବା ମାତ୍ରେ ହାତ ସହଜରେ ଫୋନ୍ ପାଖକୁ ଯିବ ନାହିଁ । ଏଥିସହ ଅଲାର୍ମ କ୍ଲକ୍ ବ୍ୟବହାର କରନ୍ତୁ । ସକାଳୁ ଉଠିବା ପାଇଁ ମୋବାଇଲ୍ ଆଲାର୍ମ ବଦଳରେ ଏକ ସାଧାରଣ ଅଲାର୍ମ ଘଡ଼ିର ସାହାଯ୍ୟ ନିଅନ୍ତୁ । ଏହାଦ୍ୱାରା ଅଲାର୍ମ ବନ୍ଦ କରିବା ବାହାନାରେ ଆପଣଙ୍କୁ ଫୋନ୍ ଛୁଇଁବାକୁ ପଡ଼ିବ ନାହିଁ । ଏଥିସହ ଜାଣିରଖନ୍ତୁ ଯେ, ଯଦି ଆପଣଙ୍କର ମଧ୍ୟ ଏହି ଅଭ୍ୟାସ୍ ଅଛି ତେବେ ତୁରନ୍ତ ଏହାକୁ ଏଡାନ୍ତୁ ଏବଂ ସୁସ୍ଥ ରୁହନ୍ତୁ ।

Spread the love

Leave a Reply

Your email address will not be published. Required fields are marked *