ଶୀତଦିନେ ଆପଣାନ୍ତୁ ଏହି ୫ଟି ସୁପରଫୁଡ, ଇମ୍ୟୁନିଟି ସିଷ୍ଟମକୁ ରଖିବ ମଜଭୁତ
ଖାସ କରି ଶୀତଦିନେ ସଂକ୍ରମିତ ଲୋକଙ୍କ ସଂଖ୍ୟା ବଢ଼ିଯାଇଥାଏ । ତେଣୁ ଲୋକଙ୍କୁ ନିଜ ଶରୀର ପ୍ରତି ଧ୍ୟାନ ରଖିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି । ସେଥିପାଇଁ ଏପରି ସମୟରେ ଲୋକମାନେ ନିଶ୍ଚିତ ଭାବରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଉଚିତ୍ । ବିଶେଷ କରି ଶୀତଦିନେ ଲୋକମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବହୁତ ଦୁର୍ବଳ ହୋଇଯାଇଥାଏ । ଏମିତି ସ୍ଥିତିରେ ଆପଣ ନିଜର ଖାଦ୍ୟ ଏବଂ ପାନୀୟର ସ୍ୱତନ୍ତ୍ର ଯତ୍ନ ନେବା ଉଚିତ୍ । ତେବେ ଆମେ ଆଜି ଆପଣଙ୍କୁ ଏପରି ପାଞ୍ଚଟି ସୁପରଫୁଡ ସମ୍ପର୍କରେ କହିବୁ ଯାହା ଆପଣଙ୍କ ଇମ୍ୟୁନିଟି ପାୱାରକୁ ମଜବୁତ କରିବାରେ ସାହାଯ୍ୟ କରିବ ।
୫ଟି ସୁପରଫୁଡ :
କନ୍ଦମୂଳ: ଶୀତଦିନେ ଏହାକୁ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ । ମିଠା ଆଳୁ ବା କନ୍ଦମୂଳରେ ଭିଟାମିନ୍-ଏ, ପୋଟାସିୟମ୍ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଛି । ଯାହାକୁ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ଏବଂ ଜ୍ୱଳନଜନିତ ସମସ୍ୟାରୁ ଆରାମ ମିଳିଥାଏ । କନ୍ଦମୂଳ ଭିଟାମିନ୍-ସି ଏବଂ ବିଟା-କାରୋଟିନର ଏକ ଉତ୍ତମ ଉତ୍ସ ହୋଇଥାଏ । ଆପଣ ଏହାକୁ ସିଝାଇ ଖାଇ ପାରିବେ ।
ଘିଅ: ଶରୀରକୁ ଶକ୍ତିଶାଳୀ କରିବା ପାଇଁ ଆୟୁର୍ବେଦରେ ଘିଅକୁ ଏକ ଉତ୍ତମ ଖାଦ୍ୟ ଭାବରେ ବିବେଚନା କରାଯାଇଛି । ପ୍ରତିଦିନ ଘିଅ ଖାଇବା ଦ୍ୱାରା ଶରୀର ଗରମ ରହିଥାଏ । ଘିଅ ଖାଇଲେ ତୁରନ୍ତ ଶରୀରକୁ ଶକ୍ତି ମିଳିଥାଏ । ପିଲାମାନଙ୍କ ହାଡ଼କୁ ମଜଭୁତ ରଖିବା ପାଇଁ ଘିଅ ଲାଭଦାୟକ ବୋଲି ପ୍ରମାଣିତ ହୋଇଆସୁଛି । ଏହା ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବାରେ ସାହାଯ୍ୟ କରିଥାଏ । ଏହା ଚର୍ମ ଫାଟିବା କିମ୍ବା ଶୁଷ୍କ ହେବା ଭଳି ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ । ଆପଣ ଘିଅକୁ ରୁଟି, ଡାଲି, ଭାତ କିମ୍ବା ତରକାରୀରେ ପକାଇ ଖାଇପାରିବେ ।
ଖଜୁରୀ: ଶୀତଦିନେ ଖଜୁରୀକୁ ନିଶ୍ଚୟ ଆପଣଙ୍କ ଡାଏଟ୍ ପ୍ଳାନରେ ସାମିଲ କରନ୍ତୁ । ଖଜୁରୀ ଖାଇବା ଦ୍ୱାରା ଶରୀରକୁ ଭିଟାମିନ୍, ମିନେରାଲ୍ସ ଏବଂ ଫାଇବର ମିଳିଥାଏ । ଖଜୁରୀରେ କ୍ୟାଲସିୟମ ଭରପୂର ମାତ୍ରାରେ ରହିଛି, ଯାହା ହାଡ ଏବଂ ଦାନ୍ତକୁ ଫାଇଦା ପହଞ୍ଚାଇଥାଏ । ଆମ ସ୍ୱାସ୍ଥ୍ୟପାଇଁ ଖଜୁରୀ ବହୁତ ଭଲ ହୋଇଥାଏ ।
ଗୁଡ଼: ଶୀତଦିନେ ଆପଣ ଗୁଡ଼ ଖାଇବାର ଅଭ୍ୟାସ ନିଶ୍ଚୟ ରଖନ୍ତୁ । ଆପଣ ଗୁଡ଼କୁ କାଢ଼ାରେ ମଧ୍ୟ ବ୍ୟବହାର କରି ପାରିବେ । ଏଥିରୁ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ । ଏଥିସହ ଥଣ୍ଡା, ସର୍ଦ୍ଦି ଆଦିରୁ ଗୁଡ଼ ଉପଶମ ପ୍ରଦାନ କରିଥାଏ । ଗୁଡ଼ରେ ବହୁତ ଭଲ ମାତ୍ରାରେ ଆଇରନ, ମ୍ୟାଗ୍ନେସିୟମ୍, ଜିଙ୍କ, ସେଲେନିୟମ୍ ଏବଂ ପୋଟାସିୟମ୍ ଭଳି ତତ୍ତ୍ୱ ରହିଛି, ଯାହା ଫଳରେ ଇମ୍ୟୁନିଟି ବଢ଼ିଥାଏ ।
ଅଦା: ଶୀତଦିନେ ଅଦା ନିଶ୍ଚୟ ଭାବେ ଖାଇବା ଉଚିତ୍ । ଥଣ୍ଡା, କାଶରେ ଅଦା ଖାଇବା ଦ୍ୱାରା ଆରାମ ମିଳିଥାଏ । ଅଦାରେ ଅକ୍ସିଡେଟିଭ୍ ଏବଂ ଆଣ୍ଟି ଇନ୍ଫ୍ଲାମେଟୋରୀ ଗୁଣ ରହିଛି, ଯାହା ଗଳା ଯନ୍ତ୍ରଣା ସମସ୍ୟାରୁ ଆରାମ ଦେଇଥାଏ । ଏହା କ୍ୟାନ୍ସର ଏବଂ ହଜମଜନିତ ସମସ୍ୟାକୁ ମଧ୍ୟ ଦୂର କରି ଦେଇଥାଏ ।
