ଶ୍ରମିକଙ୍କ ସର୍ବନିମ୍ନ ଦୈନିକ ମଜୁରୀରେ ୧୦ ଟଙ୍କା ବୃଦ୍ଧି, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରମିକମାନଙ୍କ ପାଇଁ ସର୍ବନିମ୍ନ ଦୈନିକ ମଜୁରୀରେ ୧୦ ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି  ।  ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଆଜି ମଞ୍ଜୁରୀ ଦେଇଛନ୍ତି ।  ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଶ୍ରମିକମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି ମଜୁରୀ ବୃଦ୍ଧି କରିଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ ଅଣକୁଶଳୀ ଶ୍ରମିକମାନଙ୍କର ସର୍ବନିମ୍ନ ଦୈନିକ ମଜୁରୀ ୪୫୨ ଟଙ୍କାରୁ ୪୬୨ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ଅର୍ଦ୍ଧକୁଶଳୀ ଶ୍ରମିକ ମାନଙ୍କ ମଜୁରୀ ୫୦୨ ଟଙ୍କାରୁ ୫୧୨ ଟଙ୍କା, କୁଶଳୀ ଶ୍ରମିକ ମାନଙ୍କ ଦୈନିକ ମଜୁରୀ ୫୫୨ ଟଙ୍କାରୁ ୫୬୨ ଟଙ୍କା ଏବଂ ଉଚ୍ଚ-କୁଶଳୀ ଶ୍ରମିକ ମାନଙ୍କର ସର୍ବନିମ୍ନ ଦୈନିକ ମଜୁରୀ ୬୦୨ ଟଙ୍କାରୁ ୬୧୨ ଟଙ୍କାକୁ ବୃଦ୍ଧି ପାଇଛି । ଏହି ବର୍ଦ୍ଧିତ ମଜୁରୀ ପିଛିଲା ଭାବେ ଏପ୍ରିଲ ପହିଲା ଠାରୁ ଲାଗୁ ହେବ ।

Spread the love