ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା, ଭକ୍ତଙ୍କୁ ମିଳିବ ଶ୍ରୀଜଗନ୍ନାଥ ଦର୍ଶନ ଏବଂ ମାଗଣା ମହାପ୍ରସାଦ

ଭୁବନେଶ୍ୱର : ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାରେ ସମ୍ମତି ଫର୍ମ ସଂଗ୍ରହ ମନ୍ଥର ଗତିରେ ଚାଲିଛି ।  କାର୍ଯ୍ୟ ଦ୍ରୁତ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।  ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ସରକାରଙ୍କ ନୂଆ ଯୋଜନା ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା – SJDY । ଏହି ଯୋଜନାରେ ଗିରବ ଭକ୍ତମାନଙ୍କୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକୁ ଯାତ୍ରା, ଦର୍ଶନ , ଏବଂ ମାଗଣା ମହାପ୍ରସାଦ ମିଳିବ ।  ବିଶେଷକରି ୬୦ ରୁ ୭୫ ବର୍ଷ ବୟସ୍କ ବୃଦ୍ଧ ଓ ୭୫ ବର୍ଷ ପର୍ଯ୍ୟନ୍ତ ବିଧବାଙ୍କୁ ଏହି ଯୋଜନାରେ ସାମିଲ କରାଯିବ ।

କିନ୍ତୁ ଏହା ପାଇଁ ହିତାଧିକାରୀଙ୍କ ଠାରୁ ସମ୍ମତି ଫର୍ମ ସଂଗ୍ରହ ଧୀର ଗତିରେ ଚାଲୁଛି ।  ଏହାକୁ ଦେଖି ପର୍ଯ୍ୟଟନ ବିଭାଗ ସମସ୍ତ ଜିଲ୍ଲାପାଳଙ୍କୁ ଶୀଘ୍ର କାମ ସମ୍ପୂର୍ଣ୍ଣ କରିବାକୁ ବ୍ୟକ୍ତିଗତ ନିର୍ଦ୍ଦେଶ ଦେଇଛନ୍ତି ।  ପର୍ଯ୍ୟଟନ ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର ଗତ୨୭ ତାରିଖରେ ଏକ ଚିଠି ଲେଖି କହିଛନ୍ତି, ଯେ ଯୋଜନାର ଅପରେସନାଲ ଗାଇଡଲାଇନ୍ ଜାରି ହୋଇସାରିଛି ।

ପେନସନ ଯୋଜନା ଅଧୀନରେ ଥିବା ବୃଦ୍ଧ ଓ ବିଧବାମାନଙ୍କୁ ସ୍ୱତଃ ହିତାଧିକାରୀ ଭାବେ ଚିହ୍ନଟ କରାଯାଇଛି ।  କିନ୍ତୁ ସମ୍ମତି ଫର୍ମ ଦେବା ବାଧ୍ୟତାମୂଳକ ।  ଜାନୁଆରୀ ୧୩ ତାରିଖରେସମସ୍ତ ଜିଲ୍ଲା ସୋସିଆଲ ସିକ୍ୟୁରିଟି ଅଫିସରଙ୍କ ସହ ବୈଠକ ହୋଇଥିଲା ।  ଜାନୁଆରୀ ୧୫, ୨୦୨୬ରେ ପେନସନ ବଣ୍ଟନ ଦିନ ଗ୍ରାମ ପଞ୍ଚାୟତ ସ୍ତରରେ ସମ୍ମତି ଫର୍ମ ସଂଗ୍ରହ କରିବାକୁ କୁହାଯାଇଥିଲା ।

କିନ୍ତୁ ଅଧିକାଂଶ ଜିଲ୍ଲାରେ ଅଗ୍ରଗତି ସନ୍ତୋଷଜନକ ନୁହେଁ  ।  ୨୦୨୫-୨୬ ଆର୍ଥିକ ବର୍ଷରେ ୫,୦୦୦ ହିତାଧିକାରୀ ରହିବେ ।  ୨୦୨୬-୨୭ ଆର୍ଥିକ ବର୍ଷରେ ୩୦,୦୦୦ ହିତାଧିକାରୀ ରହିବେ ।  ଏହି ଯୋଜନା ପାଇଁ ୨୦୨୫-୨୬ ବଜେଟ୍ ରେ ୩୦ କୋଟି ଟଙ୍କା ବ୍ୟୟ ଧାର୍ଯ୍ୟ ହୋଇଛି । ଓଡ଼ିଶା ରାଜ୍ୟ ରୋଡ୍ ଟ୍ରାନ୍ସପୋର୍ଟ କର୍ପୋରେସନ (OSRTC) ଯାତ୍ରା ବ୍ୟବସ୍ଥା କରିବ। ଜିଲ୍ଲାପାଳମାନଙ୍କୁ ବ୍ୟକ୍ତିଗତ ଭାବେ ଏହି କାମ ତ୍ୱରାନ୍ୱିତ କରିବାକୁ କୁହାଯାଇଛି ।

Spread the love