ସଂସଦରେ ଏସଆଇଆରକୁ ନେଇ ହୋଇପାରେ ଚର୍ଚ୍ଚା, ପ୍ରଧାନମନ୍ତ୍ରୀ ମୋଦି ଆରମ୍ଭ କରିବେ ଆଲୋଚନା

ନୂଆଦିଲ୍ଲୀ : ଶେଷରେ ରାଜି ହେଲେ ସରକାର । ୯ ତାରିଖରେ ଲୋକସଭାରେ ୧୦ ଘଣ୍ଟା ଧରି ହେବ ଏସଆଇଆର ଆଲୋଚନା । ବିଭିନ୍ନ ଦଳର ନେତାମାନଙ୍କ ସହିତ ବୈଠକ ପରେ ସରକାର ଏହି ସୂଚନା ଦେଇଛନ୍ତି । ଏହାର ଦିନକ ପୂର୍ବରୁ ଡିସେମ୍ବର ୮ରେ ବନ୍ଦେ ମାତରମ ଉପରେ ଚର୍ଚ୍ଚା କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା ଆରମ୍ଭ କରିବେ ।

ବନ୍ଦେ ମାତରମର ୧୫୦ବର୍ଷ ପୂର୍ତ୍ତି ଉପଲକ୍ଷେ ଆସନ୍ତା ସୋମବାର ଲୋକସଭାରେ ଏହା ଉପରେ ଆଲୋଚନା ହେବ । ଏଥିସହ ମଙ୍ଗଳବାର ନିର୍ବାଚନୀ ସଂସ୍କାର ଉପରେ ଚର୍ଚ୍ଚା କରାଯିବ । ସୋମବାରଠାରୁ ସଂସଦର ଶୀତକାଲୀନ ଅଦିବେଶନ ଆରମ୍ଭ ହୋଇଥିବାବେଳେ ୨ଦିନ ହେଲା ବିରୋଧୀ ସାଂସଦମାନେ ଏସଆଇଆର ଉପରେ ଚର୍ଚ୍ଚା ଜିଦରେ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ହଙ୍ଗାମା ଜାରି ରଖିଥିଲେ । ତେବେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ରାଜ୍ୟସଭାରେ ସୂଚନା ଦେଇଥିଲେ ଯେ ଏସଆଇଆର ଉପରେ ଆଲୋଚନା ପାଇଁ ସରକାର ରାଜି ଅଛନ୍ତି । ଏବେ ସଂସଦ କାର୍ଯ୍ୟରେ ପୂର୍ଣ୍ଣ ରୂପେ ସହଯୋଗ କରିବା ଲାଗି ସଂସଦୀୟ ବ୍ୟାପାର ମନ୍ତ୍ରୀ ସମସ୍ତ ସଭ୍ୟଙ୍କୁ ଅନୁରୋଧ କରିଥିଲେ ।

ସରକାର ପ୍ରଥମେ ୧୫୦ ବର୍ଷ ପୁରୁଣା ବନ୍ଦେ ମା’ତରମ ପ୍ରସଙ୍ଗରେ ଆଲୋଚନା କରିବାକୁ ଚାହୁଁଛନ୍ତି । ନଭେମ୍ବର ୭ରେ ବନ୍ଦେ ମା’ତରମର ୧୫୦ ବର୍ଷ ପୂର୍ତ୍ତି ରହିଥିବାରୁ ଏହାକୁ ପ୍ରଥମେ ଗୁରୁତ୍ୱ ଦେବାକୁ ଚାହୁଁଛନ୍ତି ସରକାର । କିନ୍ତୁ ବିରୋଧୀ ଏସଆଇଆର ବା ସରକାରୀ ଭାଷାରେ ନିର୍ବାଚନୀ ସଂସ୍କାର ଉପରେ ପ୍ରଥମେ ଆଲୋଚନା ହେବା ଜିଦରେ ଅଟଳ ରହିଛନ୍ତି । ପ୍ରଥମେ ଏସ୍ ଆଇଆର ଓ ଏହାପରେ ୧୫୦ ବର୍ଷ ପୁରୁଣା ବନ୍ଦେ ମାତରମ ଆଲୋଚନା ବୋଲି ବିରୋଧୀ ମତ ରଖିଛନ୍ତି ।

Spread the love