ସ୍ମାର୍ଟ ମିଟର ଲଗାଇବେ ସରକାର: ଶକ୍ତି ବିଭାଗ

ସ୍ମାର୍ଟ ମିଟର ଲଗାଇବାକୁ ନେଇ ଉପଭୋକ୍ତା ଦ୍ୱନ୍ଦ୍ୱରେ ଥିବାବେଳେ ବଡ଼ ପଦକ୍ଷେପ ନେଇଛନ୍ତି ସରକାର । ୨୦୨୫ ମାର୍ଚ୍ଚ ପୂର୍ବରୁ ସ୍ମାର୍ଟ ମିଟର ଲଗାଇ ସାରିଥିବା ଉପଭୋକ୍ତାଙ୍କ ମିଟର ଭଡ଼ା ଛାଡ଼ ହୋଇଛି । ଏ ବାବଦରେ ୩୦୭ କୋଟି ଟଙ୍କା ବହନ କରିବେ ସରକାର । ଗତ କ୍ୟାବିନେଟରେ ଏହି ନିଷ୍ପତ୍ତି ହେବା ପରେ ଗାଇଡଲାଇନ୍ ଆଣିଛି ଶକ୍ତି ବିଭାଗ । ସେପଟେ ସ୍ମାର୍ଟ ମିଟରର ସ୍ୱଚ୍ଛତା ଏବଂ ଆବଶ୍ୟକତା ଉପରେ ପ୍ରଶ୍ନ ଉଠାଇଛନ୍ତି ଶକ୍ତି ସମୀକ୍ଷକ ।ନୂଆ ସ୍ମାର୍ଟ ମିଟର ସ୍ଥାପନ ଏବଂ ପୂର୍ବରୁ ଥିବା ମିଟରକୁ ସ୍ମ।ଟ ମିଟରରେ ପରିବର୍ତ୍ତନ କରିବା ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିବେ ୭୩୫ କୋଟି ଟଙ୍କା । ୨ କିଲୋୱାଟ୍ ପର୍ଯ୍ୟନ୍ତ ଥିବା ୮ ଲକ୍ଷ ୭୫ ହଜାର ମିଟରକୁ ବଦଳାଇ ସ୍ମାର୍ଟ ମିଟର ଲଗାଯିବ । ଯାହା ବାବଦକୁ ୩୪୦ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିପରି ନୂଆ ସ୍ମାର୍ଟ ମିଟର ଇନଷ୍ଟଲେସନ୍ ପାଇଁ ୮୮ କୋଟି ଏବଂ ମାର୍ଚ୍ଚ ୨୦୨୫ ପୂର୍ବରୁ ଯେଉଁମାନେ ସ୍ମାର୍ଟ ମିଟର ଲଗାଇ ସାରିଛନ୍ତି, ସେମାନଙ୍କ ମିଟର ଭଡ଼ା ବାବଦକୁ ୩୦୭ କୋଟି ଟଙ୍କା ବହନ କରିବେ ସରକାର । ଏହି ସ୍ମାର୍ଟ ମିଟର ଗୁଡିକ ଶକ୍ତି ବିଭାଗ ଅଧୀନରେ ରହିବ। ସମ୍ପୃକ୍ତ ଡିସ୍‌କମ୍ ଦ୍ୱାରା ପରିଚାଳିତ ଏବଂ ରକ୍ଷଣାବେକ୍ଷଣ କରାଯିବ ।

ଗୋଟେ ପଟେ ସରକାର ସ୍ମାର୍ଟ ମିଟର ସ୍ଥାପନ ପାଇଁ ଟଙ୍କା ଖର୍ଚ୍ଚ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଅନ୍ୟପଟେ ଏବେ ସ୍ମାର୍ଟ ମିଟର ଲଗାଇବାର କ’ଣ ଆବଶ୍ୟକତା ରହିଛି ବୋଲି ପ୍ରଶ୍ନ ଉଠାଇଛନ୍ତି ଶକ୍ତି ସମୀକ୍ଷକ । ଏଥିସହ ସ୍ମାର୍ଟ ମିଟରର ସ୍ୱଚ୍ଛତା ଉପରେ ବି ପ୍ରଶ୍ନ ଉଠିଛି । ଅନ୍ୟ ରାଜ୍ୟରେ ସ୍ମାର୍ଟ ମିଟରର ଦକ୍ଷତା ଯାଞ୍ଚ କରିବାର ବ୍ୟବସ୍ଥା ରହିଛି । ସିଏଜି ମଧ୍ୟ ଅଡିଟ୍ କରନ୍ତି । କିନ୍ତୁ ଆମ ରାଜ୍ୟରେ ଯେହେତୁ ଏକ ଘରୋଇ କମ୍ପାନୀ ବିଦ୍ୟୁତ୍ ବିତରଣ କରୁଛି, ତେଣୁ ଏଠି କିଭଳି ଯାଞ୍ଚ କରାଯିବ, ତାକୁ ନେଇ ଆପତ୍ତି ଉଠିଛି ।ବିଦ୍ୟୁତ୍ ବିତରଣ କମ୍ପାନୀର ମନମାନିକୁ ନେଇ ରାଜ୍ୟରେ ବିଭିନ୍ନ ସମୟରେ ଆନ୍ଦୋଳନ ହେଉଛି । ଆଉ ଏବେ ସ୍ମାର୍ଟ ମିଟର ସ୍ଥାପନକୁ ବି ଲୋକେ ବିରୋଧ କରୁଛନ୍ତି । ତେବେ ସ୍ମାର୍ଟ ମିଟରରକୁ ନେଇ ଲାଗି ରହିଥିବା ବିବାଦ କେବେ ଥମିବ ତାହା ଦେଖିବାର କଥା ।

Spread the love