୧୭୫ଟି ଆଇସକ୍ରିମ୍ କାଠି ଓ ୫୫୧ଟି ତୁଳସୀ ମାଳିରେ ନନ୍ଦିଘୋଷ ରଥ, ପୁରୀର ଶିଳ୍ପୀ ବିଶ୍ୱଜିତଙ୍କ ନିଆରା କଳାକୃତି

ପୁରୀ: ଆସନ୍ତା ୨୭ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଦେଶ ବିଦେଶର ବିଭିନ୍ନ କୋଣରୁ ଲକ୍ଷ ଲକ୍ଷ ଭକ୍ତ ଏବେ ପୁରୀ ଅଭିମୁଖେ । ରଥଯାତ୍ରା ପାଇଁ ସୁସଜ୍ଜିତ ହେବ ଶ୍ରୀମନ୍ଦିର । ତିନି ଠାକୁରଙ୍କ ପାଇଁ ତିଆରି ଚାଲିଛି ତିନି ରଥ । ତେବେ ଏହି ରଥଯାତ୍ରା ପୂର୍ବରୁ ଦେଖିବାକୁ ମିଳିଛି ଆଇସକ୍ରିମ୍ କାଠିରେ ନନ୍ଦିଘୋଷ ରଥ ପରି କଳାକୃତି । ଯାହାକୁ ଦେଖିଲେ ଲାଖିଯାଉଛି ଆଖି ।

ପୁରୀର ଯୁବ ଶିଳ୍ପୀ ବିଶ୍ୱଜିତ୍ ନାୟକ ନୂଆ ଆଇସକ୍ରିମ୍ କାଠି ବ୍ୟବହାର କରି ଏହି ସୁନ୍ଦର କଳାକୃତି ନିର୍ମାଣ କରିଛନ୍ତି । ଜଣେ କଳାକାର ଭାବରେ ସେ ନୂତନ ଆଇସକ୍ରିମ୍ କାଠିରେ ତିଆରି କରିଛନ୍ତି ଏହି କୁନି ରଥ । ଖାଲି ଆଇସକ୍ରିମ୍ କାଠି ନୁହେଁ ଏହା ସହ ପବିତ୍ର ତୁଳସୀ ମାଳି ଏବଂ ଅଠା ବ୍ୟବହାର କରି ପ୍ରଭୁ ଜଗନ୍ନାଥ ରଥର ଏକ କ୍ଷୁଦ୍ର ଚିତ୍ର ତିଆରି କରିଛନ୍ତି । ଏହାର ଉଚ୍ଚତା ୮ ଇଞ୍ଚ ଏବଂ ପ୍ରସ୍ଥ ୭ ଇଞ୍ଚ ରହିଛି । ଏହି କଳାକୃତିରେ ମୋଟ ୧୭୫ ଟି ଆଇସକ୍ରିମ୍ କାଠି ଏବଂ ୫୫୧ଟି ତୁଳସୀ ମାଳି ବ୍ୟବହାର କରାଯାଇଛି । ଯେଉଁଥିରେ ବିରାଜମାନ କରିଛନ୍ତି ମହାପ୍ରଭୁ ଜଗନ୍ନାଥ ।

ଏହି ଜଟିଳ କାରିଗରୀକୁ ସମାପ୍ତ କରିବାକୁ ତାଙ୍କୁ ୬ଦିନ ଲାଗିଥିଲା । ସୂଚନା ଥାଉଯେ, ବିଶ୍ୱଜିତ ପୂର୍ବରୁ ମଧ୍ୟ ଆଇସକ୍ରିମ୍ କାଠିରେ ବିଭିନ୍ନ କଳାକୃତି କରି ଲିମକା ବୁକ୍ ଅଫ ରେକର୍ଡ ଓ ଏସିଆ ବୁକ୍ ଅଫ୍ ରେକର୍ଡର ଅଧିକାରୀ ହୋଇପାରିଛନ୍ତି । ତେବେ ଏହି ରଥକୁ ଭକ୍ତମାନଙ୍କ ପାଇଁ ଉତ୍ସର୍ଗ କରିଛନ୍ତି ବିଶ୍ୱଜିତ୍ ।

Spread the love