ଅକ୍ସିଜେନ୍ ଯୋଗାଣରେ ବାଧା ଦେବ, ତାକୁ ଫାଶିରେ ଝୁଲାଇ ଦେବୁ

ନୂଆଦିଲ୍ଲୀ: ଗୋଟିଏ ପରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଉଦ୍‌ବେଗଜନକ ଭାବେ ବଢି ଚାଲିଥିବା ବେଳେ ଅନ୍ୟପଟେ ଅକ୍ସିଜେନ୍ ଅଭାବରେ ଦିଲ୍ଲୀ ହସ୍ପିଟାଲଗୁଡିକର ଅବସ୍ଥା ଶୋଚନୀୟ ହୋଇ ପଡିଛି। ଗୋଟିଏ ପରେ ଗୋଟିଏ ହସ୍ପିଟାଲ ଅକ୍ସିଜେନ୍ ଅଭାବ ନେଇ ଗୁହାରି କରୁଛନ୍ତି। ଏହା ମଧ୍ୟରେ ଅକ୍ସିଜେନ୍ ଅଭାବ ନେଇ ମହାରାଜ ଅଗ୍ରେସନ ହସ୍ପିଟାଲ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇ ତୁରନ୍ତ ଏହା ଉପରେ ଶୁଣାଣି କରିବାକୁ ଅନୁରୋଧ କରାଯାଇଥିଲା । ଶନିବାର ଏହା ଉପରେ ଶୁଣାଣି ସମୟରେ ଦିଲ୍ଲୀ ହାଇକୋର୍ଟ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି।

ହାଇକୋର୍ଟ ଦିଲ୍ଲୀ ସରକାରଙ୍କୁ କିଏ ଅକ୍ସିଜେନ୍ ଯୋଗାଣରେ ବାଧା ସୃଷ୍ଟି କରୁଛି ଜଣାଇବାକୁ କହିଛନ୍ତି। ଯିଏ ବି ଏହି କାମ କରୁଛି ତାକୁ ଫାଶିରେ ଝୁଲାଇ ଦିଆଯିବ ବୋଲି କୋର୍ଟ କଡା ଟିପ୍ପଣୀ କରିଛନ୍ତି। କୋର୍ଟ ଦିଲ୍ଲୀ ସରକାରଙ୍କୁ ଏମିତି ଲୋକଙ୍କ ବିରୋଧରେ ସ୍ଥାନୀୟ ପ୍ରଶାସନର ଏମିତି ଅଧିକାରୀଙ୍କ ବିଷୟରେ ଏବଂ କେନ୍ଦ୍ରକୁ ଜଣାଇବାକୁ କହିଛନ୍ତି ଯଦ୍ଵାରା ଉକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ।

ଶୁଣାଣି ସମୟରେ ଦିଲ୍ଲୀ ସରକାର ପକ୍ଷରୁ ଉପସ୍ଥିତ ବରିଷ୍ଠ ଓକିଲ ରାହୁଲ ମେହରା ଉଚ୍ଚ ନ୍ୟାୟାଳୟରେ କହିଛନ୍ତି ଯେ, ସ୍ଥିତି ଯାହା ଉପୁଜିଛି, ତାର ନିୟନ୍ତ୍ରଣ ପାଇଁ ପ୍ରୟାସ ଜାରି ରହିଛି। ତୁରନ୍ତ ଅକ୍ସିଜେନ ଯୋଗାଣ ଜରୁରୀ। ଏହି ସମୟରେ ଅଦାଲତ ଦିଲ୍ଲୀ ସରକାରଙ୍କୁ ଅକ୍ସିଜେନ୍ ପ୍ଲାଣ୍ଟ ସ୍ଥାପନ କରିବାକୁ କହିଛନ୍ତି।

ଓକିଲ ରାହୁଲ ମେହରା ଦିଲ୍ଲୀ ହାଇକୋର୍ଟକୁ କହିଛନ୍ତି ଯେ, ଦିଲ୍ଲୀରେ ଶୀଘ୍ର ୪୮୦ ମେଟ୍ରିକ ଟନ ଅକ୍ସିଜେନ ଆବଣ୍ଟନ କରାଯିବ। ଯଦି ବ୍ୟବସ୍ଥାକୁ ସଠିକ କ୍ରମରେ ରଖାନଯାଏ ତେବେ ସଂପୂର୍ଣ୍ଣ ବ୍ୟବସ୍ଥା ଧ୍ଵସ୍ତ ହୋଇଯିବ। ଯଦି ଆମକୁ ୪୮୦ ମେଟ୍ରିକ ଟନ୍ ଅକ୍ସିଜେନ୍ ଠିକ୍ ସମୟରେ ନମିଳେ ତେବେ ୨୪ ଘଣ୍ଟାରେ ପୂରା ପ୍ରକ୍ରିୟା ଠପ୍ ହୋଇଯିବ।

Spread the love