ଅଭିଜିତ୍ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର, ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର
କଟକ : ଓଡ଼ିଶାର ସୁନାମ ଧନ୍ୟ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାର ଅସୁସ୍ଥ । ଅଭିଜିତ୍ ଅସୁସ୍ଥ ଥିବା ନେଇ ସୂଚନା ମିଳିଛି । ବର୍ତ୍ତମାନ କଟକର ଏକ ଘରୋଇ ହସ୍ପିଟାଲରୁ ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର କରାଯାଇଛି । ପ୍ରାରମ୍ଭିକ ଭାବେ ଏମ୍ସ ଟ୍ରମା କେୟାରରେ ଚିକିତ୍ସିତ ହେଉଛନ୍ତି । ପରେ ତାଙ୍କୁ କ୍ରିଟିକାଲ ଆଇସିୟୁକୁ ସ୍ଥାନାନ୍ତର କରାଯିବ । ବର୍ତମାନ ତାଙ୍କ ବ୍ରେନ୍ ରେ ସୋଡ଼ିଅମ୍ କମୁଛି । ନିଃଶ୍ୱାସ ନେବାରେ ତାଙ୍କର ସମସ୍ୟା ହେଉଛି । କିଡନୀରେ ମଧ୍ୟ ସମସ୍ୟା ମଧ୍ୟ ରହିଛି ବୋଲି ସୂଚନା ମିଳିଛି ।
ସୂଚନା ଅନୁସାରେ କିଛି ଦିନ ହେବ ସେ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ତୁରନ୍ତ କଟକର ସିଡିଏରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ଦୀର୍ଘ ଦିନ ହେବ ଲିଭର୍ ଜନିତ ରୋଗରେ ପୀଡ଼ିତ ଥିବା ସୂଚନା ମିଳିଛି । ଅଭିଜିତଙ୍କ ଶରୀରରେ ପୋଟାସିୟମ କମି ଯିବାରୁ ଗୁରୁତର ହୋଇପଡ଼ିଥିଲେ । ତେଣୁ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
କହିରଖୁଛୁ ଯେ, ଅନେକ ଓଡ଼ିଆ ଭଜନ, ରୋମାଣ୍ଟିକ୍ ଏବଂ ଆଇଟମ ଗୀତ ସଙ୍ଗୀତପ୍ରେମୀଙ୍କୁ ଭେଟିଦେଇଛନ୍ତି ନିର୍ଦ୍ଦେଶକ ଅଭିଜିତ ମଜୁମଦାର । କେବଳ ସେତିକି ନୁହେଁ, ଏକ ଘରୋଇ ଟେଲିଭିଜନ୍ କାର୍ଯ୍ୟକ୍ରମରେ ଉପସ୍ଥାପନା ପାଇଁ ଅଭିଜିତଙ୍କୁ ଖୁବ ଲୋକପ୍ରିୟତା ମିଳିଛି । ପ୍ରଶଂସକ ଏବଂ ସହକଳାକାରମାନେ ଅଭିଜିତଙ୍କୁ ‘ଦାଦା’ ନାମରେ ଡାକୁଥିବାରୁ ସେ ‘ଦାଦା’ ନାମରେ ବେଶ୍ ପରିଚିତ ।
ଅଭିଜିତ ମଜୁମଦାର ୧୧ ସେପ୍ଟେମ୍ବର ୧୯୭୧ରେ କଟକରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ଓଡ଼ିଆ କଥାଚିତ୍ର ସଙ୍ଗୀତ ନିର୍ଦ୍ଦେଶକ ଓ ଗାୟକ । ୨୦୦୦ ମସିହାରେ ସେ ଓଡ଼ିଆ କଥାଚିତ୍ର ଜଗତରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ । ସେ ଓଡ଼ିଆ କଥାଚିତ୍ର ସମେତ ଓଡ଼ିଆ ଆଧୁନିକ ଆଲବମ୍, ଭଜନ, ସମ୍ବଲପୁରୀ ଆଲବମ୍, ଓଡ଼ିଆ ଧାରାବାହିକ ଆଦିର ଗୀତ ନିର୍ମାଣ କରନ୍ତି । ୧୯୯୧ ମସିହାରେ ଅଭିଜିତ ପ୍ରଥମ କରି ସଙ୍ଗୀତ ଜଗତରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ତାଙ୍କ ନିର୍ଦ୍ଦେଶିତ ପ୍ରଥମ ସମ୍ବଲପୁରୀ ଆଲବମ୍ ଥିଲା ଦକ୍ସି ଗଲା ।
ଅଭିଜିତ ମଜୁମଦାର ପ୍ରଥମେ ସମ୍ବଲପୁରୀ ଗୀତରେ କାମ କରିବା ଆରମ୍ଭ କରିଥିଲେ ଏବଂ ପରେ ସେ ଓଡ଼ିଆ କଥାଚିତ୍ର ଜଗତରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ସେ ଓଡ଼ିଆ ଚଳଚ୍ଚିତ୍ର, ଆଲବମ୍ ଏବଂ ସମ୍ବଲପୁରୀ ଇଣ୍ଡଷ୍ଟ୍ରି ପାଇଁ ୭୦୦ରୁ ଅଧିକ ଗୀତ ନିର୍ମାଣ କରିଛନ୍ତି । କଥାଚିତ୍ର ଓ ଆଲବମ୍ ବ୍ୟତୀତ ଅଭିଜିତ କିଛି ଦୂରଦର୍ଶନରେ କାର୍ଯ୍ୟ କରିଛନ୍ତି । ସେ ଏମ୍.ବି.ସି. ଟିଭିରେ ଅନ୍ତାକ୍ଷରୀ କାର୍ଯ୍ୟକ୍ରମର ଉପସ୍ଥାପକ ତଥା ବିଚାରକ ଭାବରେ କାର୍ଯ୍ୟ କରିଥିଲେ । ତରଙ୍ଗ ଟିଭିରେ ମେଲୋଡି ନାଇଟ୍ସ୍ ଉଇଥ୍ ଅଭିଜିତ୍ ମଜୁମଦାର, ଲକ୍ଡାଉନ୍ ଅନ୍ତାକ୍ଷରୀ, ବ୍ୟାଣ୍ଡ୍ ବାଜା ବାରାତ୍ ଉଇଥ୍ ଅଭିଜିତ ମଜୁମଦାର ଭଳି କାର୍ଯ୍ୟକ୍ରମର ଉପସ୍ଥାପନା କରିଛନ୍ତି ।
ଅଭିଜିତ ମଜୁମଦାର ବହୁ ସୁପର ହିଟ ଗୀତ ଗାଇଛନ୍ତି ସେ ଗୁଡିକ ହେଲା କାବୁଲା ବାରବୁଲା, ସୁନାପିଲା ଟିକେ ସ୍କୃ ଢିଲା,ସୁନ୍ଦରଗଡ଼ର ସଲମାନ୍ ଖାନ୍,ଓନ୍ଲି ପ୍ୟାର୍, ଶ୍ରୀମାନ ସୁର୍ଦାସ, ଗୋଲ୍ମାଲ୍ ଲଭ୍,ଚାଲ୍ ଟିକେ ଦୁଷ୍ଟ ହେବା,ମିଷ୍ଟର ମଜ୍ନୁ ,ଜୋର୍କା ଝଟ୍କା , ତୋର କଞ୍ଚା ହଳଦୀ, ରିବନ ଫିତା ପରି ବହୁ ଗୀତ ତାଙ୍କୁ ଲୋକ ପ୍ରିୟ କରିଛି ।
