ଅର୍ଥମନ୍ତ୍ରୀଙ୍କୁ ନବୀନ ଦେଲେନି ଟିକେଟ

କଟକ ଲୋକସଭା ଆସନ ସମେତ ୯ଟି ବିଧାନସଭା ଆସନ ପାଇଁ ବିଜେଡ଼ି ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । ଏହି ତାଲିକାରେ ଶଶୀଭୂଷଣ ବେହେରା ସ୍ଥାନ ପାଇନାହାନ୍ତି । ଏତେ ବଡ଼ ଦାୟିତ୍ୱରେ ଥାଇ ମଧ୍ୟ ତାଙ୍କୁ ଟିକେଟ ନମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।  ତାଙ୍କ ଜାଗାରେ ଅରବିନ୍ଦ ଢ଼ାଲିଙ୍କୁ ଜୟଦେବ ଆସନକୁ ଫେରାଇ ଅଣାଯାଇଛି। କଟକରୁ ପୁନର୍ବାର ଭର୍ତ୍ତୃହରି ମହତାବଙ୍କୁ ପ୍ରାର୍ଥୀ କରାଯାଇଛି । ସବୁଠାରୁ ବଡ଼ କଥାଟି ହେଲା, ବରୀ ଆସନ ଦଖଲରେ ରହିଥିବା ଦେବାଶିଷ ନାୟକଙ୍କୁ ଏଥର ଟିକେଟ ଦେଇନାହାନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ତାଙ୍କ ଜାଗାରେ ଜଣେ ନୂଆମୁହଁ ସୁନନ୍ଦା ଦାସଙ୍କୁ ନବୀନ ସୁଯୋଗ ଦେଇଛନ୍ତି ।  
ବେଗୁନିଆ ଆସନରୁ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ହଟାଯାଇ ଚିଲିକା ଆସନ ଦିଆଯାଇଛି । ବେଗୁନିଆରୁ ପ୍ରାର୍ଥୀ ହୋଇଛନ୍ତି ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର ସାହୁ । ଖୋର୍ଦ୍ଧା ଆସନରୁ ଜିତୁ ମିତ୍ରଙ୍କୁ ପ୍ରାର୍ଥୀ କରିଛି ଦଳ । ନିକଟରେ ବିଜେପି ଛାଡ଼ି ବିଜେଡ଼ିରେ ଯୋଗଦେଇଥିଲେ ଶ୍ରୀ ମିତ୍ର । ସେହିଭଳି ବିଜେପି ଛାଡ଼ି ଆସିଥିବା ରାଜକିଶୋର ଦାସଙ୍କୁ ମୋରଡ଼ା ଆସନରୁ ପ୍ରାର୍ଥୀ କରାଯାଇଛି । ଏହି ଆସନରେ ଥିବା ବିଧାୟକ ପ୍ରବୀଣ ଚନ୍ଦ୍ର ଭଂଜଦେଓ ବିଜେଡ଼ିରୁ ଇସ୍ତଫା ଦେଇଥିଲେ । ବସ୍ତାରୁ ନିତ୍ୟାନନ୍ଦ ସାହୁ ପୁନର୍ବାର ପ୍ରାର୍ଥୀ ହୋଇଛନ୍ତି । ରାଇରଙ୍ଗପୁରରୁ ବାସନ୍ତୀ ମାରାଣ୍ଡି ପ୍ରାର୍ଥୀ ହୋଇଥିବା ବେଳେ ଦେବଗଡ଼ରୁ ରୋମାଞ୍ଚ ରଂଜନ ବିଶ୍ୱାଳ ପ୍ରାର୍ଥୀ ହୋଇଛନ୍ତି ।

Spread the love