ଅସହାୟତା ପ୍ରକାଶ କଲେଣି କେଜ୍ରିଓ୍ବାଲ ! କହିଲେ- ଦିଲ୍ଲୀରେ ସ୍ଥିତି ଖରାପ

ନୂଆଦିଲ୍ଲୀ, ୧୮/୪: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଆକାଶଛୁଆଁ ହୋଇଥିବା ବେଳେ ରୋଗୀଙ୍କ ପାଇଁ ବେଡ୍‌ ମିଳୁନାହିଁ। ଏନେଇ ଖୋଦ୍‌ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି। ରବିବାର ସାମ୍ବାଦିକ ସମ୍ମଳନୀରେ କେଜ୍ରିଓ୍ବାଲ ଅସହାୟ ଥିବା ସ୍ପଷ୍ଟ ବାରି ହୋଇପଡ଼ିଛି। ତାଙ୍କ କଥା ଶୁଣିବା ପରେ କରୋନାର ଭୟାବହତା କେତେ ସେନେଇ ମଧ୍ୟ ଜଣାପଡ଼ିଛି। ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି। ହସ୍ପିଟାଲରେ ଭର୍ତ୍ତି ହେଉଥିବା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ସେ କହିଛନ୍ତି।

ଏବେ ଦିଲ୍ଲୀରେ ୧୦୦ରୁ କମ୍‌ ଆଇସିୟୁ ବେଡ୍‌ ଖାଲି ଅଛି। ଦିଲ୍ଲୀରେ କରୋନା ସଂକ୍ରମଣ ଯୋଗୁ ବିଗୁଡ଼ୁଥିବା ସ୍ଥିତିକୁ ନେଇ କେଜ୍ରିଓ୍ବାଲ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ଚିଠି ଲେଖିଛନ୍ତି। ଚିଠି ମାଧ୍ୟମରେ ଗୁହାରି କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ‘ସ୍ଥିତିକୁ ଦେଖିବା ପରେ ବିନତୀ କରୁଛି କେନ୍ଦ୍ର ସରକାରଙ୍କ ହସ୍ପିଟାଲରେ କରୋନା ସଂକ୍ରମିତଙ୍କ ପାଇଁ ୭ ହଜାର ବେଡ୍‌ ସଂରକ୍ଷିତ ରଖନ୍ତୁ। ଦିଲ୍ଲୀରେ ଅକ୍ସିଜେନ୍‌ କମ୍‌ ଥିବାରୁ ଆମକୁ ଶୀଘ୍ର ଅମ୍ଳାଯାନ ଦେବାକୁ ବ୍ୟବସ୍ଥା କରାଯାଉ।’

ସାମ୍ବାଦିକ ସମ୍ମଳନୀରେ କେଜ୍ରିଓ୍ବାଲ ଆହୁରି କହିଛନ୍ତି, ଗତ ୨୪ ଘଣ୍ଟାରେ ୨୪ ହଜାର ୫୦୦ ମାମଲା ଆସିଛି। ଏହା ପୂର୍ବରୁ ୨୪ ଘଣ୍ଟାରେ ୧୯ ହଜାର ୫୦୦ ମାମଲା ମିଳିଥିଲା। ଏଥିରୁ ଜଣାପଡ଼ିଛି କରୋନା ଭୂତାଣୁ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଚାଲିଛି। ଚିନ୍ତାର ବିଷୟ ହେଉଛି ଦିଲ୍ଲୀରେ ସଂକ୍ରମଣ ହାର ୩୦ ପ୍ରତିଶତରେ ପହଞ୍ଚିଛି। କରୋନା ରୋଗୀଙ୍କ ପାଇଁ ସଂରକ୍ଷିତ ଥିବା ବେଡ୍‌ ଶୀଘ୍ର ଫୁଲ୍‌ ହେବାରେ ଲାଗିଛି।

ବିଶେଷ କରି ଆଇସିୟୁ ବେଡ୍‌ ଶେଷ ହେବାକୁ ବସିଲାଣି। କେବଳ ୧୦୦ ସିଟ୍‌ ବାକି ରହିଛି ବୋଲି ସେ କହିଛନ୍ତି। ଅକ୍ସିଜେନ୍‌ କମ୍‌ ପଡ଼ୁଥିବା ବେଳେ କେନ୍ଦ୍ର ପାଖରୁ ସହାୟତା ମିଳୁଛି। ତେବେ ଆଗାମୀ ଦୁଇ ତିନି ଦିରେ ୬୦୦୦ ଅକ୍ସିଜେନ୍‌ ବେଡ୍‌ ପ୍ରସ୍ତୁତ କରାଯିବ। କିନ୍ତୁ ଦିଲ୍ଲୀରେ ବହୁ ଦ୍ରୁତ ଗତିରେ କରୋନା ସଂକ୍ରମଣ ବ୍ୟାପୁଥିବା ବେଳେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି।

Spread the love