ଆଉ ହାଟରେ ମିଳୁନି ଲିଚୁ, ଲଗାତାର ବର୍ଷା ଯୋଗୁଁ ଉଜୁଡ଼ିଯାଉଛି ଲିଚୁ ଚାଷ
ଦେବଗଡ: ଦାଉ ସାଧୁଚି ଜଳବାୟୁ ପରିବର୍ତ୍ତନ । ଲଗାତାର ବର୍ଷା ଯୋଗୁଁ ଉଜୁଡ଼ିଯାଉଛି ଲିଚୁ ଚାଷ । ମୁଣ୍ଡରେ ହାତରେ ଦେଇ ବସିଛନ୍ତି ଚାଷୀ । କୃଷି ପ୍ରଧାନ ଦେବଗଡ ଜିଲ୍ଲାରେ ଉଷ୍ମ ଆଦ୍ର ଜଳବାୟୁ ପାଇଁ ଜିଲ୍ଲାର ବହୁ ଅଞ୍ଚଳ ଲିଚୁ ଚାଷ ପାଇଁ ଉପଯୋଗୀ । ସେଥିପାଇଁ ଚାଷୀମାନେ ଲିଚୁ ଚାଷ ପାଇଁ ଆଗ୍ରହ ପ୍ରକାଶ କରି ବହୁ ଅର୍ଥ ବ୍ୟୟ କରି ଲିଚୁ ବଗିଚା କରୁଛନ୍ତି । ମାତ୍ର ଗତ କେତେ ବର୍ଷ ହେବ ଜଳବାୟୁ ପରିବର୍ତ୍ତନ କାରଣରୁ ବର୍ତ୍ତମାନ ଚାଷୀମାନେ ଲିଚୁ ଚାଷରୁ ମୁହଁ ଫେରାଇବା ପାଇଁ ବାଧ୍ୟ ହେଲେଣି ।
ଦେବଗଡ ଜିଲ୍ଲାରେ ଧାନ ଚାଷ ପରେ ଫଳ ଚାଷ ଉପରେ ଚାଷୀ ବିଶେଷ ଗୁରୁତ୍ୱ ପ୍ରଦାନ କରିଥାନ୍ତି । ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଧାନ ଚାଷ ପରେ ତରଭୁଜ,ଲିଚୁ ,ଆମ୍ବ ଓ କମଳା ଚାଷ ଉପରେ ଗୁରୁତ୍ୱ ଦେଇ ଚାଷ କରୁଥିବା ଚାଷୀ ଲାଭାନ୍ଵିତ ହୋଇଥାନ୍ତି । ଦେବଗଡ ଜିଲ୍ଲାର ବାରକୋଟ ବ୍ଲକ ଓ ତିଲେଇବଣୀ ବ୍ଲକର କଲା,କଂଟାପାଲି,ତୁସୁଲା,ବଡବାହାଲ,ବୈଷ୍ଣବପାଲି,ଡଙ୍ଗାପାଳ, କୁରେଇଁବାହାଲ,ଗଇଲୋ ଅଞ୍ଚଳର ପ୍ରାକୃତିକ ପରିବେଶ ଉଷ୍ମ ଆଦ୍ର ଜଳବାୟୁ କାରଣରୁ ଉକ୍ତ ଅଞ୍ଚଳରେ ଲିଚୁ ଚାଷ ବେଶ ସହାୟକ ହୋଇଥାଏ । ମାତ୍ର ଗତ କେତେ ବର୍ଷ ହେଲା ଜଳବାୟୁ ପରିବର୍ତ୍ତନ ହେବା କାରଣରୁ ଧିରେ ଧିରେ ଲିଚୁ ଉତ୍ପାଦନ କମିବାରେ ଲାଗିଛି ।
ଦେବଗଡ ଜିଲ୍ଲାରେ ପ୍ରାୟତଃ ୬୦୦ ହେକ୍ଟର ପରିମିତ ଅଞ୍ଚଳରେ ଚାଷୀ ଲିଚୁ ଚାଷ କରିଛନ୍ତି । ମାତ୍ର ଲିଚୁ ଚାଷ ହୋଇଥିବା ଅଞ୍ଚଳର ଜଳବାୟୁ ପରିବର୍ତ୍ତନ କାରଣରୁ ଲିଚୁ ଗଛରେ ଯେତିକି ଫଳର ସମ୍ଭାବନା ଥିଲା, ଚାଷୀମାନେ ଆଶା କରି ସେତିକି ଲିଚୁ ଚାଷ କରିଥିଲେ । କିନ୍ତୁ ତାଙ୍କର ସେହି ଆଶା ଧୂଳିସାତ ହେବାରେ ଲାଗିଲାଣି । ପୂର୍ବରୁ ଉକ୍ତ ଅଞ୍ଚଳର ଚାଷୀ ଲିଚୁ ବଗିଚାରୁ ବାର୍ଷିକ ୧ଲକ୍ଷ ଟଙ୍କା ଆୟ କରୁଥିବା ବେଳେ ତାହା ଏବେ ୧୨ ହଜାରକୁ ଖସି ଆସିଛି . ଲିଚୁ ଗଛରେ ଫଳର ପରିମାଣ ଖୁବ କମିଯାଇଥିବା ଦେଖିବାକୁ ମିଳିଛି । ପରିବେଶ ସହ ପ୍ରକୃତିର ତାଣ୍ଡବରେ କେତେବେଳେ ଅନୀୟମୀତତା ବର୍ଷା ତ କେତେବେଳେ ପ୍ରକୃତି କରାମାଡରେ ଚାଷୀ ଧରାସାୟୀ ହେଉଛି । ତେବେ ଚାଷୀଙ୍କ ଆୟ ବର୍ଷକୁ ବର୍ଷ ଖସୁ ଥିବାରୁ ବର୍ତମାନ କେତେକ ଚାଷୀ ଲିଚୁ ଚାଷରୁ ବିମୁଖ ହୋଇ ଲିଚୁ ଗଛକୁ ନଷ୍ଟ କରି ସେହି ସ୍ଥାନରେ ବିକଳ୍ପ ଚାଷ ପାଇଁ ମନ ସ୍ଥିର କରୁଥିବା ଜଣାପଡିଛି ।
ପ୍ରାକୃତିକ ପରିବେଶ ଅସନ୍ତୁଳ ହେବା କାରଣରୁ ଦିନକୁ ଦିନ ଲିଚୁ ଚାଷରେ ଆର୍ଥିକ କ୍ଷତି ସମ୍ଭାବନା ବଢିଚାଲିଥିବା ବେଳେ ପରିବେଶ ଯଦି ପରିବର୍ତ୍ତନ ନହୁଏ ତାହେଲେ ଚାଷୀ ନିଶ୍ଚିତ ଭାବେ ଲିଚୁ ଚାଷର ବିକଳ୍ପ ଚିନ୍ତା କରିବା ପାଇଁ ବାଧ୍ୟ ହେବ । ଏସମ୍ପର୍କରେ ପରିବେଶବିତ ଲଳିତ ମୋହନ ସାହୁଙ୍କ ମତାମତ ଲୋଡିବାରୁ ସେ କହିଛନ୍ତି ବର୍ତମାନର ପରିବେଶ ପରିବର୍ତନ ହୋଇଛି । ନିୟମିତ ଭାବେ ସଠିକ ଋୁତୁ ଆସୁ ନାହିଁ ସେଥି ପାଇଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ବର୍ତମାନ ସମୟ ଆସିଛି ପରିବେଶକୁ ନିୟନ୍ତ୍ରଣ କରିବାପାଇଁ । ନୂତନ ଜଙ୍ଗଲ ସୃଷ୍ଟି କରିପାରିଲେ ଯାଇ ପରିବେଶ ସୁରକ୍ଷାରେ ଏହା ସହାୟକ ହୋଇପାରିବ ବୋଲି ମତପ୍ରକାଶ କରିଛନ୍ତି ।
