ଆଜିଠୁ ବୁଷ୍ଟର ଡୋଜ୍ : ସ୍ବାସ୍ଥ୍ୟ କର୍ମୀ-ସମ୍ମୁଖ ଯୋଦ୍ଧା-ବରିଷ୍ଠ ନାଗରିକ ନେବେ ଟିକା

ଭୁବନେଶ୍ୱର ୧୦।୦୧: ଆଜିଠୁ ବୁଷ୍ଟର ଡୋଜ୍। ରାଜ୍ୟ ସହ ସାରା ଦେଶରେ ଆଜିଠୁ ଆରମ୍ଭ ହେବ ପ୍ରିକସନ୍ ଡୋଜ୍ ବା ବୁଷ୍ଟର ଡୋଜ୍। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସ୍ବାସ୍ଥ୍ୟ କର୍ମୀ, ସମ୍ମୁଖ ଯୋଦ୍ଧା, ୬୦ବର୍ଷରୁ ଅଧିକ ବର୍ଗର ଯେଉଁମାନଙ୍କର ଦ୍ବିତୀୟ ଡୋଜ୍ ଟିକା ନେବାର ୩୯ ସପ୍ତାହ ହୋଇଥିବ ସେମାନଙ୍କୁ ଏହି ପ୍ରିକସନ ଡୋଜ୍ ଦିଆଯିବ।

ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ରାଜ୍ୟରେ ୬୦ବର୍ଷରୁ ଉର୍ଦ୍ଧ୍ବ ପ୍ରାୟ ୬୦ ଲକ୍ଷ ୩୭ ହଜାର ଲୋକ ପ୍ରିକସନ୍ ଡୋଜ୍ ନେବାକୁ ଥିବା ବେଳେ ୭ ଲକ୍ଷ ୫ ହଜାର ସ୍ବାସ୍ଥ୍ୟ କର୍ମୀ ଓ ସମ୍ମୁଖ ଯୋଦ୍ଧା ଅଛନ୍ତି। ଯେଉଁମାନଙ୍କର ଦ୍ବିତୀୟ ଡୋଜ୍ କୁ ଯେଉଁଦିନ ୩୯ସପ୍ତାହ ପୁରୁଥିବ ସେହି ଦିନ ଟିକା ନେବା ପାଇଁ ପଞ୍ଜୀକୃତ ନମ୍ବରରେ ମେସେଜ୍ ପଠାଯାଉଛି। ଏହାପରେ ସ୍ଲଟ୍ ବୁକିଂ କରି ଟିକା ନେଇପାରିବେ। ଟିକାକରଣ ଯେତେବେଳେ ଆରମ୍ଭ ହୋଇଥିଲା । ସେତେବେଳେ ବହୁତ କମ୍ ଲୋକ ଟିକା ନେଇଥିବାରୁ ଏବେ ପ୍ରିକସନ୍ ଡୋଜ୍ ପାଇଁ ଭିଡ଼ ହେବନି। ଅଗ୍ରାଧିକାର ଭିତ୍ତିରେ ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦେବାକୁ ନିଷ୍ପତ୍ତି ହୋଇଛି।

ତେବେ ୨୦୨୧ ଜାନୁଆରୀ ୧୬ରେ ଦେଶର ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ପ୍ରଥମ ଡୋଜ୍ ଟିକାକରଣ କରାଯାଇଥିଲା। ପ୍ରଥମ ଡୋଜର ୨୮ଦିନ ପରେ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଥିଲା। ଅର୍ଥାତ୍ ଅଧିକାଂଶ ସ୍ବାସ୍ଥ୍ୟ କର୍ମୀ ମାର୍ଚ୍ଚ ଓ ଏପ୍ରିଲ ମାସ ମଧ୍ୟରେ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ତେଣୁ ବୁଷ୍ଟର ଡୋଜ ଟିକା ନେବାକୁ ପ୍ରାୟ ସମସ୍ତେ ଯୋଗ୍ୟ ବିବେଚିତ ହେବେ। ଦେଶରେ ଏବେ ପ୍ରାୟ ୩ କୋଟି ସ୍ବାସ୍ଥ୍ୟ କର୍ମଚାରୀ ଅଛନ୍ତି। ସେହିପରି ୧୩ କୋଟି ୭୯ ଲକ୍ଷ ୬୦ବର୍ଷରୁ ଅଧିକ ନାଗରିକ ଅଛନ୍ତି।

Spread the love