ଆଜିଠୁ ମାଟ୍ରିକ୍ ଖାତାଦେଖା ଆରମ୍ଭ

ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ପରିଚାଳିତ ହାଇସ୍କୁଲ ସାର୍ଟିଫି‌େକଟ୍ ପରୀକ୍ଷା(ମାଟ୍ରିକ୍), ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଖାତା ମୂଲ୍ୟାୟନ ଆଜିଠୁ ଆରମ୍ଭ ହେବ। ସକାଳ 10ଟା ରୁ ଅପରାହ୍‌ଣ 5ଟା ପର୍ଯ୍ୟନ୍ତ ଖାତା ଦେଖା ଚାଲିବ। ମୂଲ୍ୟାୟନ କାର୍ଯ୍ୟ 10 ରୁ 12ଦିନ ମଧ୍ୟରେ ସମାପ୍ତ କରିବାକୁ ବୋର୍ଡ ପକ୍ଷରୁ ଯୋଜନା ହୋଇଛି। ଗତବର୍ଷ ଭଳି ଚଳିତ ବର୍ଷ ମୂଲ୍ୟାୟନ କେନ୍ଦ୍ରରୁ ସିଧାସଳଖ ଅନ୍‌ଲାଇନ୍‌ରେ ମାର୍କ ପୋଷ୍ଟିଂ ହେବ। ତେବେ ମାଟ୍ରିକ୍ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପାଇଁ 16ହଜାର 30ଜଣ ପରୀକ୍ଷକ ନିୟୋଜିତ ହୋଇଥିବା ବେଳେ ଏଥିରେ 761ଜଣ ମୁଖ୍ୟ ପରୀକ୍ଷକ, 1482ଜଣ ଉପମୁଖ୍ୟ ପରୀକ୍ଷକ, 12ହଜାର 265ଜଣ ସହକାରୀ ପରୀକ୍ଷକ ଓ 1522ଜଣ ସ୍କ୍ରୁଟିନାଇଜରଙ୍କୁ ନିଯୁକ୍ତି ଦିଆଯାଇଛି।

ସେହିପରି ମଧ୍ୟମା ଖାତା ମୂଲ୍ୟାୟନ ପାଇଁ 176ଜଣ ପରୀକ୍ଷକଙ୍କୁ ବୋର୍ଡ ନିଯୁକ୍ତି ଦେଇଛି। ଅଧିକାଂଶ ପରୀକ୍ଷକ ଆଜି ସକାଳ 10 ରୁ 2ଟା ମଧ୍ୟରେ ମୂଲ୍ୟାୟନ କେନ୍ଦ୍ରରେ ଯୋଗଦେଇଥିବା ବେଳେ ଅପରାହ୍‌ଣ 3ଟାରେ ମୂଲ୍ୟାୟନ କେନ୍ଦ୍ରରେ ପରୀକ୍ଷଙ୍କ ପ୍ରଶିକ୍ଷଣ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଡିଇଓଙ୍କ ପ୍ରତିନିଧି, ବୋର୍ଡ କ୍ୟାମ୍ପ ଅଫିସର, ମୁଖ୍ୟ ପରୀକ୍ଷକଙ୍କ ସମେତ ଅନ୍ୟ ପରୀକ୍ଷକମାନେ ଯୋଗ ଦେଇଥିଲେ। ଆସନ୍ତାକାଲି ଇଲେକ୍ସନ ଟ୍ରେନିଂ ଥିବାରୁ ଅଧିକାଂଶ ପରୀକ୍ଷକ ଅନୁପସ୍ଥିତ ଥିବା ସୂଚନା ମିଳିଛି। ମୂଲ୍ୟାୟନ ପାଇଁ ମୋଟ 60ଟି ମୂଲ୍ୟାୟନ କେନ୍ଦ୍ର ହୋଇଥିବା ବେଳେ ମାଟ୍ରିକ୍ ପାଇଁ 50ଟି, ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା ମୂଲ୍ୟାୟନ ପାଇଁ 10ଟି କେନ୍ଦ୍ର ସ୍ଥିର ହୋଇଛି। ଯେଉଁ ପରୀକ୍ଷକମାନେ ଯୋଗଦେଇ ନାହାନ୍ତି, ସେମାନେ 26ତାରିଖ ଦିନ ଯୋଗ ଦେବେ ବୋଲି ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। 10 ରୁ 12ଦିନ ବିଶେଷ କରି ଏପ୍ରିଲ୍ ୫ତାରିଖ ସୁଦ୍ଧା ଖାତା ଦେଖା ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେହିପରି ଓଏମ୍‌ଆର୍‌ 4ଟି ଯାକ ସେଟ୍‌ର ମୂଲ୍ୟାୟନ ଆରମ୍ଭ ହୋଇଥିବା ପରୀକ୍ଷା ନିୟନ୍ତ୍ରକ ଡକ୍ଟର ମହାନ୍ତି ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ 5 ଲକ୍ଷ 87ହଜାର 720ଜଣ ପରୀକ୍ଷାର୍ଥୀ ରାଜ୍ୟର 2953ଟି କେନ୍ଦ୍ରରେ ମାଟ୍ରିକ୍‌ ପରୀକ୍ଷା ଦେଇଛନ୍ତି।

Spread the love