ଆଜି ବିଶ୍ୱ ପଖାଳ ଦିବସ

ସାଢ଼େ ଚାରିକୋଟି ଓଡ଼ିଆଙ୍କୁ ଗୋଟିଏ ଖାଦ୍ୟ ଡୋରିରେ ବାନ୍ଧି ରଖିଛି ପଖାଳ । ଓଡ଼ିଶାରେ ମିଳିଥିବା ବିଭିନ୍ନ ଖାଦ୍ୟ ମଧ୍ୟରେ ପଖାଳ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । କେବଳ ଓଡ଼ିଶାର ପୁର ପଲ୍ଲୀରେ ନୁହେଁ ବିଶ୍ୱ ସ୍ତରରେ ପଖାଳର ମାନ୍ୟତା ରହିଛି । ସେଥିପାଇଁ ତ ଧନୀ ହେଉ କି ଗରିବ, ଠାକୁର ହେଉ କିମ୍ବା ରାଜା ସମସ୍ତ ନିକଟରେ ପଖାଳ ଆଦୃତ । ଓଡ଼ିଆଙ୍କ ପ୍ରାଣର ଦେବତା ପ୍ରଭୁ ଜଗନ୍ନାଥଙ୍କର ମଧ୍ୟ ପଖାଳ ପସନ୍ଦ । ସକାଳେ ଯେତେ ଭଲ ଖାଦ୍ୟ ଖାଇଲେ ବି ପଖାଳ ଗଣ୍ଡାଏ ପେଟରେ ନପଡ଼ିଲେ ଓଡ଼ିଆଙ୍କ ମନ ବୁଝେନି । ଦିନ ମଞ୍ଜୁରୀଆ ପଖାଳ ଗଣ୍ଡେ ଖାଇ ଦିନ ସାରା କାର୍ଯ୍ୟ କରିବା ପାଇଁ ସକ୍ଷମ ହୋଇଥାଏ । ଦିନ ଜାକର ଶକ୍ତି ଦେଇଥାଏ ପଖାଳ । ମହାତ୍ମା ଗାନ୍ଧୀ ଓଡ଼ିଶା ଭ୍ରମଣ ଆସିଥିବାବେଳେ ପଖାଳ ଖାଇ ଆତ୍ମ ସନ୍ତୋଷ ବ୍ୟକ୍ତ କରିଥିଲେ ।
ପଖାଳ ଏବେ ବିଶ୍ୱସ୍ତରରେ ଆଦୃତ ହେବା ପରେ ଭିନ୍ନ କରଣ ହୋଇଯାଇଛି । ପଖାଳ କେବେ ଓଡ଼ିଶା ଲୋକଙ୍କର ପ୍ରିୟ ଖାଦ୍ୟ ନୁହେଁ ବରଂ ପଡୋଶୀ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏମିତିକି ବିଶ୍ୱ ସ୍ତରରେ ଯେଉଁଠି ଓଡ଼ିଆ ଲୋକଥାଏ ସେଠି ପଖାଳର ମହକ ବାସୁଥାଏ । ବିଶ୍ୱର କୁଣ ଅନୁକଣରେ ଯଦି ଜଣେ କେହି ପଖାଳ ଖାଉଥିବ ତାହାଲେ ଆପଣ ନିଶ୍ଚିତ ହୋଇଯିବେ ଯେ ସେ ଜଣେ ଓଡ଼ିଆ ପୁଅ ହୋଇଥିବେ । ବିଶେଷ କରି ଗରମ ଦିନେ ପଖାଳର ଆଦର କିଛି ଅଧିକ ହୋଇଥାଲ । ତେଣୁ ଗ୍ରୀଷ୍ମଋତୁର ଆଗମନରେ ପଖାଳ କୁସ୍ୱତନ୍ତ୍ର ମାନ୍ୟତା ଦେଇ ଆଜି ସମସ୍ତେ ପାଳୁଛନ୍ତି ‘ବିଶ୍ୱ ପଖାଳ ଦିବସ’ ।

PAHAKHALA

ଆସୁନ୍ତୁ ଜାଣିବା ବିିଭିନ୍ନ ପ୍ରକାର ପଖାଳ ସମ୍ପର୍କରେ…

 ଦହି ପଖାଳ: ସୁଖିଲା ଅନ୍ନରେ କେବଳ ଦହି ପକାଇ ଗୋଳାଇ ଦିଆଯାଏ। ଏଥିରେ ଦହିର ମାତ୍ରା ଅଧିକ ଥାଏ। ଏହି ମିଶ୍ରିତ ଅନ୍ନରେ ଭଜା ଜିରା ଓ ଅଦା ପାକାଇ ପ୍ରସ୍ତୁତ କରାଯାଏ।

ମିଠା ପଖାଳ: ସାଧା ଅନ୍ନରେ ଚିନି କିମ୍ବା ଧଳା ଗୁଡ ପାକାଇ ରନ୍ଧାଯାଏ। ଏଥିରେ ଭଜା ଜିରା, ଲୁଣ ଓ ଅଦାଖଣ୍ଡ ପକାଇ ପରଷା ଯାଇଥାଏ।

ମଲ୍ଲିଫୁଲ ପଖାଳ: ଏହି ପଖାଳ ଦହି ପଖାଳ ଭଳି ପ୍ରସ୍ତୁତ ହୋଇଥାଏ । ମାତ୍ର ଏହାକୁ ସୁବାସିତ କରିବାକୁ ମଲ୍ଲିଫୁଲ ଦେଇ ପରସାଯାଏ।

ଟଭା ପଖାଳ: ସାଧାଅନ୍ନରେ ଟଭା ମିଶ୍ରିତ ଜଳ ଦେଇ ମହାପ୍ରଭୁଙ୍କ ପାଖରେ ଭୋଗ ଲାଗି ହୁଏ। ଉପରୋକ୍ତ ପ୍ରଣାଳୀରେ ଏହି ପଖାଳ ପ୍ରସ୍ତୁତ ହୁଏ। ଏହା ମଧ୍ୟ ସୁବାସ ପଖାଳ ପର୍ଯ୍ୟାୟଭୁକ୍ତ।

ଘିଅ ପଖାଳ: ସାଧାଅନ୍ନ, ଲୁଣ, ଅଦାଖଣ୍ଡ, ଦହି, ଭଜା ଜିରା ଇତ୍ୟାଦି ଓଳିରେ ରଖାଯାଇ ଏଥିରେ ଘିଅ ମିଶାଯାଏ। ଯାହାକୁ ଶ୍ରୀମନ୍ଦିର ପାରମ୍ପରିକ ପରିଭାଷାରେ ଘିଅ ପଖାଳ କୁହାଯାଏ।

ସୁବାସ ପଖାଳ: ପ୍ରଥମେ କୁଡୁଆରେ ଅନ୍ନ ରନ୍ଧା ହୋଇସାରିବା ପରେ ସେଥିରେ ପାଣି ମିଶିଥାଏ। ଏଥିରେ ସ୍ୱାଦ ଅନୁଯାୟୀ ଲୁଣ ମିଶାଇ କଟା ଅଦା, ଭଜା ଜିରା ପକାଇ ପ୍ରସାଦ ଭାବେ ପରଷାଯାଏ। ଏହା ଏକ ସୁଗନ୍ଧିତ ଅନ୍ନ ହୋଇଥିବାରୁ ପାରମ୍ପରିକ ଭାବେ ଏହାକୁ ସୁବାସ ପଖାଳ ବୋଲି କୁହାଯାଏ।

ଚୁପୁଡା ପଖାଳ: ରନ୍ଧା ହୋଇଥିବା ଅନ୍ନକୁ ଭଲଭାବେ ଚିପୁଡି ଦିଆଯାଏ। ଏଥିରେ ଭଜା ଜିରା, ଲୁଣ ଓ ଦହି ମିଶାଇ ପ୍ରସାଦ ଭାବେ ମାଟିପାତ୍ରରେ ମହାପ୍ରଭୂଙ୍କୁ ପରଷି ଦିଆଯାଏ।

ପାଣି ପଖାଳ: ରନ୍ଧା ହୋଇଥିବା ଅନ୍ନରେ କେବଳ ପାଣି ଓ ଲୁଣ ମିଶାଇ ଏହି ପଖାଳ ପ୍ରସ୍ତୁତ ହୁଏ। ଏଥିରେ ଅନ୍ୟ କୌଣସି ଦ୍ରବ୍ୟ ମିଶ୍ରଣ କରାଯାଏ ନାହିଁ। ସାଧାରଣତଃ ଏହା ପ୍ରତ୍ୟକ ଓଡ଼ିଆ ଘରର ସାଧାରଣ ଖାଦ୍ୟ।

Spread the love