ଆସିକା-ବଡ଼ଗଡ଼ ଥାନା ଅଞ୍ଚଳରେ ଗୁଳିକାଣ୍ଡ ଯୁବକଙ୍କୁ ଦୁଇ ରାଉଣ୍ଡ ଗୁଳି
ବ୍ରହ୍ମପୁର: ଆସିକା-ବଡ଼ଗଡ଼ ଥାନା ଅନ୍ତର୍ଗତ ସରାବାଡ଼ି ଗ୍ରାମରେ ଗୁଳିକାଣ୍ଡ ଘଟିଛି। ଗ୍ରାମର ୩୦ ବର୍ଷୀୟ ଜୟସେନ ପ୍ରଧାନ ନାମକ ଜଣେ ଯୁବକଙ୍କୁ ଦୁଇ ରାଉଣ୍ଡ ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି। ଗୁଳିମାଡ଼ରେ ତାଙ୍କ ପେଟ ଓ ପିଠିରେ ଗୁଳି ବାଜିଥିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଯୋଡ଼ାବନ୍ଧ ଛକ ନିକଟରେ ଜୟସେନ ଥିବା ସମୟରେ ଗୋଟିଏ ବାଇକ୍ରେ ୩ ଜଣ ଯୁବକ ଆସିଥିଲେ। ସେମାନେ ଜୟସେନଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଗୁଳିମାଡ଼ରେ ଜୟସେନଙ୍କ ପେଟ ଓ ପିଠିରେ ଗୁଳି ବାଜିଛି।
ଗୁରୁତର ଅବସ୍ଥାରେ ଜୟସେନଙ୍କୁ ପ୍ରଥମେ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଗୁଳିମାଡ଼ର କାରଣ ଏବଂ ଆକ୍ରମଣକାରୀଙ୍କ ପରିଚୟ ସମ୍ପର୍କରେ ଏଯାବତ୍ ସ୍ପଷ୍ଟ ସୂଚନା ମିଳିନାହିଁ। ଘଟଣାକୁ ନେଇ ବଡ଼ଗଡ଼ ଥାନା ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଘଟଣା ଘଟିଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି ।
