ଇଟାଲୀରୁ ଆସିଥିବା ବିମାନରେ ପୁଣି କରୋନା ବିସ୍ଫୋରଣ, ୧୫୦ ଯାତ୍ରୀ ପଜିଟିଭ୍ ଚିହ୍ନଟ

ଅମୃତସର ୦୭।୦୧: ପଞ୍ଜାବର ଅମୃତସର ଅନ୍ତର୍ଜାତୀୟ ବିମାନ ବନ୍ଦରରେ କ୍ରମାଗତ ଦ୍ଵିତୀୟ ଦିନ କରୋନା ବିସ୍ଫୋରଣ ଘଟିଛି। ଇଟାଲୀରୁ ଆସିଥିବା ଏକ ବିମାନରେ ଶୁକ୍ରବାର ପୁଣି ଥରେ କରୋନା ସଂକ୍ରମିତ ଯାତ୍ରୀ ଆସିଛନ୍ତି। ଏହି ବିମାନରେ ଥିବା ୧୫୦ ଯାତ୍ରୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି। ନାଇସ୍ ଏୟାରଲାଇନର ବିମାନ ମୋଟ୍ ୨୯୦ ଯାତ୍ରୀଙ୍କୁ  ନେଇ ମିଲାନ ସହରରୁ ଅମୃତସର ପହଞ୍ଚିଛି। ସମସ୍ତ ଯାତ୍ରୀଙ୍କୁ ଅମୃତସରରେ କ୍ଵାରେଣ୍ଟାଇନ୍ କରାଯାଇଛି। ଗୁରୁବାର ମଧ୍ୟ ଇଟାଲୀରୁ ଆସିଥିବା ଆଉ ଏକ ବିମାନରେ ୧୭୦ ଯାତ୍ରୀଙ୍କ ମଧ୍ୟରୁ ୧୨୫ ସଂକ୍ରମିତ ଚିହ୍ନଟ ହୋଇଥିଲେ।

ସଂପ୍ରତି ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ କରୋନାର ମୋଟ୍ ୧ ଲକ୍ଷ ୧୭ ହଜାର ୯୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ବ୍ୟତୀତ କରୋନାରେ ୩୦୨ ଜଣଙ୍କ ପ୍ରାଣହାନୀ ଘଟିଛି। ଅନ୍ୟପଟେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୦୧୦ରେ ପହଞ୍ଚିଛି। ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ଓମିକ୍ରନର ସର୍ବାଧିକ ୮୭୬ ଏବଂ ୪୬୫ କେସ୍ ସାମ୍ନାକୁ ଆସିଛି। ଓମିକ୍ରନର ୩୦୧୦ ରୋଗୀଙ୍କ ମଧ୍ୟରୁ ୧୧୯୬ ରୋଗୀ ସୁସ୍ଥ ହୋଇ ସାରିଛନ୍ତି।

Spread the love