ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଜଣେ ବ୍ୟକ୍ତି କେତେ ସମୟ ଶୋଇବା ଉଚିତ, ଜାଣନ୍ତୁ….
ଉତ୍ତମ ସ୍ୱାସ୍ଥ୍ୟ ପାଇଁ ହେଲ୍ଦି ଖାଦ୍ୟପେୟ ସହ ଭଲ ନିଦ ମଧ୍ୟ ବହୁତ ଜରୁରୀ ହୋଇଥାଏ । ମଣିଷର ଅନେକ ରୋଗର ଚିକିତ୍ସା ପାଇଁ ନିଦକୁ ହିଁ ସବୁଠାରୁ ଭଲ ମହୋଷୌଧି ଭାବେ ଗଣାଯାଇଥାଏ । କମ୍ ନିଦ ପାଇଁ ସ୍ବାସ୍ଥ୍ୟ ଖରାପ ହେବା କଥା ସାଧାରଣତଃ ଆମେ ଜାଣିଥାଉ । କିନ୍ତୁ ମେଡିକାଲ ଜର୍ନାଲ ନ୍ୟୁରୋଲୋଜି ଗବେଷଣାରୁ ଜଣାପଡିଛି ଯେ, ଅଧିକ ଶୋଇବା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ ହୋଇଥାଏ । ନିଦ ଆମ ସୁସ୍ଥ ଶରୀର ପାଇଁ ଯେତିକି ଜରୁରୀ ଅଧିକ ଶୋଇବା ମଧ୍ୟ ସେତିକି ଖରାପ ହୋଇଥାଏ ।
ଏହି ବ୍ୟସ୍ତବହୁଳ ଜୀବନରେ ଲୋକଙ୍କ ପାଖରେ ସମୟ ନାହିଁ । ଯାହା ଫଳରେ ସେମାନେ ପ୍ରକୃତିଠାରୁ ଦୂରେଇ ଯାଇଥାନ୍ତି । ସେଥିପାଇଁ ଲୋକଙ୍କ ସ୍ୱାସ୍ଥ୍ୟ ମଧ୍ୟ ଅଧିକ ଖରାପ ହେଉଛି । ଖରାପ ସ୍ୱାସ୍ଥ୍ୟର ପ୍ରଥମ ସଙ୍କେତ ହେଉଛି ନିଦ ଭାଙ୍ଗିବା । ଅଧିକ ନିଦ କିମ୍ବା କମ୍ ନିଦରେ ଶୋଇବା ପ୍ରତି ସାବଧାନ ରୁହନ୍ତୁ । ଯଦିଓ ପର୍ଯ୍ୟାପ୍ତ ନିଦ ଜରୁରୀ ତେବେ ବି ୯ ଘଣ୍ଟାରୁ ଅଧିକ ଶୋଇବା ଦ୍ବାରା ମୃତ୍ୟୁର ଆଶଙ୍କାକୁ ବଢାଇ ଦେଇଥାଏ । ୭ ଘଣ୍ଟାରୁ କମ୍ ଯଦି ଶୋଉଛନ୍ତି ତେବେ ମଧ୍ୟ ସତର୍କ ରୁହନ୍ତୁ । ଯାହା ଆପଣଙ୍କ ବିପି, ସୁଗାର, ଥାଇରଏଡ୍ ଏବଂ କୋଲେଷ୍ଟ୍ରଲ୍କୁ ଅସନ୍ତୁଳିତ କରିଦେଇଥାଏ । ନିଦ୍ରହୀନତା ଯୋଗୁଁ କ୍ୟାନସର ଭଳି ସମସ୍ୟା ଦେଖା ଦେଇଥାଏ । ମଣିଷ ଡିପ୍ରେସନ ଆଡ଼କୁ ଚାଲିଯାଏ । ଏହା ଛଡ଼ା କମ୍ ଶୋଇବା ଦ୍ବାରା ଚିଡଚିଡା, ଦୁର୍ବଳ ମଧ୍ୟ ଅନୁଭବ ହୋଇଥାଏ । କମ୍ ଶୋଇବା ଯୋଗୁଁ ଅନେକ ସମସ୍ୟା ବୃଦ୍ଧି ପାଏ । ଯେପରିକି ନିଷ୍ପତ୍ତି ନେବାରେ ଅସୁବିଧା, ଶିଖିବା କ୍ଷମତା ହ୍ରାସ, ଚାପ ବୃଦ୍ଧି ପାଇଥାଏ । ନିଦ୍ରା ଅଭାବ ଯୋଗୁଁ ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ପ୍ରଭାବିତ କରିଥାଏ ।
୯ ଘଣ୍ଟାରୁ ଅଧିକ ସମୟ ଶୋଇବା ଆହୁରି ବିପଦପୂର୍ଣ୍ଣ । ଏଥିରେ ମୃତ୍ୟୁର ଆଶଙ୍କା ୩୪ ପ୍ରତିଶତ ଅଧିକ । ଏହାର ଅର୍ଥ ହେଉଛି ଯେ କୌଣସି ଜିନିଷର ଅତ୍ୟଧିକ ପରିମାଣ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଆପଣଙ୍କ ନିଦ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ସିଧାସଳଖ ପ୍ରଭାବ ପକାଏ । ସେହିପରି ରାତିରେ ୯ ଘଣ୍ଟା କିମ୍ବା ଏହାଠାରୁ ଅଧିକ ସମୟ ଶୁଅନ୍ତି, ସେମାନଙ୍କଠାରେ ହାର୍ଟ ଷ୍ଟ୍ରୋକ୍ ଏବଂ ବ୍ରେନ୍ ଷ୍ଟ୍ରୋକ୍ର ଆଶଙ୍କା ଅଧିକ ରହିଥାଏ । ଅଧିକ ଶୋଇବା ଦ୍ବାରା ରକ୍ତ ସଞ୍ଚାଳନରେ ବାଧାପ୍ରାପ୍ତ ହୋଇଥାଏ ।
୭ ଘଣ୍ଟାରୁ କମ୍ ଶୋଇବା ଦ୍ବାରା ସ୍ବାସ୍ଥ୍ୟ ଯେତିକି ବିଗିଡିଥାଏ । ସେହିପରି ୯ଘଣ୍ଟାରୁ ଅଧିକ ଶୋଇଲେ ମଧ୍ୟ ଅଧିକ ବିପଦଜନକ ହୋଇଥାଏ । ହଁ ଆଜ୍ଞା ଶୋଇବା ଉଚିତ୍ କିନ୍ତୁ ଅତ୍ୟଧିକ ମାତ୍ରାରେ ଶୋଇବାଠାରୁ ଦୂରରେ ରୁହନ୍ତୁ । କଥାରେ ଅଛି ଅତି ଲେମ୍ବୁ ଚିପୁଡିଲେ ପିତା । ତେଣିକି ସେ ଖାଇବା ହେଉ ଅବା ଶୋଇବା । ପ୍ରତ୍ୟେକ ଜିନିଷରେ ଗୋଟିଏ ଉପଯୁକ୍ତ ପରିମାଣର ହେବା ଉଚିତ୍ । ତେଣୁ ରାତିରେ ଠିକ୍ ସମୟରେ ଶୋଇବା ଏବଂ ସକାଳେ ଠିକ୍ ସମୟରେ ଉଠିବା ଅଭ୍ୟାସ କରନ୍ତୁ। ପ୍ରତିଦିନ ଯୋଗ ଏବଂ ପ୍ରାଣାୟମ ଭଳି ବ୍ୟାୟାମ କରନ୍ତୁ। ଏହା ତୁମର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବ।
