ଉତ୍ତରରୁ ଅପରାଜିତା…

ଭୁବନେଶ୍ୱର ଉତ୍ତରରୁ ଅପରାଜିତା ମହାନ୍ତି । ଗତବର୍ଷ ‘ହାତ’ ଛାଡ଼ି ‘ପଦ୍ମ’ ଧରିଥିବା ଅପରାଜିତାଙ୍କୁ ଆଜି ଭୁବନେଶ୍ୱର ଉତ୍ତରରୁ ପ୍ରାର୍ଥୀ କରିଛି ବିଜେପି ।  ୨୦୧୪ ସାଧାରଣ ନିର୍ବାଚନରେ କଟକ ଲୋକସଭା କ୍ଷେତ୍ରରୁ କଂଗ୍ରେସରୁ ତରଫରୁ ପ୍ରାର୍ଥୀ ହୋଇ ଅପରାଜିତା ବିଜେଡିର ଭର୍ତ୍ତୃହରି ମହତାବଙ୍କ ଠାରୁ ପରାଜିତ ହୋଇଥିଲେ । ଏହାପରେ ଗତବର୍ଷ ଫେବୃୟାରୀ ୧୯ ତାରିଖରେ ବିଜେପିରେ ମିଶିଥିଲେ । ତେଣୁ ଦଳ ତାଙ୍କୁ ଭୁବନେଶ୍ୱର ଉତ୍ତର କ୍ଷେତ୍ରରୁ ଟିକେଟ୍ ଦେଇଛି ।

ଅନ୍ୟପଟେ ୨୦୦୯ରୁ ଗଠନ ହୋଇଥିବା ଏହି ବିଧାନସଭା ମଣ୍ଡଳୀରେ ଦୁଇଟି ନିର୍ବାଚନରେ ବିଜେଡି ବିଜେତା ରହିଛି । କିନ୍ତୁ ଏଯାବତ୍ ବିଜେଡି ଏହି ବିଧାନସଭା କ୍ଷେତ୍ର ପାଇଁ କାର୍ଡ ଖୋଲି ନଥିବାବେଳେ ବିଜେପି ଓଲିଉଡ଼ର ଭେଟେରାନ୍ ଅପରାଜିତା ମହାନ୍ତିଙ୍କୁ ବିଜେପି ମଙ୍ଗ ଧରାଇଛନ୍ତି ।

ତେବେ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଗଠନ ହେବାପରଠାରୁ ଦୁଇଥର ପ୍ରାର୍ଥୀ ବଦଳାଇ ବିଜେଡି ବିଜୟଧାରା ବଜାୟ ରଖିଛି । ୨୦୦୯ରେ ବିଜେଡି ଭାଗିରଥୀ ବଡ଼ଜେନାଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଥିବାବେଳେ ୨୦୧୪ ନିର୍ବାଚନରେ ବିଜେଡିର ଡଙ୍ଗା ପରିକରିଥିଲେ ବର୍ତ୍ତମାନର ବିଧାୟକ ପ୍ରିୟଦର୍ଶୀ ମିଶ୍ର । ଆସନ୍ତା ୨୩ ତାରିଖ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଏହି ବିଧାନସଭା କ୍ଷେତ୍ରରେ ନିଜ ନେତା ବାଛିବେ ଭୋଟର ।

ତେବେ ବିଜେପି ଆଗୁଆ ପ୍ରାର୍ଥୀ ଘୋଷଣା କରି ଅପରାଜିତାଙ୍କୁ ପ୍ରାର୍ଥୀ କରିଥିବାବେଳେ ଏବେ ବିଜେଡି ପୁଣି ପ୍ରିୟଦର୍ଶୀଙ୍କୁ ଭରସିବ ନା ଦୁଇଟି ନିର୍ବାଚନ ଭଳି ପ୍ରାର୍ଥୀ ବଦଳାଇବ ? ତାହା ଉପରୁ ଖୁବଶୀଘ୍ର ପରଦା ଉଠିବ ବୋଲି ଶୁଣିବାକୁ ମିଳୁଛି । ଅନ୍ୟପଟେ ଅପରାଜିତାଙ୍କୁ ଭୁବନେଶ୍ୱର ଉତ୍ତରବାସୀ କେତେ ମାତ୍ରାରେ ଗ୍ରହଣ କରିବେ ତାହା ଉପରେ ସମସ୍ତଙ୍କ ନଜର ।

Spread the love