ଏସୀୟ ଚାମ୍ପିଅନସିପ୍-୨୦୨୬: ଚାମ୍ପିଅନସିପରେ ଚମକିଲେ କିଟ୍ ଓ କିସ୍ କ୍ରୀଡ଼ାବିତ୍
ଭୁବନେଶ୍ୱର : ଚାମ୍ପିଅନସିପରେ ଚମକିଲେ କିଟ୍ ଓ କିସ୍ କ୍ରୀଡ଼ାବିତ୍ । କିଟ୍ ଓ କିସ୍ ଛାତ୍ରୀମାନେ ନିକଟରେ ସମ୍ପନ୍ନ ହୋଇଥିବା ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ଉତ୍କୃଷ୍ଟ ପ୍ରଦର୍ଶନ କରି ପୁଣି ଥରେ କିଟ୍ ଓ କିସ୍ ପାଇଁ ଗୌରବ ଆଣିଛନ୍ତି । ଫେବୃଆରୀ ୪ରୁ ୧୩ ପର୍ଯ୍ୟନ୍ତ ଦିଲ୍ଲୀ ଡକ୍ଟର କର୍ଣ୍ଣି ସିଂହ ସୁଟିଂ ରେଞ୍ଜରେ ଚାଲୁଥିବା ଏସୀୟ ଚାମ୍ପିଅନସିପ୍-୨୦୨୬ରେ ୧୦ମିଟର ଏୟାର ରାଇଫଲ୍ ଜୁନିଅର ମହିଳା ବର୍ଗରେ କିଟ୍ ଛାତ୍ରୀ ମାନ୍ୟତା ସିଂହ ରୌପ୍ୟ ପଦକ ହାସଲ କରିଛନ୍ତି । ସେ ଅଲ୍ ଇଣ୍ଡିଆ ଆନ୍ତଃ-ବିଶ୍ୱବିଦ୍ୟାଳୟ ସୁଟିଂ ଚାମ୍ପିଅନସିପରେ ପଞ୍ଚମ ସ୍ଥାନ ହାସଲ କରି ନିଜର ପରିଚୟକୁ ଆହୁରି ସୁଦୃଢ଼ କରିପାରିଛନ୍ତି ।
ଏହା ସହିତ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପାଇଁ ମନୋନୀତ ହେବାର ସୁଯୋଗ ପାଇଛନ୍ତି । ଅନ୍ୟ ଏକ ଉଲ୍ଲେଖନୀୟ ସଫଳତାରେ ଆଇ. ଡବ୍ଲ୍ୟୁ. ଏଫ୍ ଜାତୀୟ ବରିଷ୍ଠ, କନିଷ୍ଠ ଏବଂ ଯୁବ ଭାରୋତ୍ତୋଳନ ଚାମ୍ପିଅନସିପ୍ ୨୦୨୫-୨୬ରେ କିସର ପ୍ରଥମ ବର୍ଷର ଛାତ୍ରୀ ମିନା ସାନ୍ତା ବି ୫୩ କେଜି ଯୁବ (ଉପକନିଷ୍ଠ-ବାଳିକା) ବର୍ଗରେ କାଂସ୍ୟ ପଦକ ଜିତିଛନ୍ତି । ସମଗ୍ର ଦେଶର ଶ୍ରେଷ୍ଠ ଯୁବ ଭାରୋତ୍ତୋଳନକାରୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତାରେ ମିନା ସାନ୍ତା ଅସାଧାରଣ ଶକ୍ତି, କୌଶଳ ଓ ସଂଯମ ପ୍ରଦର୍ଶନ କରି ମୋଟ ୧୫୨ କିଲୋଗ୍ରାମ ଭାର ଉଠାଇଥିଲେ । ଉଭୟ ପଦକ ବିଜେତାଙ୍କୁ ଅଭିନନ୍ଦନ ଜଣାଇ କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ସେମାନଙ୍କ ସମପର୍ଣ, ଶୃଙ୍ଖଳା ଓ ଦୃଢ଼ ସଂକଳ୍ପକୁ ପ୍ରଶଂସା କରିଛନ୍ତି । ଏହା ସହିତ ଡକ୍ଟର ସାମନ୍ତ ସେମାନଙ୍କ ନିରନ୍ତର ସଫଳତା କାମନା କରିବା ସହ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଉତ୍କର୍ଷତା ପାଇଁ ପ୍ରୟାସ କରିବାକୁ ଉତ୍ସାହିତ କରିଥିଲେ ।
