ଏହି ସ୍ଥାନରେ ନାରୀଙ୍କ ପରି ଶାଢୀ- ଶଙ୍ଖା ସିନ୍ଦୁର ପିନ୍ଧି ଦେବୀଙ୍କ ପୂଜା କରନ୍ତି ପୁରୁଷ

ଭାରତରେ ସ୍ଥାନ ବଦଲବା କ୍ଷଣି ପରମ୍ପରା ବଦଳି ଯାଏ ବୋଲି କୁହାଯାଏ। ଏହି ପରମ୍ପରାଗୁଡ଼ିକ ମଧ୍ୟରୁ କେତେକ ଅତ୍ୟନ୍ତ ସ୍ୱତନ୍ତ୍ର ହୋଇଥାଏ ଏବଂ ଆଶ୍ଚର୍ଯ୍ୟ ମଧ୍ୟ କରିଥାଏ। ପଶ୍ଚିମବଙ୍ଗର ହୁଗଲି ଜିଲ୍ଲାର ଚନ୍ଦନଗରରେ ଏହିପରି ଏକ ନିଆରା ପରମ୍ପରା ଦେଖିବାକୁ ମିଳେ। ଏହି ପରମ୍ପରା ଅନୁଯାୟୀ ପୁରୁଷମାନେ ଶାଢ଼ୀ ପିନ୍ଧି ଦେବୀ ମା’ଙ୍କୁ ପୂଜା କରନ୍ତି । ପ୍ରାୟ ୨୩୦ ବର୍ଷ ଧରି ଏହି ପରମ୍ପରା ସେଠାରେ ଚାଲି ଆସୁଛି। ଏହି ନିଆରା ପରମ୍ପରାରେ ଦେବୀ ଜଗଧାତ୍ରୀଙ୍କୁ ପୂଜା କରାଯାଏ। ଏହି ସମୟରେ ଘରର ମହିଳାମାନେ ନୁହଁନ୍ତି ବରଂ ପୁରୁଷମାନେ ଶାଢ଼ୀ ପିନ୍ଧି ମା’ଙ୍କ ପୂଜା କରନ୍ତି । ଶାଢୀ ପିନ୍ଧି ପୁରୁଷମାନେ ସିନ୍ଦୂର ଏବଂ ପାନ ପତ୍ର ଦ୍ଵାରା ମା’ ଜଗଧାତ୍ରୀଙ୍କୁ ପୂଜା କରିଥାନ୍ତି। ଏହି ପୂଜା ସମୟରେ ୧୩ ଜଣ ପୁରୁଷ ଏକାସଙ୍ଗେ ଶାଢ଼ୀ ପିନ୍ଧିବା ସହ ମୁଣ୍ଡରେ ଓଢଣା ଦେଇ ମାତା ଜଗଧାତ୍ରୀଙ୍କୁ ପୂଜା କରିଥାଆନ୍ତି। ପ୍ରତିବର୍ଷ ଏହା ବହୁତ ସୁନ୍ଦର ଦୃଶ୍ୟ ସୃଷ୍ଟି କରିଥାଏ। ଏଥର ମଧ୍ୟ ଶହ ଶହ ଭକ୍ତ ଏହି ଚମତ୍କାର ଦୃଶ୍ୟ ଦେଖିବା ପାଇଁ ମଣ୍ଡପ ପରିସର ଭିତରେ ଏବଂ ବାହାରେ ଏକତ୍ରିତ ହୋଇଥିଲେ।

ଏହି ନିଆରା ପରମ୍ପରା ପଛରେ ଏକ ବିଶେଷ କାରଣ ମଧ୍ୟ ରହିଛି। ସ୍ଥାନୀୟ ଲୋକ କୁହନ୍ତି ଯେ, ୨୨୯ ବର୍ଷ ପୂର୍ବେ ଯେତେବେଳେ ବ୍ରିଟିଶରମାନେ କ୍ଷମତାରେ ଥିଲେ, ସେମାନଙ୍କ ଭୟ ହେତୁ ମହିଳାମାନେ ସନ୍ଧ୍ୟା ପରେ ନିଜ ଘରୁ ବାହାରକୁ ବାହାରୁ ନଥିଲେ। ସେହି ସମୟରେ, ସେମାନଙ୍କ ପୂର୍ବପୁରୁଷମାନେ ଶାଢ଼ୀ ପିନ୍ଧି ମା’ ଜଗଧାତ୍ରୀଙ୍କୁ ପୂଜା କରିଥିଲେ। ସେବେଠାରୁ ଏହି ପରମ୍ପରା ଆରମ୍ଭ ହେବା ସହ ଏବେ ସୁଦ୍ଧା ପୁରୁଷମାନେ ଶାଢ଼ୀ ପିନ୍ଧନ୍ତି ମାତାଙ୍କ ପୂଜା କରନ୍ତି। ସ୍ଥାନୀୟ ଲୋକ ଏହା ମଧ୍ୟ କହିଛନ୍ତି ଯେ ୨୫୦ ବର୍ଷ ପୂର୍ବେ ବଙ୍ଗଳାର ରାଜା କୃଷ୍ଣଚନ୍ଦ୍ର ଦେୱାନ ଦାତାରାମ ସୁର ଥିଲେ। ତାଙ୍କ ଝିଅର ଚନ୍ଦନନଗରର ଗୋରହାଟିରେ ଗୋଟିଏ ଘର ଥିଲା। ସେଠାରେ ମା’ ଜଗଧାତ୍ରୀଙ୍କ ପୂଜା କରାଯାଇଥିଲା। ତେବେ, ଯେତେବେଳେ ସେମାନଙ୍କ ଘରେ ଆର୍ଥିକ ସଙ୍କଟ ଦେଖାଗଲା, ସେତେବେଳେ ରାଜାଙ୍କ ଝିଅ ସେହି ପୂଜାପାଠ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ହସ୍ତାନ୍ତର କରିଦେଇଥିଲେ। ସେହି ସମୟରେ, ମହିଳାମାନଙ୍କ ପାଇଁ ପରଦା ପ୍ରଥା ପ୍ରଚଳିତ ଥିଲା। ଏହି କାରଣରୁ, ଜଗଧାତ୍ରୀ ମା’ଙ୍କ ବିସର୍ଜନ ଦିନ ପୁରୁଷମାନେ ଶାଢ଼ୀ ପିନ୍ଧି ପୂଜାର ସମସ୍ତ ପ୍ରକ୍ରିୟା ସମାପ୍ତ କରୁଥିଲେ। ସେବେଠାରୁ ଏହି ପରମ୍ପରା ପ୍ରଚଳିତ ରହିଛି ବୋଲି ବିଶ୍ୱାସ କରାଯାଏ।

Spread the love