ଏହି ୧୧ ଜିଲ୍ଲାକୁ କାଳବୈଶାଖୀ

ଭୁବନେଶ୍ୱର, ୧୯/୪: ଦିନକୁ ଦିନ ରାଜ୍ୟରେ ପାରଦ ବଢ଼ୁଛି।   ଫଳରେ ଅଧିକାଂଶ ସହରରେ ଗରମ ଅପେକ୍ଷା ବଢ଼ିଥିବା ଗୁଳୁଗୁଳି ଲୋକଙ୍କୁ କଲବଲ କରୁଛି।  ଏହା ମଧ୍ୟରେ ରବିବାର ରାଜ୍ୟର ୪ ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିବା ରେକର୍ଡ ହୋଇଛି। ଆସନ୍ତା ୩ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଳାରେ ପାରଦ ବଢ଼ିବ । ଭୁବନେଶ୍ୱର, ଅନୁଗୁଳ ସମେତ ଢେଙ୍କାନାଳ, ପଶ୍ଚିମ ଓଡ଼ିଶା ଓ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସହରରେ ତାତି ବଢ଼ିବା ନେଇ ପୂର୍ବାନୁମାନ କରାଯାଇଛି। ହେଲେ ବର୍ତ୍ତମାନ ଦିନେ ୨ ଦିନ ରାଜ୍ୟର ବିଭିନ୍ନ ଜିଲ୍ଳାରେ କାଳବୈଶାଖୀ ସମ୍ଭାବନା ରହିଛି। ଯାହାଫଳରେ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ସୂଚନା ମୂତାବକ, ସୋମବାର ଉପରବେଳା ରାଜ୍ୟର ୧୧ ଜିଲ୍ଲାକୁ କାଳବୈଶାଖୀ ସମ୍ଭାବନା ରହିଛି। ଏନେଇ ସମ୍ପୃକ୍ତ ଜିଲ୍ଲାଗୁଡ଼ିକୁ ସତର୍କ ରହିବାକୁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଥିବାବେଳେ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ମୁଖ୍ୟତଃ ଉପକୂଳବର୍ତ୍ତି ତଥା ତତ୍ ସଂଲଗ୍ନ ଜିଲ୍ଳାର ଗୋଟିଏ କିମ୍ବା ୨ଟି ସ୍ଥାନରେ ବର୍ଷା, ଘଡ଼ଘଡ଼ି ଓ ବଜ୍ରପାତ ସମ୍ଭାବନା ଥିବାବେଳେ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିମି ରହିବ ବୋଲି ପୂର୍ବାନୁମାନ କରାଯାଇଛି। ଜିଲ୍ଲାଗୁଡ଼ିକ ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଯପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ରହିଛି। ଏହାଛଡ଼ା ସୋମବାର ସକାଳ ଯାଏ ରାଜ୍ୟର ୧୬ ଜିଲ୍ଲାକୁ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି।

Spread the love