ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ମିଳିଛି ନୂଆ ସୁରାକ, ଭଡ଼ା କାରରେ ରାୟଗଡ଼ା ପର୍ଯ୍ୟନ୍ତ ଯାଇଥିଲା ପ୍ରଶ୍ନପତ୍ର
କଟକ : ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ କ୍ରାଇମବ୍ରାଞ୍ଚକୁ ମିଳିଛି ନୂଆ ସୁରାକ । ଭଡ଼ା କାରରେ ଯାଇଥିଲା ଓଟିଇଟି ପ୍ରଶ୍ନପତ୍ର । ପ୍ରଘଟ ହୋଇଥିବା ପ୍ରଶ୍ନପତ୍ର ଏକ ଭଡ଼ା କାରରେ କଟକରୁ ପ୍ରଥମେ ନୟାଗଡ଼ ଓ ନୟାଗଡ଼ରୁ ରାୟଗଡ଼ା ପର୍ଯ୍ୟନ୍ତ ଯାଇଥିଲା । ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ଏହାକୁ ଭଡ଼ା କାରରେ ଶିକ୍ଷକ ନେତା ବିଜୟ ମିଶ୍ରଙ୍କ ସମ୍ପର୍କୀୟ ଭାଇଙ୍କ ନିକଟକୁ ପଠାଇଥିଲା ।
ସେହି ଭଡ଼ା କାରରେ ବିଜୟ ମିଶ୍ରଙ୍କ ସମ୍ପର୍କୀୟ ଭାଇ ରାୟଗଡ଼ା ଯାଇ ବିଜୟ ମିଶ୍ରଙ୍କୁ ପ୍ରଶ୍ନପତ୍ର ହସ୍ତାନ୍ତର କରିଥିଲେ । ସଂପୃକ୍ତ କାର ଡ୍ରାଇଭର ଓ ବିଜୟ ମିଶ୍ରଙ୍କ ସମ୍ପର୍କୀୟ ଭାଇଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ । ବିଜୟ ମିଶ୍ରଙ୍କ ଭାଇ ଏହି ଘଟଣାରେ ଗିରଫ ହେବାର ସମ୍ଭାବନା ଥିବା ବେଳେ କାର ଡ୍ରାଇଭର ରାଜସାକ୍ଷୀ ହୋଇପାରନ୍ତି । ବୋର୍ଡ ଉପ ସଭାପତିଙ୍କ ଲାପଟପରୁ ପ୍ରଶ୍ନପତ୍ର ଆସିଥିବା ପେନଡ୍ରାଇଭ ସମ୍ପର୍କରେ ଜିତନ ମହାରଣା କିମ୍ବା ବିଜୟ ମିଶ୍ର ସେଭଳି ତଥ୍ୟ କ୍ରାଇମବ୍ରାଞ୍ଚକୁ ଦେଇ ନାହାଁନ୍ତି । ଜିତନ ମହାରଣା ଜଣେ ସାଧାରଣ ଡାଟା ଏଣ୍ଟ୍ରି ଅପରେଟର ହୋଇଥିବାରୁ ଏଥିରେ ଉପ ସଭାପତି ନିହାର ରଞ୍ଜନ ମହାନ୍ତିଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ସନ୍ଦେହ କରୁଛି କ୍ରାଇମବ୍ରାଞ୍ଚ । ତେଣୁ ନିହାର ରଞ୍ଜନ ମହାନ୍ତିଙ୍କୁ ରିମାଣ୍ଡରେ ଆଣି କ୍ରାଇମବ୍ରାଞ୍ଚ ଅଧିକ ପଚରାଉଚରା କରିବ ବୋଲି ଜଣାପଡିଛି ।
