ଓଡ଼ିଶାରୁ ବିଜେପିର ରାଜ୍ୟସଭା ପ୍ରାର୍ଥୀ ତାଲିକା ଘୋଷଣା, ମନମୋହନ ସାମଲ ଓ ସୁଜିତ କୁମାରଙ୍କୁ ମିଳିଲା ସୁଯୋଗ

ଭୁବନେଶ୍ୱର:  ଓଡ଼ିଶାରୁ ବିଜେପିର ରାଜ୍ୟସଭା ପ୍ରାର୍ଥୀ ତାଲିକା ଘୋଷଣା। ମନମୋହନ ସାମଲ ଓ ସୁଜିତ କୁମାରଙ୍କୁ ମିଳିଲା ସୁଯୋଗ। ଭାରତୀୟ ଜନତା ପାର୍ଟି ଓଡ଼ିଶାରୁ ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ନେତାଙ୍କ ନାମ ଚୂଡ଼ାନ୍ତ କରିଛି। ପାର୍ଟି ପକ୍ଷରୁ ଅଭିଜ୍ଞ ନେତା ମନମୋହନ ସାମଲ ଏବଂ ସୁଜିତ କୁମାରଙ୍କୁ ପ୍ରାର୍ଥୀ କରାଯାଇଛି। ଦଳର ସାଂଗଠନିକ ଶକ୍ତି ଏବଂ ଆଞ୍ଚଳିକ ପ୍ରତିନିଧିତ୍ୱକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ପଛରେ ରହିଛି ସାଂଗଠନିକ ଗୁରୁତ୍ବ ଓ ସଂସଦୀୟ ଦକ୍ଷତାକୁ ଗୁରୁତ୍ବ ଦିଆଯାଇଛି।

ମନମୋହନ ସାମଲ ଜଣେ ଟାଣୁଆ ସାଂଗଠନିକ ନେତା ଏବଂ ବର୍ତ୍ତମାନ ଓଡ଼ିଶା ବିଜେପିର ସଭାପତି ଅଛନ୍ତି। ତାଙ୍କର ଦୀର୍ଘ ବର୍ଷର ରାଜନୈତିକ ଅଭିଜ୍ଞତା ଏବଂ ତୃଣମୂଳ ସ୍ତରରେ କର୍ମକର୍ତ୍ତାଙ୍କ ସହ ଥିବା ଗଭୀର ସମ୍ପର୍କ ଦଳକୁ ଆଗାମୀ ଦିନରେ ଅଧିକ ସୁଦୃଢ଼ କରିବ। ତାଙ୍କୁ ରାଜ୍ୟସଭାକୁ ପଠାଇ ଦଳ ଜଣେ ଅଭିଜ୍ଞ ସାରଥୀଙ୍କୁ ସମ୍ମାନ ଦେଇଛି।

ସୁଜିତ କୁମାର ନିଜର ସଂସଦୀୟ ଅଭିଜ୍ଞତା ଏବଂ ସଂସଦୀୟ ନିୟମାବଳୀ ଉପରେ ଗଭୀର ଜ୍ଞାନ ପାଇଁ ଜଣାଶୁଣା। ତାଙ୍କୁ ପୁଣିଥରେ ପ୍ରାର୍ଥୀ କରି ବିଜେପି ଉପର ସଦନରେ ନିଜର ପକ୍ଷକୁ ଯୁକ୍ତିଯୁକ୍ତ ଭାବେ ଉପସ୍ଥାପନ କରିବାକୁ ଚାହୁଁଛି। ସେ ପଶ୍ଚିମ ଓଡ଼ିଶାର କଳାହାଣ୍ଡିରୁ ଆସୁଥିବାରୁ ଦଳର ସେଠାରେ ଥିବା ପତିଆରା ମଧ୍ୟ ବଜାୟ ରହିବ।

ଆଞ୍ଚଳିକ ସନ୍ତୁଳନକୁ ମଧ୍ୟ ଗୁରୁତ୍ବ ଦେଇଛି ବିଜେପି। ବିଜେପି ଏହି ଚୟନ ମାଧ୍ୟମରେ ସମଗ୍ର ଓଡ଼ିଶାକୁ ଏକ ବଡ଼ ସନ୍ଦେଶ ଦେଇଛି। ମନମୋହନ ସାମଲ ଉପକୂଳ ଓଡ଼ିଶାର ପ୍ରତିନିଧିତ୍ୱ କରୁଥିବା ବେଳେ ସୁଜିତ କୁମାର ପଶ୍ଚିମ ଓଡ଼ିଶାର ପ୍ରତିନିଧିତ୍ୱ କରୁଛନ୍ତି। ଏହାଦ୍ୱାରା ଦଳ ଉଭୟ ଅଞ୍ଚଳ ମଧ୍ୟରେ ଏକ ରାଜନୈତିକ ସନ୍ତୁଳନ ରକ୍ଷା କରିବାକୁ ସକ୍ଷମ ହୋଇଛି ବିଜେପି।

Spread the love