ଓଡିଶାରେ ‘ଆମା ସାଥୀ’ ହ୍ୱାଟସଆପ୍ ଚାଟବଟ୍ ଲଞ୍ଚ, ନାଗରିକମାନେ ଜନ୍ମ-ମୃତ୍ୟୁ ପ୍ରମାଣପତ୍ର ଭଳି ୧୨୦ ଟି ସେବା ପାଇପାରିବେ
ଭୁବନେଶ୍ୱର : ହାତ ପାହାନ୍ତାରେ ମିଳିବ ସରକାରୀ ସେବା । ଜନ୍ମ ମୃତ୍ୟୁ, ଆଇନଗତ ଉତ୍ତରାଧିକାରୀ, ବାସସ୍ଥାନ ଏବଂ ଆୟ ପ୍ରମାଣପତ୍ର, ଡ୍ରାଇଭିଂ ଲାଇସେନ୍ସ, ଫର୍ଟିଲାଇଜର ଲାଇସେନ୍ସ, ଆର୍ନ୍ତଜାତି ବିବାହରୁ ଲାଭ, ଜାତୀୟ ପରିବାର ଯୋଜନାରୁ ଲାଭ ଭଳି ବହୁ ସୁବିଧା ହ୍ୱାଟସଆପ ଜରିଆରେ ମିଳିପାରିବ ।
ଲୋକଙ୍କ ହାତ ପାହାନ୍ତାରେ ସେବା ପହଞ୍ଚାଇବାକୁ ଆରମ୍ଭ ହେଲା ଆମ ସାଥୀ ୟୁନିଫାଏଡ ହ୍ୱାଟସଆପ ବଟ । ୯୪୩୭୨୯୨୦୦୦ ହ୍ୱାଟସଆପ ନମ୍ବରରେ ଆବେଦନ କରି ପାରିବେ । ଆବେଦନ ଠୁ ସାର୍ଟିଫିକେଟ ଏହି ନମ୍ୱର୍ ଜରିଆରେ ପାଇ ପାରିବେ । ପ୍ରଥମ ପର୍ଯ୍ୟାୟରେ ସରକାରଙ୍କ ବିଭିନ୍ନ ବିଭାଗର ୧୩୨ ଟି ସେବା ପାଇଁ ଆବେଦନ କରିହେବ । ପରବର୍ତ୍ତୀ ମୁହୂର୍ତ୍ତରେ ଅନ୍ୟ ସେବା ଗୁଡ଼ିକୁ ସାମିଲ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।
୨୦୨୫ ଶେଷ ସୁଦ୍ଧା, ଓଡ଼ିଶା ଲୋକସେବା ଅଧିକାର ଆଇନ ଅଧୀନରେ ଅଧିସୂଚିତ ସମସ୍ତ ସାର୍ବଜନୀନ ସେବା ଏକକ ହ୍ବାଟ୍ସଆପ ବଟ୍ ମାଧ୍ୟମରେ ଯୋଗାଇ ଦିଆଯିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଜଣେ ବ୍ୟକ୍ତି ଇଂରାଜୀ କିମ୍ବା ଓଡ଼ିଆରେ ଲେଖି ହ୍ବାଟ୍ସଆପରେ ସମସ୍ତ ସରକାରୀ ସେବାରୁ ଉପକୃତ ହୋଇପାରିବେ । ଓଡ଼ିଆ ବା ଇଂରାଜୀ ଲେଖି ଜାଣି ନଥିବା ଲୋକମାନେ ଭାରତ ସରକାରଙ୍କ ‘ଭାଷିନୀ ପ୍ଲାଟଫର୍ମ’ ବ୍ୟବହାର କରି ନିଜର କଣ୍ଠସ୍ବର ମାଧ୍ୟମରେ ଏହି ସେବା ପାଇପାରିବେ । ମେଟା ଇଣ୍ଡିଆ ସହ ମିଶି ସାଧରଣ ପ୍ରଶାସନ ବିଭାଗ ଏହି ପଦକ୍ଷେପ ନେଇଛି ।
