ଓଡ଼ିଶାର ସମ୍ବାଦପତ୍ର ସଂପାଦକମାନଙ୍କ ସହ କରୋନା ମୁକାବିଲା ପ୍ରସଙ୍ଗରେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କରୋନା ମୁକାବିଲା ନେଇ ଓଡ଼ିଶାର ଗଣମାଧ୍ୟମ ମୁଖ୍ୟମାନଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ଏହି କ୍ରମରେ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମମନ୍ତ୍ରୀ ‘ସମ୍ବାଦ’ ଗ୍ରୁପ ଅଧ୍ୟକ୍ଷ ତଥା ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ସହ କରୋନା ମୁକାବିଲା ସଂକ୍ରାନ୍ତରେ ବିଭିନ୍ନ ପ୍ରସଙ୍ଗ ଆଲୋଚନା କରିଛନ୍ତି। କରୋନା କିଭଳି ମୁକାବିଲା କରାଯାଇପାରିବ ସେ ସଂକ୍ରାନ୍ତରେ ମତବିନିମୟ କରିଥିଲେ। ମୁଦ୍ରିତ ଗଣମାଧ୍ୟମ ଉପରେ ଲୋକମାନଙ୍କର ଭରସା ରହିଛି ଓ ଗଣାମାଧ୍ୟମମାନଙ୍କର ଆବଶ୍ୟକତା ପୂରଣ ଲାଗି ଯାହା ଜରୁରୀ ତାହା କେନ୍ଦ୍ର ସରକାର ଯୋଗାଇଦେବେ ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ ମତପ୍ରକାଶ କରିଛନ୍ତି।

ଭୁବନେଶ୍ବରର ଏନଆଇସିରେ ଉପସ୍ଥିତ ରହି ଶ୍ରୀଯୁକ୍ତ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ପ୍ରେସ ଇନଫରମେସନ୍ ବ୍ୟୁରୋ ପକ୍ଷରୁ ଜାରି ଟୁଇଟରେ ଏହି ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀଙ୍କ  ଭିଡିଓ କନଫ‌େରେନ୍ସିଂରେ ‘ସମ୍ବାଦ’ ସମ୍ପାଦକଙ୍କ ବ୍ୟତୀତ ‘ଧରିତ୍ରୀ’ର ସଂପାଦକ ତଥାଗତ ସତପଥି ଓ ‘ସମାଜ’ର କାର୍ଯ୍ୟନିର୍ବାହୀ ସଂପାଦକ ସୁଶାନ୍ତ ମହାନ୍ତିଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀ ଗତକାଲି ଠାରୁ ଦେଶର ବିଭିନ୍ନ ଗଣମାଧ୍ୟମର ମୁଖ୍ୟ ଓ ସଂପାଦକଙ୍କ ସହ ଆଲୋଚନା ଜାରି ରଖିଛନ୍ତି। କରୋନା ମହାମ‌ାରୀ ମୁକାବିଲା ଲାଗି ସରକାର ନେଉଥିବା ପଦକ୍ଷେପ ଓ ଆଉ କ’ଣ କରାଯାଇପାରିବ ସେ ନେଇ ସେମାନଙ୍କର ମତାମତ ଲୋଡ଼ିବା ସହ ଜନସଚେତନତା ସୃଷ୍ଟି ଲାଗି ସେମାନଙ୍କ ସାହାଯ୍ୟ ଲୋଡ଼ିଛନ୍ତି।

Spread the love