କିଛି ଚାଷୀଙ୍କୁ ଜେଲ୍ ପଠାଇବା ଦ୍ୱାରା ଅନ୍ୟମାନେ ସଜାଗ ହେବେ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ସମ୍ପର୍କିତ ଆବେଦନର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଚିନ୍ତା ପ୍ରକାଶ କରି କହିଛନ୍ତି ଯେ, ନଡ଼ା ପୋଡ଼ିବା ସମସ୍ୟାର ସମାଧାନ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଆବଶ୍ୟକ। ଶୁଣାଣି ସମୟରେ କୋର୍ଟ କହିଛନ୍ତି, କିଛି ଚାଷୀଙ୍କୁ ଜେଲ୍ ପଠାଇବା ଦ୍ୱାରା ଅନ୍ୟ ଚାଷୀମାନଙ୍କୁ ଏକ ସ୍ପଷ୍ଟ ବାର୍ତ୍ତା ଦିଆଯିବ ଯେ, ଅବହେଳାକୁ ଆଉ ବରଦାସ୍ତ କରାଯିବ ନାହିଁ।
ଶୁଣାଣି ସମୟରେ, ସିଜେଆଇ ଏହା ମଧ୍ୟ କହିଛନ୍ତି ଯେ, ନଡ଼ାକୁ ଜୈବ ଇନ୍ଧନ ଭାବରେ ବ୍ୟବହାର କରାଯାଇପାରିବ। ଖବରକାଗଜ ରିପୋର୍ଟକୁ ଉଲ୍ଲେଖ କରି ସେ କହିଛନ୍ତି, ଏଥିପାଇଁ ଏକ ଲମ୍ବା ପ୍ରକ୍ରିୟାର ଆବଶ୍ୟକତା ନାହିଁ। କୃଷକମାନଙ୍କୁ ସମ୍ମାନ ଦେବା ଅତ୍ୟନ୍ତ ଜରୁରୀ କାରଣ ସେମାନଙ୍କ କଠିନ ପରିଶ୍ରମ ଦେଶର ଲୋକଙ୍କୁ ଖାଦ୍ୟ ଯୋଗାଇଥାଏ, କିନ୍ତୁ ପରିବେଶକୁ ସୁରକ୍ଷା ଦେବା ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ।
ଆମିକସ୍ କ୍ୟୁରି ଅପରାଜିତା ସିଂହ କୋର୍ଟକୁ କହିଥିଲେ ଯେ, କେନ୍ଦ୍ର ସରକାର ଚାଷୀମାନଙ୍କୁ ଉପକରଣ ଏବଂ ସବସିଡି ଯୋଗାଇ ଦେଇଛନ୍ତି, ନିଗମଗୁଡ଼ିକୁ ୮୦ ପ୍ରତିଶତ ପର୍ଯ୍ୟନ୍ତ ସବସିଡି ଏବଂ ବ୍ୟକ୍ତିଗତ ଚାଷୀମାନଙ୍କୁ ୫୦ ପ୍ରତିଶତ ସବସିଡି ପ୍ରଦାନ କରିଛନ୍ତି, କିନ୍ତୁ ନଡ଼ା ପୋଡ଼ିବା ସମସ୍ୟା ଜାରି ରହିଛି।
ସିଜେଆଇ କହିଛନ୍ତି, ଯଦି ଶୀଘ୍ର ନିଷ୍ପତ୍ତି ନିଆ ନଯାଏ, ତେବେ ସୁପ୍ରିମକୋର୍ଟ ନିଜସ୍ୱ ନିର୍ଦ୍ଦେଶ ଜାରି କରିବେ। ଏଏସଜି ଭାଟି କୋର୍ଟଙ୍କୁ ଷ୍ଟାଟସ୍ ରିପୋର୍ଟ ଉପସ୍ଥାପନ ପରେ ପରବର୍ତ୍ତୀ ସପ୍ତାହରେ ମାମଲାର ଶୁଣାଣି କରିବାକୁ ଅନୁରୋଧ କରିଥିଲେ। କୋର୍ଟ ଏନେଇ ସହମତ ହୋଇଥିଲେ। ସୁପ୍ରିମକୋର୍ଟ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ୨୦୧୮ ପରଠାରୁ ଅନେକ ନିର୍ଦ୍ଦେଶ ଜାରି କରାଯାଇଛି, କିନ୍ତୁ ସମସ୍ୟା ସମାନ ରହିଛି।
