କୋଣାର୍କ ଦ୍ବିତୀୟ ସୂର୍ଯ୍ୟ ମନ୍ଦିର ବିବାଦର ଘଟିଲା ଅନ୍ତ, ଉଚ୍ଛେଦ କଲା ଜିଲ୍ଲା ପ୍ରଶାସନ

କୋଣାର୍କ ୨୦।୧: ଦୀର୍ଘ ଦିନ ଧରି ଦ୍ବିତୀୟ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ନେଇ ଲାଗି ରହିଥିବା ବିବାଦର ଅନ୍ତ ଘଟିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ବୁଧବାର ସନ୍ଧ୍ୟାରେ ନବୀନ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ଉଚ୍ଛେଦ କରାଯାଇଛି । ଗତ ୧୨ ତାରିଖରେ ଏହି ସ୍ଥାନରେ ୧୪୪ ଧାରା ଜାରି କରାଯାଇଥିଲା । ବୁଧବାର ପ୍ରାୟ ଉଚ୍ଛେଦ କାର୍ଯ୍ୟ ଶେଷ ହୋଇଛି ।

ସୂଚନାଯୋଗ୍ୟ ଯେ, ଦିଲ୍ଲୀର ମୁକେଶ ଜୈନ ଦ୍ବିତୀୟ ସୂର୍ଯ୍ୟ ମନ୍ଦିର କରିବା ପାଇଁ କୋଣାର୍କ ଚନ୍ଦ୍ରଭାଗା ହାଚେରୀ ନିକଟରେ ବେଆଇନ ଭାବେ ସରକାରୀ ଜମି ଉପରେ ଦୀର୍ଘ ୩ ମାସରୁ ଅଧିକ ହେବ ଭବ୍ୟ ସୂର୍ଯ୍ୟ ମୂର୍ତ୍ତି ସ୍ଥାପନ କରି ପୂଜାର୍ଚ୍ଚନା କରିଥିଲେ । ଏହି ଘଟଣାକୁ କୋଣାର୍କ ସୁରକ୍ଷା ସମିତି ଓ କୋଣାର୍କ ଅଞ୍ଚଳବାସୀ  ଦ୍ବିତୀୟ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ ପାଇଁ ବିରୋଧ କରି ଆସୁଥିଲେ ହେଁ ପୁରୀ ଜିଲ୍ଲା ପ୍ରଶାସନର ନୀରବତାକୁ ନେଇ ପ୍ରଶ୍ନ ଉଠିଥିଲା ।

ଅନ୍ୟପଟେ ଗତ ପବିତ୍ର ଶାମ୍ବ ଦଶମୀରେ ସୂର୍ଯ୍ୟ ପୂଜା ଅର୍ଚ୍ଚନା ସହ ଭଜନ କୀର୍ତ୍ତନ ଚାଲିଥିବା ସମୟରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଗୋପ ତହସିଲଦାରଙ୍କ ନେତୃତ୍ବରେ କୋଣାର୍କ ଆରଆଇ, କୋଣାର୍କ NAC ଅଧିକାରୀ ଓ ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ପୂଜା ଅର୍ଚ୍ଚନା ବନ୍ଦ କରିବା ସହିତ ୧୪୪ ଧାର ଜାରି କରି ନୋଟିସ ମାରିଥିଲେ । ବୁଧବାର ସନ୍ଧ୍ୟାରେ ଗୋପ ତହସିଲଦାର ସହ NAC କର୍ମଚାରୀ ପହଞ୍ଚି ଉଚ୍ଛେଦ କରିଥିବା ଦେଖିବାକୁ ମିଳିଛି। ଜଙ୍ଗଲ ଜମି ଉପରୁ ଉଠାଯାଇଛି ସୂର୍ଯ୍ୟ ମୂର୍ତ୍ତି ଓ ଗଣେଶ ମୃର୍ତ୍ତି । ଜଙ୍ଗଲ ଜମି ଜବରଦଖଲ କରିଥିବା ସହ ସୂର୍ଯ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବା କୌଣସି ଲୋକ ବିରୋଧ କରିନଥିବାର ସୂଚନା ରହିଛି । ସୂର୍ଯ୍ୟ ମୂର୍ତ୍ତି ସହ ଗଣେଶ ମୂର୍ତ୍ତିକୁ କୋଣାର୍କ ଆରଆଇ ଅଫିସରେ ରଖାଯାଇଛି। ସୂର୍ଯ୍ୟ ମୂର୍ତ୍ତି ସହ ଗଣେଶ ମୂର୍ତ୍ତି କେଉଁଠିକୁ ଯିବ ନା ପୁର୍ନବାର ପୂଜା କରାଯିବ ତାହା ସମୟ ହିଁ କହିବ।

Spread the love