କୋଭିଡ୍ ଟିକାର ନେବାର କେତେ ଦିନ ପର୍ଯ୍ୟନ୍ତ ରକ୍ତଦାନ ମନା, ପଢ଼ନ୍ତୁ

ନୂଆଦିଲ୍ଲୀ, ୨୨/୩: କୋଭିଡ୍ ଟିକା ନେଉଥିବା ବ୍ୟକ୍ତିଙ୍କ ରକ୍ତଦାନ ସମ୍ପର୍କରେ ଜାତୀୟ ରକ୍ତଦାନ ପରିଷଦ (ଏନବିଟିସି) ପକ୍ଷରୁ କଟକଣା ଜାରି ହୋଇଛି। ଟିକାର ଦ୍ୱିତୀୟ ଡୋଜ୍ ନେବାର ୨୮ଦିନ ପର୍ଯ୍ୟନ୍ତ ରକ୍ତଦାନ କରାଯାଇପାରିବ ନାହିଁ ବୋଲି ଏନ୍ବିଟିସି ନିର୍ଦ୍ଦେଶକ ଡକ୍ଟର ସୁନୀଲ ଗୁପ୍ତାଙ୍କ ପକ୍ଷରୁ ସଦ୍ୟ ଜାରି ଏକ ନିର୍ଦ୍ଦେଶନାମାରେ କୁହାଯାଇଛି। ଏଥିରେ ଦର୍ଶାଯାଇଛି, କୌଣସି ବ୍ୟକ୍ତି ଯେକୌଣସି କୋଭିଡ୍ ଟିକା ନିଅନ୍ତୁ ପଛେ ସେମାନଙ୍କ ଲାଗି ଏହି କଟକଣା ଲାଗୁ ହେବ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶନାମା ଅନୁଯାୟୀ କୋଭିଡ୍ ଟିକାର ପ୍ରଥମ ଡୋଜ୍ ନେବାର ୨୮ଦିନ ପରେ ଦ୍ୱିତୀୟ ଡୋଜ୍ ନେବାକୁ ପଡ଼ିବ। ସାଧାରଣତଃ ଦ୍ୱିତୀୟ ଡୋଜ୍ ନେବାର ଦୁଇ ସପ୍ତାହ ପରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥାଏ। ଉଲ୍ଲେଖଯୋଗ୍ୟ ଦେଶରେ ପ୍ରଥମେ କୋଭିଡ୍ ଟିକାକରଣ ଜାନୁଆରୀ ୧୬ରୁ ଆରମ୍ଭ ହୋଇଥିଲା ଏବଂ ଏହି ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ କୋଭିଡ୍ ଯୋଦ୍ଧାଙ୍କୁ ପ୍ରଥମେ ଦିଆଯାଇଥିଲା। ଏହାପରେ ମାର୍ଚ୍ଚ ୧ରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେଲା। ଏଥିରେ ୬୦ବର୍ଷରୁ ଊଦ୍ଧ୍ୱର୍ ବରିଷ୍ଠ ନାଗରିକ ଏବଂ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଥିବା ୪୫ରୁ ୫୯ବର୍ଷ ବୟସର ନାଗରିକମାନଙ୍କୁ ଟିକା ଦିଆଯାଉଛି।

Spread the love