କୋରାପୁଟରେ ୨୮ ଯାଏଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍
ଜୟପୁର : ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଯାହା ଫଳରେ କୋରାପୁଟ ଜିଲ୍ଲା ପ୍ରଶାସନ ସେପ୍ଟେମ୍ବର ୨୮ ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛି । ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ଛୁଟି ବାତିଲ୍ କଲେ ଜିଲ୍ଲାପାଳ । ହେଡ୍ କ୍ୱାର୍ଟର୍ସ ନ ଛାଡ଼ିବା ପାଇଁ ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାର ସମସ୍ତ ବିଡିଓ ଓ ତହସିଲଦାରଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ହୋଇଛି ।
ସେପ୍ଟେମ୍ବର ୨୬ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇ ଡିପ୍ରେସନରେ ପରିଣତ ହେବାର ସମ୍ଭାବନା ରହିଛି । ଯାହା ପ୍ରଭାବରେ କୋରାପୁଟ ଜିଲ୍ଲାର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ବଜ୍ରପାତ ହେବାର ସମ୍ଭାବନା ରହିଥିବା ନେଇ ସୂଚନା ମିଳିଛି । ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ସମସ୍ତ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କୁ ତୁରନ୍ତ ସେମାନଙ୍କ ମୁଖ୍ୟାଳୟକୁ ଫେରିଯିବା ସହ ବିନା ଅନୁମତିରେ ସେପ୍ଟେମ୍ବର ୨୮ ତାରିଖ ପର୍ଯ୍ୟନ୍ତ କୌଣସି ଅଧିକାରୀଙ୍କ ଛୁଟି ଗ୍ରହଣ କରାଯିବ ନାହିଁ ବୋଲି ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶକୁ କଡାକଡି ଭାବରେ ପାଳନ ନ କଲେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି ମଧ୍ୟ କୁହାଯାଇଛି ।
