ଗଣେଶଙ୍କ ପୂଜାରେ କାହିଁକି ଲାଗେନି ତୁଳସୀ ଜାଣନ୍ତୁ

ହିନ୍ଦୁ ଧର୍ମର ବିଭିନ୍ନ ଦେବା ଦେବୀଙ୍କ ପୂଜା ଏବଂ ମାଙ୍ଗଳିକ କାର୍ଯ୍ୟରେ ତୁଳସୀ ଗଛ ବା ପତ୍ରର ବିଶେଷ ଗୁରୁତ୍ଵ ରହିଥାଏ। ଭଗବାନ ବିଷ୍ଣୁଙ୍କର ପ୍ରିୟ ହେଉଛି ତୁଳସୀ, ତୁଳସୀଙ୍କ ବିନା ଭଗବାନଙ୍କ ବାଖରେ ଭୋଗ ହୋଇନଥାଏ। ସେହିଭଳି ବିଘ୍ନହର୍ତା ଗଣେଶଙ୍କୁ ହିନ୍ଦୁ ଧର୍ମରେ କୌଣସିବି ଧାର୍ମିକ ଅବା ଶୁଭ କାର୍ଯ୍ୟରେ ଆଗ ପୂଜା କରାଯାଇଥାଏ। ତାଙ୍କୁ ଅଗ୍ରପୂଜ୍ୟ ବିଲୋ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ମଧ୍ୟ। କିନ୍ତୁ ତୁଳସୀ କେବେବି ଗଣେଶଙ୍କ ପୂଜାରେ ଲାଗନ୍ତି ନାହିଁ। ଏହାପଛରେ ଏକ ବିଶେଷ କାରଣ ରହିଛି, ତେବେ ଚାଲନ୍ତୁ ଜାଣିବା ଗଣେଶଙ୍କ ପୂଜାରେ କାହିଁକି ତୁଳସୀ ଲାଗେ ନାହିଁ…

ପୌରାଣିକ କଥାନୁସାରେ ଥରେ ଭଗବାନ ଗଣେଶ ଗଙ୍ଗା ନଦୀ କୂଳେ କଠୋର ତପସ୍ୟାରେ ଲୀନ ଥିଲେ । ସେହି ସମୟରେ ଧର୍ମାତ୍ମଜଙ୍କ ପୁତ୍ରୀ ତୁଳସୀ ତାଙ୍କ ବିବାହ ପାଇଁ ତୀର୍ଥଯାତ୍ରାର ଭ୍ରମଣରେ ଥିଲେ । ତୁଳସୀ ଗଙ୍ଗାନଦୀ କୂଳରେ ପହଁଚିଲା ବେଳକୁ ତାଙ୍କର ଗଣେଶଙ୍କ ଉପରେ ନଜର ପଡିଥିଲା। ତପସ୍ୟା ସମୟରେ ଶ୍ରୀଗଣେଶ ରତ୍ନ ଜଟିତ ସିଂହାସନ ଉପରେ ଥିଲେ । ଗଣେଶଙ୍କ ପୂରା ଶରୀର ଚନ୍ଦନ ଲେପ ହୋଇଥିଲା । ଏହାସହ ତାଙ୍କ ଗଳାରେ ପାରିଜାତ ପୁଷ୍ପର ହାର ସହିତ ସ୍ୱର୍ଣ୍ଣ ଏବଂ ମଣିମୁକ୍ତା ଜଡିତ ହାର ପିନ୍ଧିଥଲେ ।

ଯୁବକ ଶ୍ରୀଗଣେଶଙ୍କ ଏହି ରୂପ ଦେଖି ବିମୋହିତ ହୋଇଯାଇଥିଲେ ତୁଳସୀ । ଏବଂ ତାଙ୍କୁ ବିବାହ କରିବା ଇଚ୍ଛା ନେଇ ଗଣେଶଙ୍କ ତପସ୍ୟା ଭଙ୍ଗ କରିଦେଇଥିଲେ । ଏଥିରେ ଗଣେଶ କ୍ରୋଧିତ ହେବାସହ ତୁଳସୀ କରିଥିବା କାର୍ଯ୍ୟ ଅଶୁଭ ବୋଲି କହିଥିଲେ । ଏବଂ ତୁଳସୀ ତାଙ୍କୁ ବିବାହ କରିବାର ଇଛା ଜାଣି ନିଜକୁ ବ୍ରହ୍ମଚାରୀ ବୋଲି କହିଥିଲେ ।

ତୁଳସୀଙ୍କ ବିବାହ ପ୍ରସ୍ତାବକୁ ଗଣେଶ ମନା କରିବା ପରେ ସେ ଅତ୍ୟନ୍ତ କ୍ରୋଧିତ ହେବା ସହ ଗଣେଶଙ୍କୁ ଦୁଇଟି ବିବାହ କରିବାର ଅଭିଶାପ ଦେଇଥିଲେ । ଏହାକୁ ଶୁଣି ଶ୍ରୀଗଣେଶ ରାଗିଯାଇଥିଲି ଏବଂ ତୁଳସୀଙ୍କୁ ଅଭିଶାପ ଦେଇଥିଲେ କି ତାଙ୍କ ବିବାହ ଏକ ରାକ୍ଷସ ସହିତ ହେବ । ଏହାପରେ ତୁଳସୀ ନିଜର ଭୁଲ ବୁଝି ପାରି ଗଣେଶଙ୍କୁ କ୍ଷମା ମାଗିଥିଲେ ।

କିନ୍ତୁ ଗଣେଶ ତାଙ୍କୁ କହିଥିଲେ କି ତୁମ ବିବାହ ହୁଏତ ରାକ୍ଷସ ସହ ହେବ କିନ୍ତୁ ତୁମେ ଭଗବାନ ବିଷ୍ଣୁଙ୍କର ଅତି ପ୍ରିୟ ହୋଇ ରହିବ । କିନ୍ତୁ ତୁମର ବ୍ୟବହାର ମୋ ପୂଜାରେ କେବେ ହେବ ନାହିଁ । ସେଥିପାଇଁ ଶ୍ରୀଗଣେଶଙ୍କ ପୁଜାରେ ତୁଳସୀ ବ୍ୟବହାର ହୁଏ ନାହିଁ । ଗଣେଶଙ୍କ ପୂଜାରେ ତୁଳସୀ ବ୍ୟବହାର ଅଶୁଭ ବୋଲି ବିବେଚନା କରାଯାଏ। ସେହିଭଳି ତୁଳସୀଙ୍କ ଅଭିଶାପ କାରଣରୁ ଗଣେଶ ଦୁଇ ଜଣଙ୍କୁ ଅର୍ଥାତ ସିଦ୍ଧି ଓ ରିଦ୍ଧି ଙ୍କୁ ବିବାହ କରିଥିଲେ।

Spread the love